ଗିଲଗିଟ୍‍-ବାଲ୍ଟିସ୍ତାନ ଆଦେଶକୁ ନେଇ ପାକିସ୍ତାନ ଉପଉଚ୍ଚାୟୁକ୍ତଙ୍କୁ ସମନ

0

ନୂଆଦିଲ୍ଲୀ : ପାକିସ୍ତାନ ଉପଉଚ୍ଚାୟୁକ୍ତ ସୟିଦ ହାଇଦର ଶାହଙ୍କୁ ଭାରତ ସରକାର ସମନ ଜାରି କରି ପାକିସ୍ତାନର ଗିଲଗିଟ୍‍-ବାଲ୍ଟିସ୍ତାନ ଆଦେଶକୁ ନେଇ ପ୍ରତିବାଦ ଜଣାଇଛନ୍ତି। ଗିଲଗିଟ୍‍-ବାଲ୍ଟିସ୍ତାନକୁ ପାକିସ୍ତାନ ବଳପୂର୍ବକ ଜବରଦଖଲ କରିଛି। ତେଣୁ ସେଠାରେ ଆଦେଶ ଜାରି କରି ସ୍ଥିତାବସ୍ଥାରେ ପରିବର୍ତ୍ତନ କରିବା ପାଇଁ ପାକିସ୍ତାନର କୌଣସି ଆଇନଗତ କ୍ଷମାନାହିଁ ବୋଲି ଭାରତ ପକ୍ଷରୁ କୁହାଯାଇଛି। କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ୧୯୪୭ ମିଶ୍ରଣ ପ୍ରସ୍ତାବ ଅନୁସାରେ ଗିଲଗିଟ୍‍-ବାଲ୍ଟିସ୍ତାନକୁ ମିଶାଇ ସମ୍ପୂର୍ଣ୍ଣ ଜାମ୍ମୁ ଏବଂ କାଶ୍ମୀର ଭାରତର ଏକ ଅଭିନ୍ନ ଅଂଶ। ଉଲ୍ଲେଖ ଯେ ମଇ ୨୧ରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ୍‍ ଖକାନ ଆବାସୀ ଗିଲଗିଟ୍‍-ବାଲ୍ଟିସ୍ତାନର ସ୍ଥାନୀୟ ପ୍ରଶାସନ ନିକଟରୁ କେତେକ ଅଧିକାରୀ ଅପସାରଣ କରିନେଇ ପାକିସ୍ତାନ ସରକାରଙ୍କୁ ସେହି ଅଧିକାର ଦେବା ପାଇଁ ଏକ ଆଦେଶ ଜାରି କରିଛନ୍ତି। ପାକିସ୍ତାନ ପକ୍ଷରୁ ଜାରି ଏହି ଆଦେଶକୁ କେତେକ ମାନବାଧିକାର ସଂଗଠନ ବିରୋଧ କରିଛନ୍ତି। ଏହାସହ ପାକିସ୍ତାନ ବଳପୂର୍ବକ ଦଖଲ କରି ରଖିଥିବା ଅଞ୍ଚଳଗୁଡ଼ିକର ସ୍ଥିତାବସ୍ଥାରେ କୌଣସି ପରିବର୍ତ୍ତନ କରିପାରିବ ନାହିଁ। ପାକିସ୍ତାନ ଅବୈଧ ଭାବେ ଦଖଲ କରି ରଖିଥିବା ଅଞ୍ଚଳରୁ ସେନା ପ୍ରତ୍ୟାହାର କରିନେବା ଉଚିତ୍‍ ବୋଲି ଭାରତ ପକ୍ଷରୁ କୁହାଯାଇଛି।

Leave A Reply