ପଦ୍ମପୁର ଉପନିର୍ବାଚନକୁ ନେଇ ଜିଲ୍ଲାପାଳ ଓ ଏସପିଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ
୧୫୨ଟି ସମ୍ବେଦନଶୀଳ ଏବଂ ୭୪ଟି ମାଓ ଉପଦ୍ରୁତ ବୁଥ୍, ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ କଣ୍ଟ୍ରୋଲ ରୁମ୍
ଡେସ୍କ : ବରଗଡ଼ ଜିଲ୍ଲା ପଦ୍ମପୁର ଉପନିର୍ବାଚନକୁ ସ୍ୱଚ୍ଛ ନିରପେକ୍ଷ ଭାବେ କରାଯିବା ନେଇ ଶନିବାର ବରଗଡ଼ ଏସ୍ପିଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କର ଏକ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜିଲ୍ଲା ପ୍ରଶାସନ ଏବଂ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି।
ନିର୍ବାଚନ ମଣ୍ଡଳୀରେ ସମୁଦାୟ ୩୧୯ଟି ବୁଥ୍ ଥିବାବେଳେ ଏଥିମଧ୍ୟରୁ ୧୫୨ଟି ସମ୍ବେଦନଶୀଳ ଏବଂ ୭୪ଟି ମାଓ ଉପଦ୍ରୁତ ବୁଥ୍ ରହିଛି। ଏହି ବୁଥ୍ ଗୁଡ଼ିକରେ ସିସିଟିଭି ଓ ଭିଡିଓ କ୍ୟାମେରାର ବ୍ୟବସ୍ଥା ରହିଛି । ତେବେ ଏହି ଅଞ୍ଚଳରେ ପୁଲିସ୍ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ୪ ପ୍ଲାଟୁନ୍
ସିଆର୍ପିଏଫ୍, ଗୋଟିଏ ପ୍ଲାଟୁନ୍ ଏସ୍ଓଜି ଏବଂ ଗୋଟିଏ ପ୍ଲାଟୁନ୍ ଡିଭିଏମ୍ ଟିମ୍କୁ ନିଯୁକ୍ତି କରାଯାଇଛି। ଆସନ୍ତା ୨୧ ତାରିଖରେ ଆଉ ୫ ପ୍ଲାଟୁନ୍ ସିଆରପିଏଫ୍ ଆସି ପହଁଞ୍ଚିବେ । ମାଓ ଉପଦ୍ରୁତ ଅଞ୍ଚଳ ଗୁଡ଼ିକରେ ୨୪ ଘଣ୍ଟିଆ ପେଟ୍ରୋଲିଂ, ବର୍ଡର ଚେକିଂ ପୋଷ୍ଟ ଗୁଡ଼ିକରେ ୨୪ ଘଣ୍ଟିଆ ଯାଞ୍ଚ ଚାଲିଥିବା ସୂଚନା ଦିଆଯାଇଛି। ଏହା ସହ ଜିଲ୍ଲା ପୁଲିସ୍ କାର୍ଯ୍ୟାଳୟରେ ଏକ କଣ୍ଟ୍ରୋଲ ରୁମ୍ ଉଦ୍ଘାଟନ କରାଯାଇଛି । ଏଥିରେ ମିଡିଆ ସାର୍ଟିଫିକେସନ୍, ଅପରାଧ ନିୟନ୍ତ୍ରଣକୁ ନିରୀକ୍ଷଣ କରାଯିବ ବୋଲି କୁହାଯାଇଛି । ଏଥିପାଇଁ ଦୁଇଟି ଟେଲିଫୋନ୍ ନମ୍ବର ସର୍ବସାଧାରଣଙ୍କ ପାଇଁ ଜାରି କରାଯାଇଛି। ଏହି ନମ୍ବର ହେଉଛି ୦୬୬୪୬-୨୩୦୦୫୦ ଏବଂ
୦୬୬୪୬-୨୩୪୪୮ ।
Comments are closed.