କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର କ୍ରିକାଲପାଡୁ ଗ୍ରାମର ଦିବ୍ୟାଙ୍ଗ ସାରକା ସିନ୍ଧୁ ଟଙ୍କା ଉଠାଣ ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ଦିବ୍ୟାଙ୍ଗ ସାରକା ସିନ୍ଧୁକୁ ୨୦୨୫ ଆର୍ଥିକ ବର୍ଷରେ ଅନ୍ତୋରଦୟ ଯୋଜନାରେ ଆବାସଗୃହ ନିର୍ମାଣ କରିବା ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଖୋଲିଥିବା ଜମା ଖାତାକୁ ପ୍ରଥମ କିସ୍ତିରେ ୪୦ ହଜାର ଟଙ୍କା ଆସିଥିଲା। ଘର କାର୍ଯ୍ୟ କରିବା ପାଇଁ ଟଙ୍କା ଆବଶ୍ୟକ ପଡିବାରୁ ଜୁନ ମାସରେ ଶିକରପାଇ ଜନସେବା କେନ୍ଦ୍ରରୁ ଟିପ ମାରି ଦଶ ହଜାର ଟଙ୍କା ଉଠାଇ ଥିଲେ। ଉକ୍ତ ଟଙ୍କା ଉଠାଇବାରୁ ଜନସେବା ବାବୁ ଜଣକ ଏକ ଶହ ଟଙ୍କା କମିଶନ ନେଇଥିଲେ।
ପୁଣି ଟଙ୍କା ଆବଶ୍ୟକ ପଡିବାରୁ ଜନସେବା କେନ୍ଦ୍ରରେ ଟଙ୍କା ଉଠାଇଲେ କମିଶନ ନେଇ ଯାଉଥିବାରୁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ବଳକା ତିରିଶ ହଜାର ଟଙ୍କା ଉଠାଇବା ପାଇଁ ଯାଇଥିଲେ। ସାରକା ସିନ୍ଧୁକୁ କେତେ ଟଙ୍କା ଉଠାଇବୁ ବୋଲି ଶାଖା ଅଧିକାରୀ ଜଣକ ପଚାରି ବୁଝିଥିଲେ। କିନ୍ତୁ ସିନ୍ଧୁ କାନକୁ ଶୁଣା ଯାଉନି କି ପାଟି ଫିଟୁନାହିଁ ତେଣୁ ସେ କିପରି କେତେ ଟଙ୍କା ଉଠାଇବେ ବୋଲି କହିପାରିଲେ ନାହିଁ। ଏହାକୁ ନେଇ ବିଡ଼ିଓଙ୍କ ଠାରୁ ଲିଖିତ ଆଣିବା ପରେ ଟଙ୍କା ଦିଆଯିବ ବୋଲି ବ୍ୟାଙ୍କ ପରିଚାଳକ କହିଥିବା ସମ୍ପକୀୟ ଭାଇ ପୂର୍ବତନ ସରପଞ୍ଚ ସାରକା ସାରାବୁ କହିଛନ୍ତି। ଉକ୍ତ ବିଷୟ ନେଇ ବିଡ଼ିଓ ମନୀଷା ଦାସଙ୍କୁ ସାକ୍ଷାତ କରି ଗୁହାରି ଜଣାଇବା ପାଇଁ ଆସିଥିଲେ। କିନ୍ତୁ ସେ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ରହିଥିବାରୁ ସାମାଜିକ ସୁରକ୍ଷା ଅଧିକାରୀ ବିଶ୍ୱଜିତ ସିଂ ସାମନ୍ତରାଙ୍କ ସହ ସାକ୍ଷାତ କରି ସମସ୍ୟା ବିଷୟରେ ବୁଝି ଶାଖା ପରିଚାଳଙ୍କ ସହ ଆଲୋଚନା କରି ସମାଧାନ କରିଥିବା କହିଥିଲେ।



