ପ୍ରଭସିମ୍ରନ୍ଙ୍କ ଶତକ ; ପଞ୍ଜାବ ବିଜୟୀ, ଦିଲ୍ଲୀ ପ୍ଲେଅଫ୍ରୁ ବିଦା
ନୂଆଦିଲ୍ଲୀ : ଚଳିତ ଆଇପିଏଲ୍ରେ ଶନିବାରର ମ୍ୟାଚ୍ରେ ୪ର୍ଥ ଶତକ ହାସଲ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଓପ୍ନର ପ୍ରଭସିମ୍ରନ୍ ସିଂହ। ତାଙ୍କର ଶତକ ଏବଂ ଦୁଇ ସ୍ପିନର ହରପ୍ରୀତ ସିଂହ ବ୍ରାର ଓ ରାହୁଲ ଚହରଙ୍କ ଚମତ୍କାର ବୋଲିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୩୧ ରନ୍ରେ ପଞ୍ଜାବ ପରାସ୍ତ କରିଛି। ୧୬୮ ରନ୍ର ପିଛା କରିଥିବା ଦିଲ୍ଲୀ ମାତ୍ର ୩୮ ବଲ୍ରୁ ବିନା ୱିକେଟରେ ୬୯ ରନ୍ କରିଥିବା ବେଳେ ପଞ୍ଜାବ ଏହା ହାତରୁ ମ୍ୟାଚ୍ ଛଡ଼ାଇ ନେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ନିୟମିତ ୱିକେଟ ହରାଇ ପରାସ୍ତ ହୋଇଥିଲା। ପ୍ରଭସିମ୍ରନ୍ଙ୍କ ଶତକ ବଳରେ ପ୍ରଥମେ ବ୍ୟାଟିଂକରି ପଞ୍ଜାବ କିଙ୍ଗ୍ସ ୭ ୱିକେଟରେ ୧୬୭ ରନ୍ କରିଥିଲା। ଡେଭିଡ୍ ୱାର୍ଣ୍ଣରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସତ୍ତ୍ବେ ଦିଲ୍ଲୀ କ୍ୟାପିଟାଲ୍ସ ୮ ୱିକେଟରେ ୧୩୬ ରନ୍ କରି ପାରିଥିଲା। ୧୨ଶ ମ୍ୟାଚ୍ରେ ୬ଷ୍ଠ ବିଜୟ ପରେ ପଞ୍ଜାବ ପ୍ଲେଅଫ୍ ଖେଳିବାର ଆଶା ବଜାୟ ରଖିଛି। ଅନ୍ୟପକ୍ଷରେ ୧୨ଶ ମ୍ୟାଚ୍ରେ ୮ମ ପରାଜୟ ପରେ ଦିଲ୍ଲୀ ପ୍ରଥମ ଦଳ ଭାବେ ପ୍ଲେଅଫ୍ ଦୌଡ଼ରୁ ବାଦ୍ପଡ଼ିଛି।
୧୬୮ ରନ୍ ଲକ୍ଷ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଇନିଂସ ଆରମ୍ଭ କରିବା ପରେ ଏହାର ଦୁଇ ବିଦେଶୀ ଓପ୍ନର ଡେଭିଡ୍ ୱାର୍ଣ୍ଣର ଓ ଫିଲ୍ ସଲ୍ଟ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଦୁହେଁ ୬ ଓଭରର ପାୱରପ୍ଲେରେ ୬୫ ରନ୍ କରିଥିଲେ। ୨୩ ବଲ୍ରେ ବାମହାତି ୱାର୍ଣ୍ଣର ୬୦ତମ ଆଇପିଏଲ୍ ଅର୍ଦ୍ଧଶତକ ପୂରଣ କରିଥିଲେ। ଏକଦା ବିନା ୱିକେଟରେ ୬୯ ରନ୍ କରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ୧୯ ରନ୍ରେ ୬ଟି ୱିକେଟ ହରାଇ ଦିଗହରା ହୋଇ ଯାଇଥିଲା। ଫିଲ୍ ସଲ୍ଟ ୧୭ ବଲ୍ରୁ ୩ଟି ଚୌକା ସହ ୨୧ ରନ୍କରି ବିଦାୟ ନେଇଥିଲେ। ପରେ ମିଚେଲ ମାର୍ଶ ୩ ଓ ରାଇଲି ରୁସୌ ୫ ରନ୍କରି ଆଉଟ୍ ହୋଇଥିଲେ। ୱାର୍ଣ୍ଣର ୨୭ ବଲ୍ରୁ ଗୋଟିଏ ଛକା ଓ ୧୦ଟି ଚୌକା ସହ ୫୪ ରନ୍କରି ବିଦାୟ ନେଇଥିଲେ। ଅକ୍ଷର ପଟେଲ ୨ ରନ୍ କରିଥିଲେ। ଇମ୍ପାକ୍ଟ ଖେଳାଳି ମନୀଷ ପାଣ୍ଡେ ଖାତା ଖୋଲି ପାରିନଥିଲେ। ୮୮ ରନ୍ରେ ୬ଟି ୱିକେଟ ପଡ଼ିବା ପରେ ଅମନ୍ ହକିମ୍ ଖାଁ ଓ ପ୍ରବୀଣ ଦୁବେ ୩୦ ରନ୍ ଯୋଡ଼ିଥିଲେ। ଅମନ୍ ଖାଁ ୧୮ ବଲ୍ରୁ ୧୬ ଓ ପ୍ରବୀଣ ଦୁବେ ୨୦ ବଲ୍ରୁ ୧୬ ରନ୍ କରିଥିଲେ। ହରପ୍ରୀତ ବ୍ରାର ୪ଟି ଏବଂ ନାଥାନ୍ ଏଲିସ୍ ଓ ରାହୁଲ ଚହର ୨ଟି ଲେଖାଏଁ ୱିକେଟ ନେଇଥିଲେ।
ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଫିଲ୍ଡିଂ ନେବା ପରେ ପ୍ରଭସିମ୍ରନ୍ ସିଂହ ପୂରା ଇନିଂସରେ ଏକା ଲଢ଼ିଥିଲେ। ପ୍ରଭସିମ୍ରନ୍ ଶତକ ହାସଲ କରିବା ସହ ୧୦୩ ରନ୍ କରିଥିବା ବେଳେ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ମିଶି ୪୮ ରନ୍ କରିଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ବୋଲର ନିୟମିତ ୱିକେଟ ନେଇ ପଞ୍ଜାବର ରନ୍ଗତି ଉପରେ ଅଙ୍କୁଶ ରଖିଥିଲେ। ୪୫ ରନ୍ରେ ପଞ୍ଜାବ ୩ଟି ୱିକେଟ ହରାଇଥିଲା। ଅଧିନାୟକ ଶିଖର ଧାୱନ ୭, ଇଂଲଣ୍ଡର ଲିଆମ୍ ଲିଭିଙ୍ଗ୍ଷ୍ଟୋନ୍ ୪ ଓ ଜିତେଶ ଶର୍ମା ୫ ରନ୍କରି ଆଉଟ୍ ହୋଇଥିଲେ। ୪ର୍ଥ ୱିକେଟ ପାଇଁ ପ୍ରଭସିମ୍ରନ୍ ସିଂହ ଓ ସାମ୍ କରନ୍ ୯ ଓଭରରୁ ୭୨ ରନ୍ ଯୋଗ କରିଥିଲେ। ଆଇପିଏଲ୍ର ସବୁଠାରୁ ଦାମୀ ଖେଳାଳି ଇଂଲଣ୍ଡର ସାମ୍ କରନ୍ ୨୪ ବଲ୍ରୁ ୨୦ ରନ୍ କରିଥିଲେ। ହରପ୍ରୀତ ବ୍ରାର ଓ ଏମ୍. ଶାହ୍ରୁଖ ଖାଁ ୨ ରନ୍ ଲେଖାଏଁ କରି ଆଉଟ୍ ହୋଇଥିଲେ। ସିକନ୍ଦର ରାଜା ୧୧ ରନ୍କରି ଅପରାଜିତ ରହିଥିଲେ। ପ୍ରଭସିମ୍ରନ୍ ସିଂହ ୬୫ ବଲ୍ରୁ ୬ଟି ଛକା ଓ ୧୦ଟି ଚୌକା ସହ ୧୦୩ ରନ୍ କରିଥିଲେ। ଈଶାନ୍ତ ଶର୍ମା ୨ଟି ୱିକେଟ ନେଇଥିବା ବେଳେ ୨ ସ୍ପିନର ଅକ୍ଷର ପଟେଲ ଓ ପ୍ରବୀଣ ଦୁବେ ଚମତ୍କାର ବୋଲିଂ କରିଥିଲେ। ପ୍ରଭସିମ୍ରନ୍ ସିଂହ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.