ଗୋଟିଏ ଆସନରୁ ଜଣେ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତାକୁ ଇସିଙ୍କ ସମର୍ଥନ

0

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ଏବଂ ବିଧାନସଭା ନିର୍ବାଚନରେ ଜଣେ ପ୍ରାର୍ଥୀ ଏକାଧିକ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ବ୍ୟବସ୍ଥାକୁ ବିରୋଧ କରି ସୁପ୍ରିମକୋର୍ଟରେ ଦାୟର ଏକ ଆବେଦନକୁ ନିର୍ବାଚନ କମିସନ (ଇସି) ବୁଧବାର ସମର୍ଥନ କରିଛନ୍ତି। ଏକାଧିକ ଆସନରୁ ଜଣେ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା ଉପରେ କଟକଣା ଲାଗୁ କରାଯାଉ ବୋଲି ଇସି ଦର୍ଶାଇଛନ୍ତି। ନିର୍ବାଚନ ଆଚରଣ ନିୟନ୍ତ୍ରଣ କରୁଥିବା ଲୋକପ୍ରତିନିଧି ଆଇନ ଧାରା ୩୩(୭) ଉପରେ ପ୍ରଶ୍ନ ଉଠାଇ ଆଇନଜୀବୀ ତଥା ବିଜେପି ନେତା ଅଶ୍ୱିନୀ କୁମାର ଉପାଧ୍ୟାୟ ସର୍ବୋଚ୍ଚ ନ୍ୟାୟାଳୟରେ ଏହି ଆବେଦନ କରିଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୭ ଡିସେମ୍ବରରେ ଇସି ଏବଂ କେନ୍ଦ୍ର ସରକାରଙ୍କ ମତାମତ ଲୋଡ଼ିଥିଲେ। ଏ ନେଇ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ନିକଟରେ ଇସି ବୁଧବାର ଏକ ସତ୍ୟପାଠ ଦାଖଲ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏଯାବତ୍‌ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିନାହାନ୍ତି। ଅବଶ୍ୟ ଶୁଣାଣି ବେଳେ ଆଟର୍ଣ୍ଣି ଜେନେରାଲ କେ.କେ. ବେଣୁଗୋପାଳ କୋର୍ଟରେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଖଣ୍ଡପୀଠଙ୍କୁ ଜଣାଇଥିଲେ। କେନ୍ଦ୍ର ସରକାରଙ୍କ ମତ ସମ୍ବଳିତ ସତ୍ୟପାଠ ଦାଖଲ କରିବାକୁ ବେଣୁଗୋପାଳ ନ୍ୟାୟାଧିଶଙ୍କୁ ଅଧିକ ସମୟ ମାଗିଥିଲେ। ଏହାକୁ ଗୁରୁତ୍ୱ ଦେଇ ଖଣ୍ଡପୀଠ ମାମଲାର ଶୁଣାଣି ୬ ସପ୍ତାହ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି।
ପ୍ରଚଳିତ ଆଇନକୁ ଭିତ୍ତି କରି ନିର୍ବାଚନରେ ନିଶ୍ଚିତ ବିଜୟ ହାସଲ ଉଦ୍ଦେଶ୍ୟରେ ବିଭିନ୍ନ ରାଜନୈତିକ ଦଳ ନିଜର ବରିଷ୍ଠ ନେତାମାନଙ୍କୁ ଦୁଇଟି ଭିନ୍ନଭିନ୍ନ ଆସନରୁ ପ୍ରାର୍ଥୀ କରାଇ ଥାଆନ୍ତି। ସମ୍ପୃକ୍ତ ପ୍ରାର୍ଥୀ ଏକାଧିକ ଆସନରେ ଜିତିବା ପରେ ନିୟମ ଅନୁଯାୟୀ ଗୋଟିଏ ଆସନର ସାଂସଦ ପଦ ବଜାୟ ରଖି ଅନ୍ୟଟିିକୁ ଖାଲି କରିଥାଆନ୍ତି। ଏହାଦ୍ୱାରା ସାଧାରଣ ନିର୍ବାଚନ ପରେ ପୁନଃ ଉପନିର୍ବାଚନ କରାଇବାକୁ ପଡିଥାଏ। ସ୍ୱୟଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ସଦ୍ୟତମ ଉଦାହାରଣ। ୨୦୧୪ ଲୋକସଭା ନିର୍ବାଚନରେ ମୋଦି ଗୁଜରାଟର ଭଦୋଦରା ଏବଂ ଉତ୍ତରପ୍ରଦେଶର ବାରାଣସୀ ଆସନରୁ ନିର୍ବାଚନ ଲଢିଥିଲେ। ଉଭୟ ଆସନରେ ଜିତିବା ପରେ ସେ ଭଦୋଦରା ଆସନ ଖାଲି କରିଦେଇଥିଲେ। ଫଳରେ ତିନି ମାସ ପରେ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏହି ବ୍ୟବସ୍ଥାର ଉଚ୍ଛେଦ ନିମନ୍ତେ ଲୋକପ୍ରତିନିଧି ଆଇନରେ ସଂଶୋଧନ କରାଯିବା ଉଚିତ ବୋଲି ଇସି ସୁପ୍ରିମକୋର୍ଟରେ ଦାଖଲ କରିଥିବା ନିଜ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ସତ୍ୟପାଠରେ ଦର୍ଶାଯାଇଛି, ଜଣେ ପ୍ରାର୍ଥୀଙ୍କୁ ଏକାଧିକ ଆସନରେ ଲଢିବାର ସୁଯୋଗ ଦେଇ ଅନାବଶ୍ୟକ ଭାବେ ରାଜସ୍ୱ ହାନି କରାଯାଉଛି। ଏଥିସହ ଇସ୍ତଫା କାରଣରୁ ଖାଲି ପଡୁଥିବା ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହିତ ବିଜୟୀ ପ୍ରାର୍ଥୀ ବାସ୍ତବରେ ଅନ୍ୟାୟ କରୁଛନ୍ତି। ଏହି ପ୍ରସଙ୍ଗରେ ପୂର୍ବରୁ ୨୦୦୪ ଏବଂ ୨୦୧୬ରେ ଦୁଇଥର କେନ୍ଦ୍ର ସରକାରଙ୍କ ନିକଟରେ ଇସି ନିଜ ମତ ଉପସ୍ଥାପନ କରିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି ପ୍ରସଙ୍ଗରେ ଆଇନ ଆୟୋଗ ମଧ୍ୟ ଇସିଙ୍କୁ ସମର୍ଥନ ଜଣାଇଛନ୍ତି। ନିର୍ବାଚନୀ ସଂସ୍କାର ସମ୍ବନ୍ଧୀୟ ୨୫୫ତମ ରିପୋର୍ଟରେ ଆୟୋଗ ଏହି ବ୍ୟବସ୍ଥାକୁ ଅନାବଶ୍ୟକ ବୋଲି ଉଲ୍ଲେଖ କରିଥିଲେ। ଏକାଧିକ ଆସନରୁ ଜଣେ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱୀତାକୁ ବାରଣ କରାଯିବା ଦରକାର ନାହିଁ ବୋଲି ଯଦି ସୁପ୍ରିମକୋର୍ଟ କୁହନ୍ତି; ସେଭଳି କ୍ଷେତ୍ରରେ ଲୋକପ୍ରତିନିଧି ଆଇନରେ ସଂଶୋଧନ ପୂର୍ବକ ଆସନ ଖାଲି କରିଥିବା ବିଜୟୀ ପ୍ରାର୍ଥୀ ଉପନିର୍ବାଚନ ଲାଗି ସମସ୍ତ ଅର୍ଥ ବ୍ୟୟ କରିବାର ନିୟମ ହେବା ଉଚିତ ବୋଲି ଆଇନ ଆୟୋଗ ପ୍ରସ୍ତାବ ଦେଇଥିବା ଇସି ତାଙ୍କ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।

Leave A Reply