ଆଠଗଡ଼ ଉପଖଣ୍ଡବାସୀ ଦ୍ରୂତଗାମୀ ରେଳସେବାରୁ ବଞ୍ଚିତ

ଗୁରୁଡ଼ିଝାଟିଆ: ଜିଲ୍ଲାର ସର୍ବବୃହତ ଉପଖଣ୍ଡ ଭାବେ ପରିଚିତ ଆଠଗଡ଼। ଏହାର ଗୌରବଜ୍ୱଳ ସଂସ୍କୃତି, ପର୍ଯ୍ୟଟନ ,ଆଧ୍ୟାତ୍ମିକତା ଯେପରି ସୁଉଜ୍ୱଳ ମାନବସମ୍ବଳ ଦେଶ ବିଦେଶରେ ନିଜର କୃତିତ୍ୱ ପ୍ରତିପାଦିତ କରିଛନ୍ତି। ଏକାଧିକ ବୃହତ, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ପ୍ରତିଷ୍ଠାନ ଉପଖଣ୍ଡରେ ଗଢି ଉଠିଅଛି। ଏହା ସାଙ୍ଗକୁ ପ୍ରସିଦ୍ଧ ମାଣିଆବନ୍ଧ, ନୂଅପାଟଣା ବାନ୍ଧ ପାଟଶାଢୀ ଏବଂ ମାଣିଆବନ୍ଧ ବୌଦ୍ଧ ଧର୍ମ ପାଇଁ ବେଶ ସୁନାମ ଅର୍ଜନ କରିଛି। ଧବଳେଶ୍ୱର, ମା ଭଟ୍ଟାରିକା, ସିଂହନାଥ, ଦେଓଝର ଜଳପ୍ରପାତ ଓ ଅଂଶୁପା ପ୍ରକୃତି ଉଦ୍ୟାନ ଓ ହ୍ରଦ ଅବସ୍ଥିତ। ଉପଖଣ୍ଡର ଆଠଗଡ଼, ତିଗିରିଆ, ବଡମ୍ବା ଓ ନରସିଂହପୁରର ବହୁ ବିଦ୍ୟାର୍ଥୀ ପ୍ରଶାସକ ଓ ବିଶିଷ୍ଟ ବ୍ୟକ୍ତି ଦେଶର ବିଭିନ୍ନ ପ୍ରାନ୍ତରେ ଅବସ୍ଥାନ କରୁଛନ୍ତି। ହେଲେ ଘୋର ପରିତାପର ବିଷୟ ଆଠଗଡ଼ ଉପଖଣ୍ଡ ଠାରୁ ୧୦ କିମିରେ ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନ ରହିଥିଲେ ମଧ୍ୟ ଏଠାରେ କୌଣସି ଦ୍ରୁତଗାମୀ ରେଳ ରହୁନଥିବାରୁ ଉପଖଣ୍ଡର ଜନସାଧାରଣ ବାଧ୍ୟ ହୋଇ ୫୦ରୁ ୭୦ କିମି ଦୂର କଟକ, ଭୁବନେଶ୍ୱର ରେଳଷ୍ଟେସନ ଉପରେ ନିର୍ଭରଶୀଳ ହୋଇଥାନ୍ତି। ଏହି ରେଳଷ୍ଟେସନରେ କେଳବ ଅନୁଗୁଳ-ପୁରୀ ଓ ଖଡଗପୁର-ଖୋର୍ଦ୍ଦା ପାସେଞ୍ଜର ରହିଥାଏ କିନ୍ତୁ ଅମୃତସର-ବିଶାଖାପାଟଣା, ବିକାନୀର-ପୁରୀ, ଆଜମିର-ପୁରୀ, ସୁରଟ-ପୁରୀ, ଅହମଦାବାଦ-ପୁରୀ, ଗାନ୍ଧିଧାମ-ପୁରୀ, ଶିରିଡିସାଇ-ପୁରୀ, ଭୂବନେଶ୍ୱର-ନୂଆଦିଲ୍ଲୀ, ଭଲସାଦ-ପୁରୀ ଓ ସୋନପୁର-ପୁରୀ ଆଦି ଦ୍ରୁତଗାମୀ ରେଳ ଯାତାୟାତ କରୁଅଛି। କୌଣସ ଦ୍ରୁତଗାମୀ ରେଳ ଏଠାରେ ନରହିବା ଫଳରେ ଉପଖଣ୍ଡର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରେଳଷ୍ଟେସନ ନିକଟରେ ଏକାଧିକ ଶିଳ୍ପ ପ୍ରତିଷ୍ଠାନ, ଗୋପବନ୍ଧୁ ଚିକିତ୍ସାଳୟ ଓ ସେବିକା ମହାବିଦ୍ୟାଳୟ ମଧ୍ୟ ରହିଛି। ଉପଖଣ୍ଡ ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଏହି ଷ୍ଟେସନରେ ଦ୍ରୁତଗାମୀ ରେଳ ରହିବା ସଂପର୍କରେ ଏକାଧିକବାର ବିଭାଗୀୟ ଉଚ୍ଚ ପଦାଧିକାରୀ ଓ ରେଳମନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ତାହା ଏକପ୍ରକାର ଶୀତଳ ଭଣ୍ଡାରରେ ରହିଛି।

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Comments are closed.