ପ୍ରେସ୍‍ କାଉନ୍‍ସିଲ ଅଫ ଇଣ୍ଡିଆ ପୁନର୍ଗଠିତ

0

ନୂଆଦିଲ୍ଲୀ : ପ୍ରେସ୍‍ କାଉନ୍‍ସିଲ ଅଫ ଇଣ୍ଡିଆ ପୁନର୍ଗଠିତ ହୋଇଛି। ଏ ସମ୍ପର୍କରେ ଗୁରୁବାର ବିଧିବଦ୍ଧ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ଅବସରପ୍ରାପ୍ତ ସୁପ୍ରିମ କୋର୍ଟ ବିଚାରପତି ସି.କେ ପ୍ରସାଦ ଦ୍ୱିତୀୟ ଥର ପାଇଁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ଆସନ୍ତା ତିନି ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ। ବୃହତ୍‍ ଖବରକାଗଜ ବର୍ଗରୁ ବିଜୟ କୁମାର ଚୋପ୍ରା ଓ ରାକେଶ ଶର୍ମା ନୂଆ ପରିଷଦର ସଦସ୍ୟତା ଲାଭ କରିଥିବାବେଳେ କ୍ଷୁଦ୍ର ଖବରକାଗଜ ବର୍ଗରୁ ଶ୍ୟାମ ସିଂହ ପନୱାର ଓ କେଶବ ଦତ୍ତ ଚାଣ୍ଡୋଲା ମନୋନୀତ ହୋଇଛନ୍ତି। ଖବରକାଗଜ ପରିଚାଳନା ମଣ୍ଡଳୀ ସଦସ୍ୟ ବର୍ଗରୁ ସମ୍ବାଦ ସରବରାହ ସଂସ୍ଥା ୟୁଏନ୍‍ଆଇର ସମ୍ପାଦକ ଅଶୋକ ଉପାଧ୍ୟାୟ ମନୋନୀତ ହୋଇଥିବାବେଳେ ମଧ୍ୟମ ଖବର କାଗଜ ବର୍ଗରୁ କେହି ସଦସ୍ୟତା ଲାଭ କରି ନାହାନ୍ତି। ଏ ନେଇ ଅଦାଲତରେ ମାମଲା ବିଚାରାଧୀନ ଥିବାରୁ ଏହି ବର୍ଗରୁ କାହାରିକୁ ସଦସ୍ୟତା ମିଳି ନାହିଁ। ଅପରପକ୍ଷରେ କର୍ମଜୀବୀ ସାମ୍ବାଦିକ-ସମ୍ପାଦକ ବର୍ଗରୁ ଚନ୍ଦ୍ରମଣି ରଘୁବଂଶୀ, ଉତ୍ତମ ଚନ୍ଦ୍ର ଶର୍ମା, ପ୍ରଦୀପ କୁମାର ଜୈନ, ଓମ୍‍ ପ୍ରକାଶ ଖେମକାର୍ଣ୍ଣି, ବଳଦେବ ରାଜା ଗୁପ୍ତା ଓ ସୟଦ ରାଜା ହୁସେନ୍‍ ରିଜ୍‍ଭି ସଦସ୍ୟତା ଲାଭ କରିଛନ୍ତି। ଏହାଛଡ଼ା କର୍ମଜୀବୀ ସାମ୍ବାଦିକ ବର୍ଗରୁ ଅମର ଦେବୁଲାପଲ୍ଲି, ବଲବିନ୍ଦର ସିଂହ ଜାମ୍ମୁ, ଶରତ ଚନ୍ଦ୍ର ବେହେରା, ପ୍ରଭାତ କୁମାର ଦାଶ, ଏମ୍‍.ଏ ମାଜିଦ, କମଳ ନୟନ ନାରଙ୍ଗ ଓ ଚ୍ଛାୟାକାନ୍ତ ନାୟକ ମନୋନୀତ ହୋଇଛନ୍ତି। ଉତ୍ତମ ଚନ୍ଦ୍ର ଶର୍ମା, ଚ୍ଛାୟାକାନ୍ତ ନାୟକ ଓ ପ୍ରଭାତ କୁମାର ଦାଶ ଦ୍ୱିତୀୟ ଥର ପାଇଁ ସଦସ୍ୟତା ଲାଭ କରିଛନ୍ତି। ପ୍ରେସ୍‍ କାଉନ୍‍ସିଲ ଆଇନ ଅନୁସାରେ କାଉନ୍‍ସିଲର ଅଧ୍ୟକ୍ଷ ଓ ୨୮ଜଣ ସଦସ୍ୟ ରହିବା ବ୍ୟବସ୍ଥା ରହିଛି। କାଉନ୍‍ସିଲର କାର୍ଯ୍ୟକାଳ ତିନି ବର୍ଷ ଧାର୍ଯ୍ୟ ହୋଇଥାଏ।

Leave A Reply