ଅତାବିରାରେ ଓଡ଼ିଶାର ରାଜ୍ୟପାଳ

ରେଙ୍ଗାଲିକ୍ୟାମ୍ପ: ରାଜ୍ୟପାଳ ରଘୁବର ଦାସ ଆଜି ଅତାବିରା ଗସ୍ତରେ ଆସି ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ରହିଥିବା ଯୋଜନା ଓ ସହାୟତା ବିଷୟରେ ସୂଚନା ଦେଇଥିଲେ। ଏହା ସହିତ ଧାନ କିଣାରେ ନିୟୋଜିତ ଥିବା ଅତାବିରା ମା ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ତାଙ୍କର ରୋଜଗାର, ସଦସ୍ୟ ସଂଖ୍ୟା, ବଜାର ବ୍ୟବସ୍ଥା ଓ ଲାଭାଂଶ ବିଷୟରେ ପଚାରି ବୁଝିବା ସହ ଉପସ୍ଥିତ ଥିବା ବୁଗବୁଗାର ନାରାୟଣୀ ଏସ ଏସ ଜି, ନୂଆପଡାର ରାଧାରାଣୀ ଏସ ଏସ ଜି,ଅମଳିପାଲି ବିରଜା ଏସ ଏସ ଜି, କାଦୋବାହାଲ ଚମ୍ପେଶ୍ୱରୀ ଏସ ଏସ ଜି, ଲରମ୍ଭା ମା ମାହେଶ୍ୱରୀ ଏସ ଏସ ଜି ସଦସ୍ୟାଙ୍କ ସହ ଆଲୋଚନା କରିଥିଲେ। ଏସ ଏସ ଜି ମାନେ ରାଜ୍ୟପାଳ ଦେଇଥିବା ଆହ୍ୱାନକୁ ବିଧିବଦ୍ଧ ଭାବେ ପାଳନ କରି କାର୍ଯ୍ୟରେ ପରିଣତ କରିବାକୁ ଶପଥ ନେବାସହ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଏସ ଏସ ଜିଙ୍କୁ ସାମିଲ କରି ରୋଜଗାର ଯୋଗାଉଥିବାର ପ୍ରକାଶ କରିଥିଲେ। ଏହାପରେ ଚାଷୀଙ୍କ ୯ ଦଫା ଦାବି ସମ୍ବିଳିତ ଲିଖିତ ଦାବିପତ୍ରକୁ ଓଡିଶା ରାଜ୍ୟ କୃଷକ ସଙ୍ଗଠନ ଅତାବିରା ବ୍ଳକ ସଭାପତି ବିରେନ କରଙ୍କ ନେତୃତ୍ୱରେ ସଦସ୍ୟ ମାନେ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ପ୍ରଦାନ କରିଥିଲେ। ଉପ ଜିଲ୍ଲାପାଳ କୁମାର ନାଗଭୂଷଣ, ପିଡି ଆଦିତ୍ୟ ଗୋଏଲ, ଅତିରିକ୍ତ ଏସପି ତପନ ମହାନ୍ତି ଏସ୍ଡିପିଓ ପଦାରବିନ୍ଦ ତ୍ରିପାଠୀ ସମେତ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଳକ ସ୍ତରୀୟ ଅଧିକାରୀ, କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.