www.samajalive.in
Monday, December 8, 2025
16.1 C
Bhubaneswar

ଆନ୍ଧ୍ରରେ ମିଶିବାକୁ ଲାଉଗୁଡା ଗ୍ରାମବାସୀଙ୍କ ଚେତାବନୀ

ଗୁଣପୁର: ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଗତକିଛି ମାସ ହେଲା ଲାଗି ରହିଛି ସୀମା ବିବାଦ। ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ ପୁଣି ମୁଣ୍ଡ ଟେକିଛି ଆଉ ଏକ ସମସ୍ୟା। ସର୍ବ ନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରି ଆନ୍ଧ୍ର ମୁହାଁ ହେବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ଗ୍ରାମବାସୀ। ଗାଁ ଚାରି ପାର୍ଶ୍ବରେ ଓଡ଼ିଶା ଜମି ଆନ୍ଧ୍ର ଜମିଦାରଙ୍କ କବଜାରେ ରହିଛି। ସ୍ଥାନୀୟ ଲୋକ କେବଳ ଉକ୍ତ ଜମିରେ କୁଲି କାମ କରିବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ। ଏଭଳି ସ୍ଥିତି ଦେଖିବାକୁ ମିଳିଛି ରାୟଗଡା ଜିଲା ରାମନାଗୁଡା ତହସିଲ ଅନ୍ତର୍ଗତ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଲାଉଗୁଡା ଗ୍ରାମରେ।

ରାୟଗଡା ଜିଲା ରାମନାଗୁଡା ତହସିଲ ଅନ୍ତର୍ଗତ ଓଡିଶା-ଆନ୍ଧ୍ର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ ଲାଉଗୁଡା ଗ୍ରାମ। ଉକ୍ତ ଗ୍ରାମରେ ବସବାସ କରୁଛନ୍ତି ୪୦ରୁ ଉର୍ଦ୍ଧ୍ବ ଆଦିବାସୀ ସମ୍ପ୍ରଦାୟର ଲୋକ। ଗ୍ରାମର ଅଧିକାଂଶ ଲୋକ ଦିନମଜୁରିଆ ସାଙ୍ଗକୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଜୀବନ ବିତାଉଛନ୍ତି। ତେବେ ଏହି ଗ୍ରାମରେ ରହିଛି ଅନେକ ସମସ୍ୟା। ଦୀର୍ଘ ବର୍ଷ ଧରି ଗାଁକୁ ପକ୍କା ରାସ୍ତା ନ ଥିବାରୁ ଲୋକଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ସେମାନଙ୍କ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀଠାରୁ ଆରମ୍ଭ କରି ସମସ୍ତ ପ୍ରକାଶ ସେବା ପାଇଁ ଗ୍ରାମ ଠାରୁ ୨କିମି ଦୂରତ୍ୱରେ ଅବସ୍ଥିତ ଆନ୍ଧ୍ରର ଏକ ଗ୍ରାମ ଉପରେ ନିର୍ଭର କରନ୍ତି। ଆବାସ ଯୋଜନାରେ ଘରଟିଏ ପାଇବାକୁ ହେଲେ ବାରମ୍ବାର ଆବେଦନ କରିବା ସତ୍ତ୍ବେ ନିରାଶ ହେବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହିଭଳି ସ୍ଥିତିରେ ଗାଁକୁ ଲାଗିଥିବା ଓଡିଶାର ଶହେରୁ ଉର୍ଦ୍ଧ୍ବ ଚାଷଜମିକୁ ଆନ୍ଧ୍ରର କିଛି ଲୋକ ନିଜ ଅକ୍ତିଆରରେ ରଖିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ରାଜ୍ୟର କିଛି ଜିଲ୍ଲାରେ ସୀମା ବିବାଦ ଦେଖାଦେବା ପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି। ସୀମାନ୍ତ ଅଞ୍ଚଳରେ ନିଜର ସୀମା ନିର୍ଦ୍ଦାରଣ କରି ସୀମା ସୂଚନା ଫଳକ ନିର୍ମାଣ କରିଛି। ତେବେ କିଛି ଦିନତଳେ ଲାଉଗୁଡା ଗ୍ରାମ ନିକଟସ୍ଥ ଆନ୍ଧ୍ର-ଓଡିଶା ସୀମାନ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ନିର୍ମାଣ କରାଯାଇଥିବା ସୂଚନା ଫଳକକୁ ମଧ୍ୟ କେହି ଦୁର୍ବୃତ୍ତ ଭାଙ୍ଗି ଦେବାପରେ ପ୍ରଶାସନ ପକ୍ଷରୁ ପୁନଃ ସୂଚନା ଫଳକ ନିର୍ମାଣ କାର୍ଯ୍ୟ ଚାଲୁ ରଖିଛି। ତେବେ ଗାଁରେ ପ୍ରାଥମିକ ଶିକ୍ଷା ନିମନ୍ତେ ସ୍କୁଲ ବନ୍ଦ ରହିଛି। ସ୍ୱାସ୍ଥ୍ୟ ପାଇଁ ଆନ୍ଧ୍ର ହିଁ ଏକମାତ୍ର ଭରସା। ପକ୍କା ରାସ୍ତା ନଥିବାରୁ ଜରୁରୀ ସମୟରେ ଯାତାୟତ ସମସ୍ୟା ସୃଷ୍ଟି ହେଉଛି। ଏଭଳି ବିବିଧ ସମସ୍ୟାରେ ଜର୍ଜ୍ଜରିତ ଏହି ଗ୍ରାମବାସୀ ଆଉ ଓଡିଶାରେ ରହିବାକୁ ପସନ୍ଦ ନକରି ଆନ୍ଧ୍ରରେ ମିଶିବାକୁ ଆଗଭର ହେଉଛନ୍ତି। ଏପରିକି ଆନ୍ଧ୍ର ସରକାରଙ୍କ ସୁବିଧା ହାତେଇବା ଉଦ୍ଦ୍ୟେଶରେ କିଛି ଲୋକ ଓଡିଶାରେ ରହିମଧ୍ୟ ଆନ୍ଧ୍ରର ଆଧାରା କାର୍ଡ, ରେସନ କାର୍ଡ ହାତେଇଥିବା ଜଣାପଡିଛି।

- Advertisement -

ଏହି ଗ୍ରାମକୁ ଓଡିଶା ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦିଆଯାଇଛି। କିନ୍ତୁ ସେମାନଙ୍କ ଗ୍ରାମକୁ ଲାଗିରହିଥିବା ୧୦୦ରୁ ଉର୍ଦ୍ଧ୍ବ ଚାଷଜମି ଆନ୍ଧ୍ର ଲୋକ ନିଜ ଅକ୍ତିଆରରେ ରଖିଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆମ ଜମି କିନ୍ତୁ ଭୋଗ ଆନ୍ଧ୍ରଲୋକଙ୍କର। ଏଭଳି ଦଶନ୍ଧି ଦଶନ୍ଧି ଧରି ଆନ୍ଧ୍ର ଜମିଦାର କବଜାରେ ଥିବାବେଳେ ଲାଉଗୁଡା ଗ୍ରାମରେ ଜଣେ ମାତ୍ର ଲୋକଙ୍କୁ ଚାଷଜମି ନାହିଁ। ଏସବୁ ସମସ୍ୟା ଦୃଷ୍ଟିକୋଣରୁ ଲାଉଗୁଡା ଗ୍ରାମବାସୀ ଆନ୍ଧ୍ରରେ ମିଶିବାକୁ ମନସ୍ଥ କରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ଗୋଗୁପାଡୁ ପଞ୍ଚାୟତ ସରପଞ୍ଚ ବିଜୟ ମାଣ୍ଡାଙ୍ଗୀ। ତେବେ ସୀମାନ୍ତବର୍ତ୍ତୀ ଲାଉଗୁଡା ଗ୍ରାମବାସୀଙ୍କ ସମସ୍ୟାର ଅନ୍ତ ହେବ କେବେ। ଏଥିପ୍ରତି ପ୍ରଶାସନର କେବେ ଶୁଭ ଦୃଷ୍ଟି ପଡିବ ତାହା ଦେଖିବାକୁ ବାକି ରହିଲା।।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories