ମୁକ୍ତାକାଶରେ ସୁରକ୍ଷା ଢିଲା, ଜଣେ ବନ୍ଦୀଙ୍କ ଆତ୍ମହତ୍ୟା ଉଦ୍ୟମ
ତମାଣ୍ଡୋ: ଜାମୁଝରୀସ୍ଥିତ ମୁକ୍ତାକାଶ ଆଶ୍ରମରେ ଜଣେ ବନ୍ଦୀ ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇଛନ୍ତି। ଘଟଣା ଜଣାପଡ଼ିବା ପରେ ତାଙ୍କୁ ସ୍ଥାନୀୟ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆଜୀବନ କାରାଦାଣ୍ଡ ଭୋଗୁଥିବା ବିପିନ ଦେହୁରୀ କେନ୍ଦୁଝର ଜେଲ୍ରୁ ଗତ ଜୁଲାଇରେ ଏଠାକୁ ଆସିଥିଲେ। କୌଣସି କାରଣରୁ ସେ ଏକ ଧାରୁଆ ଛୁରି ସହାୟତାରେ ନିଜ ତଣ୍ଟି କାଟି ଗୁରୁତର ହୋଇ ପଡ଼ିଥିଲେ। ମୁକ୍ତାକାଶ ଜେଲ୍ରେ ସମସ୍ତ ବନ୍ଦୀ ମୁକ୍ତ ଭାବେ ସେହି ପରିସରରେ ବିଚରଣ କରୁଥିବା ବେଳେ ସେମାନଙ୍କ ଉପରେ ନଜର ରଖାଯାଉନଥିବାରୁ ଅନେକ ଅଘଟଣ ଘଟୁଥିବା ଅଭିଯୋଗ ହେଉଛି। କିଛି ମାସ ପୂର୍ବରୁ ଜଣେ ବନ୍ଦୀ ସେହି ପରିସରରେ ଆତ୍ମହତ୍ୟା କରିଥିବା ବେଳେ କିଛିଦିନ ପୂର୍ବରୁ ଜଣେ କଏଦୀ ଢିଲା ସୁରକ୍ଷା ବ୍ୟବସ୍ଥା ଭେଦକରି ଫେରାର ହୋଇଯାଇଥିଲେ। ୩ଦିନ ପରେ ତାଙ୍କୁ ନିକଟସ୍ଥ ଜଙ୍ଗଲରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏବେ ୫ା୬ଦିନ ପୂର୍ବରୁ ଜଣେ ବନ୍ଦୀ ଫେରାର ହୋଇଯାଇଛନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କର କୌଣସି ଖୋଜଖବର ମିଳିପାରିନାହିଁ। ଏଠାରେ ୧୨୦ ବନ୍ଦୀ ରହିବାର ବ୍ୟବସ୍ଥା ଥିବାବେଳେ କରୋନା ପରେ ଆଶାତୀତ ଭାବେ ବନ୍ଦୀଙ୍କ ସଂଖ୍ୟା କମିବାରେ ଲାଗିଛି।
Comments are closed.