ପରଜଙ୍ଗ ବିଧାୟକଙ୍କୁ ବ୍ଲକ କାର୍ଯ୍ୟାଳୟରେ ବିରୋଧ

ପଞ୍ଚାୟତର ବିକାଶ କାର୍ଯ୍ୟକୁ ଚାପ ପକାଇ ବନ୍ଦ କରିବା ନେଇ ଅଭିଯୋଗ

କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡ ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରେ ସୋମବାର ପରଜଙ୍ଗ ବିଧାୟକ ନୃସିଂହ ଚରଣ ସାହୁଙ୍କୁ ଅଭିନଵ ଉପାୟରେ ବ୍ଲକର ପଞ୍ଚାୟତ ପ୍ରତିନିଧିମାନେ ବିରୋଧ କରିଛନ୍ତି । ସୋମବାର ବ୍ଲକ କାର୍ଯ୍ୟାଳୟର ସଭାଗୃହରେ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ଗୁଣ୍ଠିକିଆ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ନୃସିଂହ ସାହୁ ଯୋଗ ଦେବାକୁ ଆସିବା ବେଳେ,ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ମାନେ ଏକତ୍ରିତ ହୋଇ,ପୁଲିସ ଉପସ୍ଥିତିରେ ବିଧାୟକଙ୍କ ଗାଡ଼ି ସମ୍ମୁଖରେ ଶୋଇ  ପ୍ରତିବାଦ କରିଥିବା ବେଳେ, ହଜାରରୁ ଅଧିକ ପଞ୍ଚାୟତବାସୀ ଏକତ୍ରିତ ହୋଇ ନାରାବାଜି କରି ବିରୋଧ କରିଥିଲେ।
ପଞ୍ଚାୟତ ପ୍ରତିନିଧିଙ୍କ ଅଭିଯୋଗ ମୁତାବକ ପଞ୍ଚାୟତରେ ବିଭିନ୍ନ ଯୋଜନାରେ ହେବାକୁ ଥିବା ବିକାଶ କାର୍ଯ୍ୟକୁ ବିଧାୟକ ଶ୍ରୀ ସାହୁ ପ୍ରଶାସନିକ ଅଧିକାରୀଙ୍କୁ ଚାପ ପକାଇ ବନ୍ଦ କରାଇ ଦେଇଛନ୍ତି।ଯାହାକୁ ବିରୋଧ କରି ପୂର୍ବରୁ ପଞ୍ଚାୟତ ବୈଠକରେ ଅଭିଯୋଗ କରିଥିବା ବେଳେ, ବିଧାୟକ କର୍ଣ୍ଣପାତ କରୁନାହାନ୍ତି।ଣୁ ଯଦି ବିକାଶ କାର୍ଯ୍ୟକୁ ଚାପ ପକାଇ ବିଧାୟକ ବନ୍ଦ କରିଦେଇଛନ୍ତି, ତେବେ ଆଜି କେଉଁ ସ୍ୱାର୍ଥରେ ଏହି କାର୍ୟ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରାୟ ଅଧଘଣ୍ଟା ପରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳବେହେରାଙ୍କ ଅନୁରୋଧ ରକ୍ଷା କରି, ବିଧାୟକଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପଞ୍ଚୟତ ପ୍ରତିନିଧି ମାନେ ରାସ୍ତା ଛାଡି ଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ବସୋଈ ଓ ଜୟପୁରା ପଞ୍ଚାୟତର ମୋଟ ପଚାଶରୁ ଅଧିକ ଭୂମିହୀନଙ୍କୁ ବିଧାୟକ, ବ୍ଲକ ଅଧକ୍ଷ ଓ ପଞ୍ଚାୟତ ପ୍ରତିନିଧି ମିଳିତ ଭାବେ ପଟ୍ଟା ବଣ୍ଟନ କରିଥିଲେ। ତେବେ ବ୍ଲକର ପ୍ରାୟ ସମସ୍ତ ପଞ୍ଚାୟତରେ ବିକାଶ କାର୍ଯ୍ୟରେ  ସ୍ଥାନୀୟ ବିଧାୟକ, ରାଜନୈତିକ ଉଦେଶ୍ୟ ରଖି ବାଧକ ସାଜିବା ନେଇ, ବ୍ଲକରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Comments are closed.