ଜାତିସଂଘରେ ପାକିସ୍ତାନକୁ ଭାରତର ଭର୍ତ୍ସନା
ନ୍ୟୁୟର୍କ: ଜାତିସଂଘର ମାନବାଧିକାର ପରିଷଦରେ ପାକିସ୍ତାନକୁ ଭର୍ତ୍ସନା କରିଛି ଭାରତ। ପାକିସ୍ତାନରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଭାରତ ତରଫରୁ ଏପରି ଭର୍ତ୍ସନା କରାଯାଇଛି। ଭାରତୀୟ ପ୍ରତିନିଧି ସୀମା ପୂଜାଣୀ କହିଥିଲେ ପାକିସ୍ତାନରେ ସଂଖ୍ୟାଲଘୁଙ୍କ ଉପରେ ବହୁ ଅତ୍ୟାଚାର ହେଉଛି। ଫଳରେ ସେମାନେ ଦୁଃଖକଷ୍ଟରେ ଜୀବନ ଅତିବାହିତ କରୁଛନ୍ତି। ସଂଖ୍ୟାଲଘୁମାନେ ପାକିସ୍ତାନରେ ଅସୁରକ୍ଷିତ ଥିବା ସେ ଅଭିଯୋଗ ଆଣିଥିଲେ। ଏଥିସହ ଜାତିସଂଘ ମାନବାଧିକାର ପରିଷଦରେ ଭାରତ ବିରୋଧରେ ପାକିସ୍ତାନ ମିଥ୍ୟା ଅଭିଯୋଗ ଆଣୁଥିବା ସେ ଦର୍ଶାଇଛନ୍ତି।
ସେହିପରି ପାକିସ୍ତାନରେ ଏକାଧିକ ଲୋକ ନିଖୋଜ ହୋଇଯାଉଥିବା ବେଳେ ସେମାନଙ୍କ ଖୋଜଖବର ମିଳୁନଥିବା ସୀମା କହିଥିଲେ। ଗତ ୧୦ ବର୍ଷ ମଧ୍ୟରେ ୮୪୬୩ଜଣ ନିଖୋଜ ହୋଇଥିବା ସମ୍ପର୍କରେ ସେଠାକାର ଏକ କମିଶନରେ ଅଭିଯୋଗ ହୋଇଥିବା ସୀମା କହିଥିଲେ। ବାଲୁଚିସ୍ତାନ ପ୍ରଦେଶରେ ଅଧିକ ସଂଖ୍ୟକ ଲୋକ ନିଖୋଜ ହେଉଥିବା ସେ ଦର୍ଶାଇଛନ୍ତି।
ପାକିସ୍ତାନରେ ଖ୍ରୀଷ୍ଟଧର୍ମାବଲମ୍ବୀ ମଧ୍ୟ ନିର୍ଯାତିତ ହେଉଥିବା ସୀମା କହିଥିଲେ। ପାକିସ୍ତାନରେ ଅଳ୍ପବୟସ୍କ ସଂଖ୍ୟାଲଘୁ ବାଳିକାଙ୍କ ବଳପୂର୍ବକ ଧର୍ମପରିବର୍ତ୍ତନ ସହ ବିବାହ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ।
ସେହିପରି ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟାର ଏକାଧିକ ଧର୍ମପୀଠକୁ ପାକିସ୍ତାନରେ ଭାଙ୍ଗି ଦିଆଯାଇଥିବା ସୀମା କରିବା ସହ ସେମାନଙ୍କୁ ସୁରକ୍ଷା ଦେବାକୁ ପାକିସ୍ତାନ ସରକାର କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ଆଣିଛନ୍ତି। ପାକିସ୍ତାନ ସରକାର ଆତଙ୍କବାଦକୁ ସୁରକ୍ଷା ପ୍ରଦାନ କରୁଥିବା ସେ ମତ ଦେବା ସହ ହାଫିଜ୍ ସଇଦ, ମାସୁଦ ଆଝାର ଭଳି ଆତଙ୍କବାଦୀ ଏହି ଦେଶରେ ଥିବା କହିଥିଲେ। ଓସାମା ବିନ୍ ଲାଡେନ୍ ଭଳି କୁଖ୍ୟାତ ଆତଙ୍କବାଦୀ ପାକିସ୍ତାନରେ ଥିଲା ବୋଲି ସୀମା ସୂଚାଇ ଦେଇଛନ୍ତି।
ପାକିସ୍ତାନର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ସେଠାକାର ଜନସାଧାରଣ କଷ୍ଟରେ ଜୀବନଯାପନ କରୁଥିବା ବେଳେ ସେମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପାକିସ୍ତାନ ଅଯଥାରେ ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ସୀମା କହିଥିଲେ।
Comments are closed.