ଭୁବନେଶ୍ବର : ସ୍ଥାନୀୟ ଭୁବନେଶ୍ୱର ଜୟଦେବ ଭବନଠାରେ ଓଡ଼ିଶା ସିନେ ୱାର୍କର୍ସ ଆସୋସିଏସନର ୧୦ମ ସିନେ ଆୱାର୍ଡ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁମ୍ବାଇ ସିନେ ୱାର୍କର୍ସ ଆସୋସିଏସନର ସଭାପତି ସୁରେଶ ଶ୍ୟାମଲାଲ ଗୁପ୍ତା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସିନେ କଳାକାର ଅଶ୍ରୁମୋଚନ ମହାନ୍ତି, ସଂଘର ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ର, ଡଃ ରଜନୀ ରଞ୍ଜନ, ପ୍ରଶାନ୍ତ ପାଢ଼ୀ, ପୁଷ୍ପା ପଣ୍ଡା, ପିଙ୍କି ପ୍ରଧାନ, ଡଃ ବନ୍ଦନା ହରିଚନ୍ଦନ, ସଭାପତି ବବି ମିଶ୍ର ମିଶ୍ର, ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଓ ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ଯୋଗଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଓଡିଶାର ବିଭିନ୍ନ କୋଣରୁ ଆସିଥିବା ୧୦୦ ଜଣ କଳାକାରଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା ।
ଆଗାମୀ ଓଡ଼ିଆ ଚଳଚ୍ଚିତ୍ର ରେବତୀ ଓ ଦୁର୍ଗାର ପ୍ରଯୋଜକ ତଥା କଳାକାରଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ବିଭିନ୍ନ କୋଣରୁ ଆସିଥିବା କଳାକାରମାନେ ପାରମ୍ପରିକ କଳା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ତଥା ଅତିଥିମାନଙ୍କୁ ଆନନ୍ଦିତ କରିଥିଲେ । ପ୍ରଯୋଜକ ରମେଶ ବାରିକ, ପ୍ରିତମ, ଅଭିନେତ୍ରୀ ଶୀତଲ ପାତ୍ର, ଅନନ୍ୟା, ଶକ୍ତି ବରାଳ, ଅଭିଷେକ ଗିରି, ଉପସ୍ଥାପକ କେପି ପ୍ରମୁଖ ଉତ୍ସବରେ ସମ୍ମାନ ପ୍ରଦାନ କରାଯାଇଥିଲା । ଉତ୍ସବ ସଫଳ ହେବା ପାଇଁ ସହଯୋଗର ହାତ ବଢ଼ାଇଥିବା ପୁରୁଷୋତ୍ତମ ସାହୁଙ୍କୁ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।
ମୁମ୍ବାଇରୁ ଆସିଥିବା ସଭାପତି ଓଡ଼ିଆ ସିନେ ଶ୍ରମିକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ଯେ ଆଗାମୀ ବର୍ଷ ମାନଙ୍କରେ ବଲିଉଡରେ ଓଲିଉଡ଼ କଳାକାରଙ୍କ ସ୍ୱତନ୍ତ୍ର ପରିଚୟ ନିଶ୍ଚିତ ଭାବେ ସୃଷ୍ଟି ହେବ। ଶେଷରେ ପିଙ୍କି ପ୍ରଧାନ ଅଭିଭାଷଣରେ ଖୁବ ସୁନ୍ଦର କଥା ଦୁଇ ପଦ କହିଥିଲେ । ଶ୍ୟାମ ପ୍ରସାଦ ମିଶ୍ର, ପ୍ରଣୟ ଜେଠୀଙ୍କ ଅଭିଭାଷଣରେ ଦର୍ଶକ ଢେର ଉତ୍ସାହିତ ହୋଇଥିଲେ। ଶେଷରେ ସାଧାରଣ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।



