ପେଟ୍ରୋଲ, ଡିଜେଲ ଉତ୍ପାଦ ଶୁଳ୍କ ୪ଟଙ୍କା ହ୍ରାସ ଘଟିପାରେ

0
୧୦ମ ଦିନ ପାଇଁ ବୃଦ୍ଧି ଧାରା ଜାରି

ନୂଆଦିଲ୍ଲୀ : ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦରରେ ଦୈନିକ ବୃଦ୍ଧି ଘଟି ତାହା ଏବେ ସର୍ବକାଳୀନ ରେକର୍ଡ ସ୍ତର ଛୁଇଁଛି। ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପ୍ରଭାବରେ ଘରୋଇ ବଜାରରେ ଏଭଳି ପରିସ୍ଥିତି ଲାଗି ରହିଛି। ତୈଳ ଦର ବୃଦ୍ଧି ନେଇ ସମଗ୍ର ଦେଶରେ ଦେଖାଦେଇଥିବା ଅସନ୍ତୋଷ ଏବେ ବଢିବାରେ ଲାଗିଛି। ଏଥିସହ ସରକାରଙ୍କ ଉପରେ ଦିନକୁ ଦିନ ଚାପ ବୃଦ୍ଧିି ପାଉଛି। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସରକାର ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି। ସରକାର ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ୨ଟଙ୍କାରୁ ୪ ଟଙ୍କା ହ୍ରାସ କରିପାରନ୍ତି ବୋଲି ଆଜି ଜଣେ ବିଭାଗୀୟ ବରିଷ୍ଠ ଅଧିକାରୀ କହିଛନ୍ତି। ପ୍ରଥମରୁ ଉତ୍ପାଦ ଶୁଳ୍କରେ ହ୍ରାସ ବିକଳ୍ପକୁ ସରକାର ଏଡାଇ ଯାଉଥିବାବେଳେ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‍ଓ) ଉପରେ କେବଳ ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ଭର କରୁଛି।
୧୦ମ ଦିନ ପାଇଁ ଆଜି ଘରୋଇ ବଜାରରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ବୃଦ୍ଧି ଧାରା ଜାରି ରହିଛି। ମଙ୍ଗଳବାର ଉଭୟ ତୈଳ ମୂଲ୍ୟରେ ଯଥାକ୍ରମେ ୩୦ ପଇସା ଏବଂ ୨୮ ପଇସା ବୃଦ୍ଧି ଘଟିଥିବାବେଳେ ଆଜି ପେଟ୍ରୋଲ ୩୦ ପଇସା ଏବଂ ଡିଜେଲ ୨୬ ପଇସା ବଢିଛି। ଏହା ଫଳରେ ରାଜଧାନୀ ନୂଆଦିଲ୍ଲୀଠାରେ ପେଟ୍ରୋଲ ଲିଟର ପିଛା ୭୭ ଟଙ୍କା ୧୭ ପଇସା ଏବଂ ଡିଜେଲ ୬୮ ଟଙ୍କା ୩୪ ପଇସାରେ ପହଞ୍ଚିଛି। ବୁଧବାର ମୁମ୍ବଇରେ ପେଟ୍ରୋଲ ଲିଟର ପିଛା ୨୯ ପଇସା ବୃଦ୍ଧି ଘଟି ୮୪ ଟଙ୍କା ୯୯ ପଇସା ହୋଇଛି, ଯାହାକି ଦେଶରେ ସର୍ବୋଚ୍ଚ। ଭୁବନେଶ୍ୱରଠାରେ ଆଜି ପେଟ୍ରୋଲ ଲିଟର ପିଛା ୩୦ ପଇସା ବୃଦ୍ଧି ଘଟି ୭୫ ଟଙ୍କା ୯୪ ପଇସା ଏବଂ ଡିଜେଲରେ ୨୮ ପଇସା ବୃଦ୍ଧି ଘଟି ୭୩ ଟଙ୍କା ୨୧ ପଇସା ହୋଇଛି।
ଇରାନ୍‍ ଏବଂ ଭେନିଜୁଏଲାରୁ ଯୋଗାଣରେ ହ୍ରାସକୁ ଦୃଷ୍ଟିରେ ରଖି ଓପେକ୍‍ ରାଷ୍ଟ୍ର ସମୂହ ଅଶୋଧିତ ତୈଳ ଉତ୍ପାଦନରେ ବୃଦ୍ଧି ଘଟାଇବାକୁ ଖୁବ୍‍ ଶୀଘ୍ର ଜୁନ୍‍ରେ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି। ତେବେ ତୈଳ ଦରକୁ ସାମୟିକ ଭାବେ ହ୍ରାସ ଘଟାଇବାକୁ ସରକାର ରାଷ୍ଟ୍ରାୟତ୍ତ ତୈଳ ବିପଣନକାରୀ କମ୍ପାନୀଗୁଡିକୁ ନିର୍ଦେଶ ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପେଟ୍ରୋଲ ଡିଜେଲ ଲିଟର ପିଛା ୧ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ପାଇଁ ସରକାରଙ୍କୁ ୧୩୦ରୁ ୧୪୦ ବିଲିୟନ୍‍ ଟଙ୍କା ହରାଇବାକୁ ପଡିବ ବୋଲି ଅର୍ଥ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି। ତେଣୁ ଲିଟର ପିଛା ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କଲେ ସରକାର ୨୬୦ରୁ ୨୮୦ ବିଲିୟନ୍‍ ଟଙ୍କାର କ୍ଷତି ସହିବେ।
ଅନ୍ୟପକ୍ଷରେ ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ବିରୋଧୀ ଆଜି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ୍‍ ଏଥିପାଇଁ କେନ୍ଦ୍ର ସରକାରଙ୍କୁୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ସରକାର ପେଟ୍ରୋଲ ଲିଟର ପିଛା ୨୫ ଟଙ୍କା ହ୍ରାସ ଘଟାଇପାରିବେ। କିନ୍ତୁ ସରକାର ଏହା ନ କରି ପେଟ୍ରୋଲ ଲିଟର ପିଛା ୧-୨ ଟଙ୍କା ହ୍ରାସ ଘଟାଇ ଲୋକଙ୍କୁ ଠକି ଚାଲିଛନ୍ତି। ସୂଚନାଯୋଗ୍ୟ, ଉପା ସରକାର ଶାସନ ସମୟରେ ୨୦୦୮ରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୪୭ ଡଲାର ଛୁଇଁଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ଦର ବର୍ତ୍ତମାନର ଦରଠାରୁ କମ୍‍ ରହିଥିଲା। କିନ୍ତୁ ବର୍ତ୍ତମାନ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୦ ଡଲାର ରହିଛି କିନ୍ତୁ ଘରୋଇ ବଜାରରେ ଦର ତାଠାରୁ ଅଧିକ ହେବାରେ ଲାଗିଛି। ତେବେ ପେଟେଆଲ ଏବଂ ଡିଜେଲକୁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‍ଟି) ପରିସରଭୁକ୍ତ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ୨୦୧୪ଠାରୁ ପେଟ୍ରୋଲ ଏବଂ ଡିଜେଲର ଉତ୍ପାଦ ଶୁଳ୍କରେ ୨୧୧.୭% ବୃଦ୍ଧିି ଘଟିଥିବା କଂଗ୍ରେସ ନେତା ପୱନ୍‍ ଖେରା କହିଛନ୍ତି।

Leave A Reply