ଉପାନ୍ତ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବକୁ ସୁନିଶ୍ଚିତ କରୁଛି ପ୍ରସବ ଜାନ

ଫୁଲବାଣୀ: ଦୂର୍ଗମ ଅଞ୍ଚଳରେ ଆନୁଷ୍ଠାନିକ ପ୍ରସବକୁ ସୁରକ୍ଷିତ କରିବା ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ କାର୍ୟ୍ୟକ୍ରମ ଚାଲୁଛି। କନ୍ଧମାଳ ଜିଲ୍ଲାରେ ଏମିତି ବହୁତ ଦୁର୍ଗମ ଓ ଉପାନ୍ତ ଅଞ୍ଚଳ ଅଛି ଯାହାକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରୁ ବହୁତ ଦୂର ଏବଂ ଆନୁଷ୍ଠାନିକ ପ୍ରସବ ନିମନ୍ତେ ବହୁ ଅସୁବିଧାରେ ସମ୍ମୁଖିନ ହେବାକୁ ପଡୁଛି। ଯାହା ଫଳରେ ଗର୍ଭବତୀଙ୍କ ଠାରୁ ଆରମ୍ଭ କରି ଦୂର୍ଘଟଣାରେ ଗୁରୁତର ବ୍ୟକ୍ତି ମଧ୍ୟ ଅସୁବିଧାରେ ସମ୍ମୁଖିନ ହେବା ସହ ପ୍ରାଣ ହରାଉଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ଅପହଞ୍ଚ ଗ୍ରାମ ପଞ୍ଚାୟତରେ ସମସ୍ତ ପ୍ରସବକୁ ଆନୁଷ୍ଠାନିକ କରିବା ସହ ସୁରକ୍ଷିତ କରିବା ନିମନ୍ତେ ୨୦୧୮ ମସିହାରୁ ପ୍ରସବ ଜାନର ବ୍ୟବସ୍ଥା କରାଯାଇଛି। ଆଜି ପର୍ୟ୍ୟନ୍ତ ଏହି ସେବା ଜାରି ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିମନ୍ତେ ଏହା ବେଶ ସହାୟକ ହେଉଥିବା ପରିଲକ୍ଷିତ ହେଉଛି। ଜିଲ୍ଲାର ବିଭିନ୍ନ ଉପାନ୍ତ ଅଞ୍ଚଳ ଭଳି ଫିରିଙ୍ଗିଆ ବ୍ଲକରେ ମଧ୍ୟ ଏହି ପ୍ରସବ ଜାନ ଉପଲବ୍ଧ ଅଛି। ସାଡିଙ୍ଗିଆ, ସୁମରବନ୍ଧ, ପାଙ୍ଗା ଉପରସାହି, ଜାଜେସପାଙ୍ଗା, ଭୃଙ୍ଗିଯୋଡି, ଡିମିରିଗୁଡା, ନୁଆପଦର, ତଳଦଣ୍ଡିକିଆ ଭଳି ଉପାନ୍ତ ଗ୍ରାମ ଗୁଡିକରେ ଏହି ପ୍ରସବ ଜାନ ଗର୍ଭବତୀଙ୍କୁ ଜରୁରୀକାଳିନ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ମୂଖ୍ୟଭୂମିକା ତୁଲାଉଛି। ଏହି ଦୂର୍ଗମ ଓ ଅପହଞ୍ଚ ଇଲାକା ଗୁଡିକରେ ଗର୍ଭବତୀଙ୍କର ପ୍ରସବ ବେଦନା ଆରମ୍ଭ ହେବା ମାତ୍ରେ ସ୍ଥାନୀୟ ଆଶା କର୍ମୀଙ୍କ ମାଧ୍ୟମରେ ଖବର ପାଇବା କ୍ଷଣି ପ୍ରସବ ଜାନ ପହଞ୍ଚୁଛି ଏବଂ ରୋଗିଙ୍କୁ ଧରି ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଉଛି। ଯଦି ଆବଶ୍ୟକ ହୁଏ ତେବେ ଏହି ଗାଡିରେ ତୁରନ୍ତ ପ୍ରସବ କରିବା ନିମନ୍ତେ ମଧ୍ୟ ବ୍ୟବସ୍ଥା ରଖାଯାଇଛି। ଏହାର ସଫଳ ଉପଲବ୍ଧତାକୁ ଅନୁଧ୍ୟାନ କରି ପରବର୍ତୀ ସମୟରେ ୨୦୨୨ ଅକ୍ଟୋବର ମାସରେ ତୁମୁଡିବନ୍ଧର ବେଲଘର, କ. ନୂଆଗାଁ ର ଗୁଞିବାଡି ଓ ରାଇକିଆର ଇନ୍ଦ୍ରଗଡ ଠାରେ ମଧ୍ୟ ଆଉ ୩ ଗୋଟି ପ୍ରସବ ଜାନ ପରିଚାଳିତ କରାଗଲା। ଜିଲ୍ଲାରେ ୨୦୧୮ ମସିହାରୁ ଜିଲ୍ଲାପ୍ରଶାସନ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ସେବା ମାଧ୍ୟମରେ ଫିରିଙ୍ଗିଆ ବ୍ଲକରୁ ୧୯୧୦ ଜଣ ତୁମୁଡିବନ୍ଧ ବ୍ଲକରୁ ୩୧୬ ଜଣ, କ.ନୂଆଗାଁ ବ୍ଲକରୁ ୪୭୧ ଜଣ ଓ ରାଇକିଆ ବ୍ଲକରୁ ୨୧୮ ଜଣ ଗର୍ଭବତୀଙ୍କୁ ପ୍ରସବ କାଳୀନ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଥିବା କଥା ସ୍ୱାତୀ ଅନୁଷ୍ଠାନ ର ସଂପାଦକ ହରି ଶଙ୍କର ରାଉତ ସୂଚନା ଦେଇଥିଲେ। ଏହାଦ୍ୱାରା ବିଶେଶ କରି ଗର୍ଭବତୀ, ପ୍ରସୁତୀ, ନବଜାତ ଶିଶୁ ଓ ଦୂର୍ଘଟଣାରେ ଗୁରୁତର ବ୍ୟକ୍ତି ମାନେ ଉପକୃତ ହେଉଥିବା ଜଣାପଡିଛି। ପ୍ରସବ ଜାନ ଗୁଡିକୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ସହ ଯୋଡାଯାଇଛି ଯାହାକି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପାଇବାରେ ସୁବିଧା ହେଉଛି। ଏହି ପ୍ରସବ ଜାନକୁ ପରିଚାଳନା କରିବା ପାଇଁ ଦୁଇଜଣ ଡ୍ରାଇଭର ନିଯୁକ୍ତି ହୋଇଥିବା ବେଳେ ଗର୍ଭବତୀ ମାନଙ୍କୁ ସେବା ଯୋଗାଇବା ପାଇଁ ଦୁଇଜଣ ଆଟେଣ୍ଡାନ୍ଟ ଓ ତିନିଜଣ ଷ୍ଟାପନର୍ଶଙ୍କୁ ରଖାଯିବାର ବ୍ୟବସ୍ଥା କରାଯାଇଛି। ପାହାଡ ଜଙ୍ଗଲ ଘେରା କନ୍ଧମାଳ ଜିଲ୍ଲାରେ ଏହିଭଳି ପ୍ରସବ ଜାନର ସେବା ବ୍ୟବସ୍ଥାକୁ ସାଧାରଣରେ ପ୍ରଶଂଶା କରାଯାଉଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକରେ ମଧ୍ୟ କାର୍ୟ୍ୟକାରୀ କରିବା ନିମନ୍ତେ ଦାବି ହେଉଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.