ପାକିସ୍ତାନୀ ପୁଲିସକୁ ପିଟିଲେ ଚୀନ ଶ୍ରମିକ

0

ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ୍‌ ମଧ୍ୟରେ ଉତ୍ତମ ସମ୍ପର୍କ ନେଇ ବିଶ୍ୱ ସମୁଦାୟ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିବାବେଳେ ଚୀନ୍‌ର ଦାଦାଗିରି ଦେଖିବାକୁ ମିଳିଛି। ପାକିସ୍ତାନୀ ପୁଲିସକୁ ଚୀନ୍‌ ଶ୍ରମିକ ମାଡ଼ ମାରିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି। ଚୀନର ଆର୍ଥିକ ସହାୟତାରେ ପାକିସ୍ତାନ ମାଟିରେ ବହୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏଥିରେ ଚୀନ ଶ୍ରମିକ ନିୟୋଜିତ ଅଛନ୍ତି। ଏମାନଙ୍କ ସୁରକ୍ଷା ନିମନ୍ତେ ପାକିସ୍ତାନ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବାହାବଳପୁର ଏବଂ ଫୈସଲାବାଦ ମଧ୍ୟରେ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ କିଛି ଚୀନ୍‌ ଶ୍ରମିକ ମଙ୍ଗଳବାର କାମ ସାରିବା ପରେ ସନ୍ଧ୍ୟାରେ ନିକଟସ୍ଥ ରେଡ୍‌ଲାଇଟ୍‌ ଅଞ୍ଚଳ (ଦେହଜୀବୀଙ୍କ ପେଣ୍ଠସ୍ଥଳ)କୁ ଯିବାକୁ ଚାହିଁଥିଲେ। ସଦଳବଳ ସେମାନେ ଉକ୍ତ ଅଞ୍ଚଳ ଆଡ଼କୁ ଯାଉଥିବା ସମୟରେ ସେଠାରେ ମୁତୟନ ଥିବା ପାକିସ୍ତାନୀ ପୁଲିସ ସେମାନଙ୍କୁ ରୋକିବାକୁ ଉଦ୍ୟମ କରିଥିଲେ। ବିନା ସୁରକ୍ଷାରେ ଏକାକୀ ଚୀନ୍‌ର କୌଣସି ଇଞ୍ଜିନିୟର ଅଥବା ଶ୍ରମିକ ବାହାରକୁ ଯାଇପାରିବେ ନାହିଁ ବୋଲି ପାକ୍‌ ପୁଲିସ କହିଥିଲେ; ମାତ୍ର ଏଥିରେ ଉତ୍‌କ୍ଷିପ୍ତ ହୋଇ ଚୀନର ବହୁ ସଂଖ୍ୟକ ଶ୍ରମିକ ମିଳିତ ଭାବେ ପାକ୍‌ ପୁଲିସ କର୍ମୀଙ୍କ ଉପରେ ଆକ୍ରମଣ ପୂର୍ବକ ମାରପିଟ କରିଥିଲେ। ଏମାନଙ୍କ ମଧ୍ୟରୁ କିଛି ପୁଲିସ ଗାଡ଼ି ଉପରେ ଛିଡ଼ା ହୋଇ ଆପତ୍ତିଜନକ ବ୍ୟବହାର କରିଥିଲେ। ଅନ୍ୟ କିଛି ଶ୍ରମିକ ସମ୍ପୃକ୍ତ ପାକ୍‌ ପୁଲିସ ଅଧିକାରୀମାନେ ରହୁଥିବା ଗୃହର ବିଦ୍ୟୁତ୍‌ ତାରକୁ କାଟି ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିଦେଇଥିଲେ। ଏପରିକି ଜଣେ ଶ୍ରମିକ ଏକ ଚଉକି ଉଠାଇ ପାକିସ୍ତାନୀ ପୁଲିସ ଅଧିକାରୀଙ୍କ ଉପରକୁ ଫିଙ୍ଗିଥିଲେ। ପାକ୍‌ ପୁଲିସ କୌଣସି ମତେ ପରିସ୍ଥିତି ନିୟନ୍ତ୍ରଣାଧୀନ କରିଥିଲା ବୋଲି ସ୍ଥାନୀୟ ଗଣମାଧ୍ୟମଗୁଡିକ ପ୍ରକାଶ କରିଛନ୍ତି। ଏହି ଘଟଣା ପରଦିନ ଚୀନ୍‌ ଶ୍ରମିକମାନେ ସେଠାରେ ନିର୍ମାଣ କାର୍ଯ୍ୟ ଅଧାରୁ ବନ୍ଦ କରିଦେଇଛନ୍ତି। ପାକିସ୍ତାନ ପୁଲିସ ସେମାନଙ୍କୁ ମାରପିଟ କରିଥିବା ଦର୍ଶାଇ ଚୀନ ସରକାରଙ୍କ ନିକଟକୁ ଚିଠି ଲେଖିଛନ୍ତି। ଚୀନ ଶ୍ରମିକଙ୍କର ଏଭଳି ଆଚରଣକୁ ପାକିସ୍ତାନ ସରକାରଙ୍କ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛ; କିନ୍ତୁ ଚୀନ୍‌ ସରକାର ଏହି ଘଟଣା ସମ୍ବନ୍ଧରେ କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହାନ୍ତି।

Leave A Reply