ଘର ବାରିପଟ କୂଅରେ ପଡ଼ି ଜଣେ ମୃତ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ କଙ୍କଲା ଗ୍ରାମରେ ନିଜ ଘର ପଛ କୁଅରେ ପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜନକ କଙ୍କଲା ଗ୍ରାମର କ୍ଷେତ୍ରବାସୀ ପ୍ରଧାନ । ସୂଚନା ଅନୁଯାୟୀ ଗୁରୁବାର କଙ୍କଲା ଗ୍ରାମର କ୍ଷେତ୍ରବାସୀ ପ୍ରଧାନ ଶ୍ରମିକ କାମ ସାରି ସନ୍ଧ୍ୟା ସମୟରେ ଘରକୁ ଆସିଥିଲେ ଏବଂ ଘର ବାରିପଟରେ ଥିବା କୂଅ ପାକକୁ ଗାଧୋଇବାକୁ ଯାଇଥିଲେ। ସେହି ସମୟରେ କ୍ଷେତ୍ରବାସୀଙ୍କ ଗୋଡ ଖସି ଯିବାରୁ ସେ କୁଅରେ ପଡ଼ିଯାଇଥିଲେ । ପରିବାର ଲୋକେ  କୂଅରେ ପଡ଼ିଥିବା ଦେଖି ଗ୍ରାମବାସୀଙ୍କୁ ଉଦ୍ଧାର କରିବା ପାଇଁ ଡାକିଥିଲେ । ଗ୍ରାମବାସୀଙ୍କ ଚେଷ୍ଟା ସତ୍ତ୍ଵେ ତାଙ୍କୁ ଉଦ୍ଧାର କରାଯାଇ ପାରିନଥିଲା । ପରେ ଏ ନେଇ ଚାରିଛକ ଅଗ୍ନିଶମ ବାହୀନିଙ୍କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି କୂଅ ଭିତରୁ କ୍ଷେତ୍ରବାସୀଙ୍କୁ ଉଦ୍ଧାର କରି ପୁରୁଣା କଟକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଘଟଣା ସ୍ଥଳରେ ହରଭଙ୍ଗା ପୁଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। କ୍ଷେତ୍ରବାସୀ ଜଣେ ଦିନ ମଜୁରୀଆ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

Comments are closed.