ଓଡ଼ିଶା ଇଲେକ୍ସନ ୱାଚ ରିପୋର୍ଟ : ନବୀନ, କନକ, ନବ ସବୁଠୁ ଧନୀ

-ବିଧାନସଭା ଦ୍ବିତୀୟ ପର୍ଯ୍ୟାୟ ତାଲିକାରେ ୭୦କୋଟିପତି ପ୍ରାର୍ଥୀ
-୮୪ପ୍ରାର୍ଥୀଙ୍କ ନାମରେ ରହିଛି ଅପରାଧ
-୬୮ଜଣଙ୍କ ନାମରେ ଗୁରୁତର ମାମଲା
-୭୦ଜଣ କୋଟିପତି ପ୍ରାର୍ଥୀ, ଦୁଇ ପ୍ରାର୍ଥୀଙ୍କ ସମ୍ପତ୍ତି ଶୂନ୍
-୫୦ପ୍ରତିଶତ ପ୍ରାର୍ଥୀ ସ୍ନାତକ, ୪୬ଭାଗ ପଞ୍ଚମରୁ ଦ୍ବାଦଶ

ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବା ୨୪୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୭୦ଜଣ ହେଉଛନ୍ତି କୋଟିପତି। ସେମାନଙ୍କ ମଧ୍ୟରୁ ୧୩ଜଣଙ୍କ ସମ୍ପତ୍ତି ୫କୋଟିରୁ ଅଧିକ ହୋଇଥିବାବେଳେ ୨୪ଜଣଙ୍କ ସମ୍ପତ୍ତି ୨ରୁ ୫କୋଟି ଏବଂ ୬୧ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫୦ଲକ୍ଷରୁ ୨କୋଟି ମଧ୍ୟରେ। ପ୍ରାୟ ୮୨ଜଣ ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୧୦ଲକ୍ଷରୁ କମ୍। ବିଜେଡ଼ିରେ ସର୍ବାଧିକ ୨୧, ବିଜେପିରେ ୨୦, କଂଗ୍ରେସରେ ୧୩, ଆପରେ ଜଣେ କୋଟିପତି ପ୍ରାର୍ଥୀ ଅଛନ୍ତି।
ଏକାଦିକ୍ରମେ ଦୁଇଟି ବିଧାନସଭା ଆସନ ହିଞ୍ଜିଳି ଓ ବିଜେପୁର ଆସନରୁ ଲଢ଼ୁଥିବା ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଉଛନ୍ତି ସବୁଠୁ ଧନୀ ପ୍ରାର୍ଥୀ। ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୬୩କୋଟି ୮୭ଲକ୍ଷ ଟଙ୍କାରୁ ଅଧିକ। ଦ୍ବିତୀୟ ଧନୀ ପ୍ରାର୍ଥୀ ତାଲିକାରେ ଥିବା ପାଟନାଗଡ଼ର ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେଓଙ୍କ ସମ୍ପତ୍ତିର ମୂଲ୍ୟ ୩୭କୋଟିରୁ ଅଧିକ ହୋଇଥିବାବେଳେ ତୃତୀୟ ଧନୀ ପ୍ରାର୍ଥୀ ଝାରସୁଗୁଡ଼ାର ବିଜେଡ଼ି ବିଧାୟକ ନବ ଦାସଙ୍କ ସମ୍ପତ୍ତିର ମୂଲ୍ୟ ୩୩କୋଟି ୬୧ଲକ୍ଷ ଟଙ୍କାରୁ ଅଧିକ। ନାମାଙ୍କନପତ୍ର ଦାଖଲ ସମୟରେ ସେମାନଙ୍କ ସତ୍ୟପାଠରୁ ଏହା ଜଣାପଡ଼ିଛି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଓ ୩୫ଟି ବିଧାନସଭା ପାଇଁ ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ୩୫ଟି ବିଧାନସଭା ଆସନ ପାଇଁ ମୋଟ ୨୪୪ଜଣ ପ୍ରାର୍ଥୀ ମଇଦାନରେ ଅଛନ୍ତି। ଓଡ଼ିଶା ଇଲେକ୍ସନ ୱାଚ ଏବଂ ଆସୋସିଏସନ ଫର ଡ଼େମୋକ୍ରାଟିକ ରିଫର୍ମସ(ଏଡ଼ିଆର) ପକ୍ଷରୁ ନାମାଙ୍କନପତ୍ର ଦାଖଲ କରିଥିବା ୨୪୪ ପ୍ରାର୍ଥୀଙ୍କ ଭିତରୁ ୨୪୧ଜଣଙ୍କ ସତ୍ୟପାଠରେ ଉଲ୍ଲେଖ ଥିବା ଅପରାଧ ପୃଷ୍ଠଭୂମି, ଆର୍ଥିକ ଓ ଶିକ୍ଷାଗତ ଯୋଗ୍ୟତା ତଥା ଅନ୍ୟାନ୍ୟ ତଥ୍ୟର ବିଶ୍ଳେଷଣ କରାଯାଇଥିଲା।
ପ୍ରାର୍ଥୀଙ୍କ ଭିତରୁ ୮୪ଜଣ(୩୫%)ଙ୍କ ନାମରେ ଫୌଜଦାରୀ ମାମଲା ଥିବାବେଳେ ପ୍ରାୟ ୬୮ଜଣ(୨୮%)ଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି। ପ୍ରାର୍ଥୀଙ୍କ ଭିତରୁ ୭୦ଜଣ(୨୯%) କୋଟିପତି ଥିବାବେଳେ ପ୍ରାର୍ଥୀ ପିଛା ହାରାହାରି ସମ୍ପତ୍ତିର ମୂଲ୍ୟ ହେଉଛି ୧.୯୩କୋଟି ଟଙ୍କା।
ଏଥିରୁ ଜଣାପଡ଼ିଛି ଯେ ୨୦୦୯ ଓ ୨୦୧୪ ନିର୍ବାଚନ ତୁଳନାରେ ଅପରାଧ ମାମଲା ଥିବା ପ୍ରାର୍ଥୀଙ୍କ ସଂଖ୍ୟା କ୍ରମଶଃ ବଢ଼ିବାରେ ଲାଗିଛି। ୨୦୧୪ରେ ୨୩ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧ ମାମଲା ଥିଲା। ହେଲେ ଚଳିତ ଥର ପ୍ରଥମ ପର୍ଯ୍ୟାରେ ୨୯ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ୩୫ପ୍ରତିଶତ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଛି। ବିଜେପିର ୩୫ପ୍ରାର୍ଥୀଙ୍କ ଭିତରୁ ୨୧, କଂଗ୍ରେସର ୩୨ପ୍ରାର୍ଥୀଙ୍କ ମଧ୍ୟରୁ ‌୧୭, ବିଜେଡ଼ିର ୩୫ପ୍ରାର୍ଥୀଙ୍କ ମଧ୍ୟରୁ ୧୩ ଏବଂ ବିଏସପିର ୨୩ଜଣଙ୍କ ମଧ୍ୟରୁ ୪ଜଣଙ୍କ ନାମରେ ଅପରାଧ ମାମଲା ଥିବା ସେମାନେ ତାଙ୍କ ସତ୍ୟପାଠରେ ଘୋଷଣା କରିଛନ୍ତି। ତେବେ ବିଜେପିର ୧୮, କଂଗ୍ରେସର ୧୦ ଓ ବିଜେଡ଼ିର ୧୧ ଏବଂ ବିଏସପିର ୪ଜଣଙ୍କ ନାମରେ ଗୁରୁତର ଅପରାଧ ମାମଲା ରହିଛି। ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩ ବା ଅଧିକ ପ୍ରାର୍ଥୀଙ୍କ ବିରୋଧରେ ଅପରାଧିକ ମାମଲା ଥିବାରୁ ଏସବୁକୁ ରେଡ଼ ଆଲର୍ଟ ନିର୍ବାଚନମଣ୍ଡଳୀ କୁହାଯାଉଛି। ଦୁଇ ସ୍ବାଧୀନ ପ୍ରାର୍ଥୀ ଫୁଲବାଣୀର ଅନନ୍ତ କହଁର ଏବଂ ଭଞ୍ଜନଗରର ବିରେନ୍ଦ୍ରକୁମାର ଗୌଡ଼ଙ୍କ ସମ୍ପତ୍ତି ଶୂନ ବୋଲି ସତ୍ୟପାଠରେ ଦର୍ଶାଯାଇଛି। ତେବେ ଦଳ ହିସାବରେ ଭଟ୍ଟଲିରୁ ପ୍ରତିଦ୍ବନ୍ଦ୍ବିତା କରୁଥିବା ବିଏସପି ପ୍ରାର୍ଥୀ ନାରାୟଣ ବେଶ୍ରାଙ୍କ ସମ୍ପତ୍ତି ସବୁଠୁ କମ୍ ୮,୦୪୪ଟଙ୍କା। ମୋଟ ୧୩୪ଜଣ ପ୍ରାର୍ଥୀ ଋଣଗ୍ରସ୍ତ ଥିବାବେଳେ ବିଧାୟକ ନବ ଦାସଙ୍କ ଉପରେ ସବୁଠୁ ଅଧିକ ପ୍ରାୟ ୨୧କୋଟି ଟଙ୍କା ଋଣଭାର ଥିବା ଜଣାପଡ଼ିଛି।
ସେହିପରି ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡ଼ିର ନବ ଦାସଙ୍କ ଆୟ ସବୁଠୁ ଅଧିକ ପ୍ରାୟ ୧ କୋଟି ୯୮ଲକ୍ଷରୁ ଅଧିକ ଥିବାବେଳେ ଦ୍ବିତୀୟରେ ଅଛନ୍ତି ବିଜେପିର ପୀତାମ୍ବର ଆଚାର୍ଯ୍ୟ। ତାଙ୍କର ଆୟ ୬୦ଲକ୍ଷରୁ ଅଧିକ। ସେହିପରି ତୃତୀୟରେ ଅଛନ୍ତି ଶାନ୍ତିପ୍ରକାଶ ସୋରେଙ୍ଗ ଯାହାଙ୍କ ଆୟ ହେଉଛି ୫୬ଲକ୍ଷ ଟଙ୍କା। ପ୍ରାୟ ୧୯ଜଣ ପ୍ରାର୍ଥୀ ସେମାନଙ୍କ ପାନକାର୍ଡ଼ ଦାଖଲ କରିନାହାନ୍ତି। ସମୁଦାୟ ୨୪୧ ପ୍ରାର୍ଥୀଙ୍କ ଭିତରୁ ୨୫ଜଣ ହେଉଛନ୍ତି ମହିଳା ଏବଂ ୨୧୬ଜଣ ହେଉଛନ୍ତି ପୁରୁଷ।

Comments are closed.