ବଢ଼ୁଛି ବ୍ୟାଙ୍କ ଠକେଇ: ୬ ମାସରେ ୨୧ ହଜାର କୋଟି କ୍ଷତି

ମୁମ୍ବଇ: ଭାରତରେ ବ୍ୟାଙ୍କ ଠକେଇ ମାମଲା ଚିନ୍ତା ବଢ଼ାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୬ ମାସରେ ବ୍ୟାଙ୍କ ଠକେଇ ମାମଲା ନେଇ ରିଜର୍ଭ ବ୍ୟାଙ୍କ ନିକଟରେ ଜାରି କରିଥିବା ରିପୋର୍ଟ ହିଁ ଚିନ୍ତାର କାରଣ ହୋଇଛି। ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୮,୪୬୧ ଟି ବ୍ୟାଙ୍କ ଠକେଇ ମାମଲା ହୋଇଥିବାବେଳେ ମୋଟ ୨୧,୩୬୭ କୋଟି ଟଙ୍କା ଠକେଇ ହୋଇଛି। ଅନ୍ୟପକ୍ଷରେ ଗତ ଆର୍ଥିକ ବର୍ଷରେ ୧୪,୪୮୦ ଟି ଠକେଇ ମାମଲା ହୋଇଥିବାବେଳେ ମାତ୍ର ୨,୬୨୩ କୋଟି ଟଙ୍କା ଠକେଇ ହୋଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)ର ଉପରୋକ୍ତ ତଥ୍ୟକୁ ଅନୁଶୀଳନ କଲେ ଗତ ବର୍ଷ ତୁଳନାରେ ଠକେଇ ମାମଲା ୨୮ ପ୍ରତିଶତ ବୃଦ୍ଧି ହୋଇଛି। ଏଥିସହ ମୋଟ ଠକେଇ ପରିମାଣ ୮ ଗୁଣ ବଢ଼ିଛି।
ଆର୍‌ବିଆଇ ନିକଟରେ ଭାରତରେ ବ୍ୟାଙ୍କିଙ୍ଗର ପ୍ରବୃତ୍ତି ଓ ପ୍ରଗତି ଉପରେ ୨୦୨୩-୨୪ ରିପୋର୍ଟ ଜାରି କରିଛି। ଯେଉଁଥିରେ ୨୦୨୪ ଏବଂ ୨୦୨୫ ଆର୍ଥିକ ବର୍ଷ ମଧ୍ୟରେ ବାଣିଜ୍ୟିକ ବ୍ୟାଙ୍କ, ସମବାୟ ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା ସମେତ ବ୍ୟାଙ୍କିଙ୍ଗ କ୍ଷେତ୍ରର ପ୍ରଦର୍ଶନକୁ ଉପସ୍ଥାପନ କରିଛି। ରିପୋର୍ଟରେ ଗତ ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ୧୮,୪୬୧ଟି ଠକେଇ ମାମଲା ହୋଇଥିବାବେଳେ ଏଥିରେ ମୋଟ ୨୧,୩୬୭ କୋଟି ଠକେଇ ହୋଇଥିଲା। ଗତବର୍ଷ ସମାନ ଅବଧିରେ ୧୪,୪୮୦ ଟି ଠକେଇ ମାମଲା ହୋଇଥିବାବେଳେ ମାତ୍ର ୨,୬୨୩ କୋଟି ଟଙ୍କା ଠକେଇ ହୋଇଥିଲା। ଅର୍ଥାତ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୧୮,୭୪୪ କୋଟି ଟଙ୍କାର ଅଧିକ ଠକେଇ ହୋଇଛି। ମାମଲାରେ ୨୮ ପ୍ରତିଶତ ବୃଦ୍ଧି ହୋଇଥିବାବେଳେ ଠକେଇ ପରିମାଣ ପ୍ରାୟ ୮ ଗୁଣ ବୃଦ୍ଧି ପାଇଥିବା ରିପୋର୍ଟ କହୁଛି। ଏଭଳି ଠକେଇ ଆର୍ଥିକ ସ୍ଥିରତା ପ୍ରତି ବିପଦ ସୃଷ୍ଟି କରିବା ସହ ଗ୍ରାହକଙ୍କ ବିଶ୍ବାସ କମାଉଛି।
ଏହି ରିପୋର୍ଟରେ ଠକେଇର ପ୍ରକାର ବିଷୟରେ ବିସ୍ତୃତ ବିବରଣୀ ଦିଆଯାଇଛି। ୨୦୨୩-୨୪ରେ, ଇଣ୍ଟରନେଟ୍ ଏବଂ କାର୍ଡ ମାଧ୍ୟମରେ ଠକେଇ ସମୁଦାୟ ଠକେଇ ରାଶିର ୪୪.୭% ଏବଂ ମାମଲା ସଂଖ୍ୟା ୮୫.୩% ଥିଲା। ତେଣୁ ଡିଜିଟାଲ୍ ପ୍ଲାଟଫର୍ମରେ ଠକେଇ କାର‌୍ୟ୍ୟକଳାପ ବଢ଼ୁଥିବା ଏହି ରିପୋର୍ଟ ଦର୍ଶାଉଛି।
ଅନ୍ୟପକ୍ଷରେ ଘରୋଇ ବ୍ୟାଙ୍କରେ ୬୭.୧% ଠକେଇ ମାମଲା ହୋଇଥିବାବେଳେ ସରକାରୀ ବ୍ୟାଙ୍କ ଏହି ଠକେଇ ଦ୍ବାରା ସର୍ବାଧିକ ଆର୍ଥିକ ପ୍ରଭାବର ସମ୍ମୁଖୀନ ହୋଇଛନ୍ତି। ବଢ଼ୁଥିବା ଠକେଇକୁ ଦେଖି ନିୟାମକ ଜୋରିମାନା ରାଶି ମଧ୍ୟ ବଢ଼ାଇଛନ୍ତି। ୨୦୨୩-୨୪ରେ ବ୍ୟାଙ୍କଗୁଡ଼ିକ ଉପରେ ହୋଇଥିବା ଜୋରିମାନା ପ୍ରାୟ ଦୁଇଗୁଣ ବଢ଼ି ୮୬.୧ କୋଟି ଟଙ୍କା ହୋଇଥିଲା। ଉଭୟ ସରକାରୀ ଓ ବେସରକାରୀ ବ୍ୟାଙ୍କ ଉପରେ ସର୍ବାଧିକ ଜୋରିମାନା ହୋଇଥିବାବେଳେ ସମବାୟ ବ୍ୟାଙ୍କ ଉପରେ ଜୋରିମାନା ରାଶି ହ୍ରାସ ପାଇଛି। ଆର୍‌ବିଆଇ ମଧ୍ୟ ଡିଜିଟାଲ ଋଣ କ୍ଷେତ୍ରରେ ହେଉଥିବା ଠକେଇକୁ ରୋକିବାକୁ ପ୍ରୟାସ କରୁଛି। ନିୟନ୍ତ୍ରିତ ସଂସ୍ଥାଗୁଡ଼ିକ ସହିତ ଜଡ଼ିତ ଥିବା ମିଥ୍ୟା ଦାବି କରି ଅନେକ ଜାଲିଆତି ସଂସ୍ଥା ବିଭିନ୍ନ ଯୋଜନା କରୁଛନ୍ତି। ଏହାର ସମାଧାନ ପାଇଁ ଆରବିଆଇ ଡିଜିଟାଲ ଋଣ ଆପ୍‌ ବିକାଶ କରୁଛି, ଯାହା ଗ୍ରାହକଙ୍କୁ ଏହି ସେବାଗୁଡ଼ିକର ବୈଧତା ଯାଞ୍ଚ କରିବାରେ ସାହାଯ୍ୟ କରିବ। ଏହିପରି ଠକେଇ ପାଇଁ ଜାଲି ବ୍ୟାଙ୍କ ଖାତା (ମୁଲ୍‌ ଆକାଉଣ୍ଟ) ବ୍ୟବହାର ମଧ୍ୟ ବଢ଼ିବାରେ ଲାଗିଛି। ଏହି ଠକେଇ ଦ୍ବାରା ବ୍ୟାଙ୍କକୁ ଆର୍ଥିକ କ୍ଷତି ସହ ଏହାର ପ୍ରତିଷ୍ଠା ମଧ୍ୟ ହାନୀ ହେଉଛି। ତେଣୁ ଏଭଳି ଠକେଇ ଉପରେ ରୋକ୍‌ ଲଗାଇବା ପାଇଁ ବ୍ୟାଙ୍କକୁ ସନ୍ଦେହଜନକ ଆର୍ଥିକ ଗତିବିଧି ଉପରେ ନଜର ରଖିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଝବୁତ୍‌ କରିବାକୁ ଆର୍‌ବିଆଇ ପରାମର୍ଶ ଦେଇଛି।

Comments are closed.