ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ଜିଲାସ୍ତରୀୟ ସମାରୋହ
କେନ୍ଦୁଝରଗଡ଼଼: ଯକ୍ଷ୍ମା ଦୂରୀକରଣ ନିମନ୍ତେ ଏକ ସାମଗ୍ରିକ ସହଯୋଗର ଆବଶ୍ୟକତା ରହିଛି। ଦେଶର ସମସ୍ତ କ୍ଷେତ୍ରରେ ଏହା ଏକ ଜନ ଆନ୍ଦୋଳନର ରୂପ ନେବା ସହିତ ଦେଶକୁ ଟିକି ମୁଲ କରିବାର ଲକ୍ଷ୍ୟ ପଥରେ ସମସ୍ତେ କାର୍ଯ୍ୟ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରସାଦ ନଡ୍ଡା ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଉପଲକ୍ଷେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଜିଲାସ୍ତରୀୟ ସମାରୋହରେ ଲୋକସଭା ସଦସ୍ୟ ଅନନ୍ତ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ସମ୍ପୂର୍ଣ୍ଣ ଯକ୍ଷ୍ମା ମୁକ୍ତ ଭାରତ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୫ ସୁଦ୍ଧା ଟିବିକୁ ଦେଶରୁ ଦୂରେଇବା ପାଇଁ ଅଭିଯାନରେ ସାମିଲ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଲକ୍ଷ୍ୟ ଓ ସଂକଳ୍ପକୁ ନେଇ ଯକ୍ଷ୍ମା ଦୂରୀକରଣ ଯୋଜନାରେ ସମସ୍ତଙ୍କ ସହଭାଗିତା ପାଇଁ ସାଂସଦ ଶ୍ରୀ ନାୟକ କାମନା କରିବା ସହିତ ଯକ୍ଷ୍ମାମୁକ୍ତ କେନ୍ଦୁଝର ପାଇଁ ହାତକୁ ହାତ ମିଶାଇ ଏହି ଅଭିଯାନକୁ ସଫଳ କରିବାକୁ ଶ୍ରୀ ନାୟକ ଆହ୍ୱାନ ଦେଇଛନ୍ତି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ଓ ତେଲକୋଇ ବିଧାୟକ ଡାକ୍ତର ଫକୀର ମୋହନ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ୧୦ଜଣଙ୍କୁ ପୁଷ୍ଟିଯୁକ୍ତ ଖାଦ୍ୟ ବାସ୍କେଟ, ଡିଏମଏଫ୍ ପକ୍ଷରୁ ୩ଜଣଙ୍କୁ ‘ନି-କ୍ଷୟ ମିତ୍ର’ ସମ୍ମାନ, ୩ଜଣ ଯକ୍ଷ୍ମା ବିଜୟୀଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ। ଜିଲାପାଳ ବିଶାଲ ସିଂହ ପ୍ରାରମ୍ଭରେ ସ୍ୱାଗତଭାଷଣ ପ୍ରଦାନ ଅବସରରେ ଯକ୍ଷ୍ମା ରୋଗର ମୂଳୋତ୍ପାଟନ ପାଇଁ ଏକ ୧୦୦ ଦିନିଆ ଯକ୍ଷ୍ମା ଦୂରୀକରଣ ଅଭିଯାନ ଆରମ୍ଭ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ।ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଚଳିତମାସ ଡିସେମ୍ବର ୨ତାରିଖ ୨୦୨୪ରୁ ମାର୍ଚ୍ଚ ୨୪ତାରିଖ ୨୦୨୫ମସିହା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କହିଥିଲେ। ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଡ. କେ.କେ.ତ୍ରିପାଠୀ ଯୋଗଦେଇ ୨୦ବର୍ଷରୁ ଊର୍ଦ୍ଧ୍ବ୍ୱ ବୟସର ବ୍ୟକ୍ତି, ଅପପୁଷ୍ଟିର ଶିକାର ବ୍ୟକ୍ତି, ମଧୁମେୟ ରୋଗୀ, ଏଚ୍ଆଇଭି ସଂକ୍ରମିତ, ନିୟମିତ ଧୂମପାନ ଓ ମଦ୍ୟପାନ କରୁଥିବା ବ୍ୟକ୍ତି ପୂର୍ବରୁ ଯକ୍ଷ୍ମା ରୋଗରେ ପୀଡିତ ଥିବା ବ୍ୟକ୍ତି ଓ ଯକ୍ଷ୍ମାରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ପରୀକ୍ଷା କରାଯିବ ବୋଲି କହିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି ଯୋଗଦେଇ ଏହି ୧୦୦ ଦିନ ମଧ୍ୟରେ କେନ୍ଦୁଝର ଜିଲାରେ ୫ଲକ୍ଷ ୮୦ହଜାର ୭ଜଣ ବ୍ୟକ୍ତିଙ୍କ ପରୀକ୍ଷା କରିଥିବା ଲକ୍ଷ୍ୟ ରଖାଯାଇଛି ବୋଲି କହିଥିଲେ। ଯକ୍ଷ୍ମା ରୋଗର ଲକ୍ଷଣ ଥିବା ବ୍ୟକ୍ତିଙ୍କ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ ବୋଲି ଡାକ୍ତର ଶ୍ରୀ ପୃଷ୍ଟି କହିଥିଲେ। ଜିଲାର ୩୦ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ପରୀକ୍ଷାର ସୁବିଧା ଉପଲବ୍ଧ ରହିଛି। ଲକ୍ଷଣ ନଥିବା ବ୍ୟକ୍ତିଙ୍କ ପାଇଁ ଏକ୍ସରେ ମାଧ୍ୟମରେ ପରୀକ୍ଷା କରାଯିବ, ଯାହାକି ଜିଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ଚିକିତ୍ସାଳୟ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମିଶାଇ ମୋଟ ୬ଟି ସ୍ଥାନରେ ଏହି ଏକ୍ସରେ କରାଯିବା ସହିତ ସାମାଜିକଭିତ୍ତିରେ ବଲାଣୀର ସେଲ୍ ଚିକିତ୍ସାଳୟ, ଯୋଡାର ଟିସ୍ଖୋ ହସପିଟାଲ୍ ଏବଂ ଆପୋଲା ଗ୍ରୁପ୍ ତରଫରୁ ଏକ ମୋବାଇଲ ଭ୍ୟାନ ମାଧ୍ୟମରେ ଏହାର ପରୀକ୍ଷା ବ୍ୟବସ୍ଥା ରହିଛି। କେନ୍ଦୁଝର ଜିଲାରେ ଯକ୍ଷ୍ମାର ମୂଳୋତ୍ପାଟନ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପ୍ରତି ମାସ ୨୮୫ଟି ଉପକେନ୍ଦ୍ରରେ ‘ନି-କ୍ଷୟ’ ଶିବିର ଅନୁଷ୍ଠିତ ହେଉଛି। ଜିଲାରେ ଥିବା ୨୬ଟି ମୋବାଇଲ ହେଲ୍ଥ ଟିମ୍, ୧୦ଟି ମୋବାଇଲ ୟୁନିଟ, ୧୩ଟି ମୋବାଇଲ ମେଡିକାଲ ୟୁନିଟ ଜିଲାର ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡିକେନ୍ଦ୍ର ଓ ଗୋଷ୍ଠୀକୁ ଯାଇ ଯକ୍ଷ୍ମାର ପରୀକ୍ଷା କରୁଛନ୍ତି। ଯକ୍ଷ୍ମା ରୋଗ ସମ୍ପର୍କରେ ଜନସଚେତନତା ଉଦ୍ଦେଶ୍ୟରେ ୪ଟି ସଚେତନତା ରଥ ବିଭିନ୍ନ ସ୍ଥାନକୁ ଯାଇ ଜନସାଧାରଣଙ୍କୁ ସଚେତନ କରିବା ସହିତ ଲିଫ୍ଲେଟ୍ ମାଧ୍ୟମରେ ସଚେତନ କରାଯାଉଛି। ଚିକିତ୍ସିତ ହେଉଥିବା ସମସ୍ତ ଯକ୍ଷ୍ମା (ଟିଟି) ରୋଗୀଙ୍କୁ ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) କେନ୍ଦୁଝର ପୋଷ୍ୟ ଭାବେ ଗ୍ରହଣ କରିଛି। ଏହି କାର୍ଯ୍ୟକ୍ରମର ଅଂଶସ୍ୱରୂପ ସମସ୍ତ ଚିକିତ୍ସାଧନ ଯକ୍ଷ୍ମାରୋଗୀଙ୍କୁ ଡିଏମ୍ଏଫ ତରଫରୁ ପୁଷ୍ଟିସାର ଖାଦ୍ୟ ପ୍ରଦାନ କରାଯାଉଛି। କେନ୍ଦୁଝର ଜିଲା ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନରେ ସାମିଲ ହୋଇଛି। ବର୍ତ୍ତମାନ ଜିଲାରେ ୨୧୭୫ ଜଣ ଯକ୍ଷ୍ମାରୋଗୀ ଚିକିତ୍ସିତ ହେଉଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ସମସ୍ତ ଯକ୍ଷ୍ମାରୋଗୀଙ୍କୁ ପ୍ରତି ମାସ ପୁଷ୍ଟିଯୁକ୍ତ ଖାଦ୍ୟ ପାଇଁ ମାସିକ ୧୦୦୦ ଟଙ୍କା ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବା ସହିତ ଜନଜାତି ବ୍ୟକ୍ତିଙ୍କୁ ଅଧିକ ୭୫୦ଟଙ୍କା ପ୍ରଦାନ କରାଯାଉଛି। ଯକ୍ଷ୍ମା ରୋଗରୁ ମୁକ୍ତ ହୋଇଥିବା ୪୨ଜଣଙ୍କୁ ମାସିକ ୩୫୦୦ଟଙ୍କା ପାରିତୋଷିକରେ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି। ଶେଷରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.