ପ୍ରଦର୍ଶିତ ହେଲା ଦେବୀ ଦୁର୍ଗା ଓ ନାରୀ ଶକ୍ତି ଉପରେ ଆଧାରିତ ୫୦ଟି ଚିତ୍ରକଳା

ଓଡ଼ିଶା ଲଳିତ କଳା ଏକାଡ଼େମୀ ଦ୍ବାରା ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ’ ଉଦ୍‌ଘାଟିତ

ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ଅବସରରେ ସବୁଠି ଉତ୍ସବ ମୁଖର। ଏହି ଅବସରରେ ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନୀଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ‘ଦେବୀ ‘ ଉଦ୍‌ଘାଟିତ ହୋଇଯାଇଛି। ପ୍ରଦର୍ଶନୀକୁ ବରିଷ୍ଠ ନାରୀ ଶିଳ୍ପୀ ଜ୍ୟୋତିମୟୀମାହନ୍ତି, ବରିଷ୍ଠ ଚିତ୍ରଶିଳ୍ପୀ ବିନୋଦ ମହାରଣା, ଏକାଡେମୀର ସଭାପତି ତଥା ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପ୍ରମୁଖ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦ୍‌ଘାଟନ କରିଥିଲେ। ଦଶହରା ଅବସରରେ ଦେବୀ ଦୁର୍ଗା, ନାରୀ ଶକ୍ତି ଏବଂ ନାରୀ ମନସ୍ତତ୍ଵକୁ ନେଇ ପ୍ରଦର୍ଶିତ ଚିତ୍ରଗୁଡିକ ଦର୍ଶକଙ୍କୁ ପ୍ରଭାବିତ କରିବା ସହିତ ସମାଜକୁ ଏକ ସୁବାର୍ତ୍ତା ଦେଇପାରିବ ବୋଲି ଅତ୍ତିଥି ମାନେ ମତ ପ୍ରକାଶ କରିଥିଲେ।

prayash

ପ୍ରାରମ୍ଭରେ ଏକାଡ଼େମୀର ସଚିବ ପଞ୍ଚାନନ ସାମଲ ଅତ୍ତିଥି ପରିଚୟ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତ୍ତିଥିଙ୍କୁ ସ୍ଵାଗତ କରିଥିଲେ। ଉକ୍ତ ପ୍ରଦର୍ଶନୀରେ ଏକାଡେମୀ ଦ୍ଵାରା ସଂରକ୍ଷିତ ଦେବୀ ଦୁର୍ଗା ଓ ନାରୀ ଶକ୍ତି ଉପରେ ଆଧାରିତ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ୫୦ ଟି ସୃଜନଶୀଳ ଚିତ୍ରକଳା ପ୍ରଦର୍ଶିତ ହୋଇଅଛି। ଏହି ପ୍ରଦର୍ଶନୀ ଅକ୍ଟୋବର ୨୭ ତାରିଖ ପର୍ୟ୍ୟନ୍ତ ପ୍ରତ୍ୟେକ ଦିନ ୧୧ଟାରୁ ସଂନ୍ଧ୍ୟା ୭ଟା ପର୍ୟ୍ୟନ୍ତ ସାଧାରଣ ଦର୍ଶକ ପାଇଁ ଖୋଲା ରହିବ । ପ୍ରଦର୍ଶନୀ ଅବସରରେ ବରିଷ୍ଠ ଚିତ୍ର ଶିଳ୍ପୀ ଚନ୍ଦ୍ରଶେଖର ମହାରଣା, ଅଶୋକ ପଟ୍ଟନାୟକ ,ଜୟଶ୍ରୀ ଜେନା, ରବୀନ୍ଦ୍ର କୁମାର ମହାରଣା, ନରୋତ୍ତମ ଦାସ ପ୍ରମୁଖ ଶିଳ୍ପୀ ଓ ଅନେକ କଳା ପ୍ରେମୀ ମାନେ ପ୍ରଦର୍ଶନୀକୁ ବୁଲି ଦେଖିଥିଲେ।

Comments are closed.