ସୁଆଣ୍ଡୋ/ସାକ୍ଷୀଗୋପାଳ: ପୁରୀ ଜିଲା ସତ୍ୟବାଦୀରେ ରାଜ୍ୟ ସରକାରଙ୍କ ନିର୍ମାଣଧୀନ ଓଡ଼ିଆ ବିଶ୍ୱବିଦ୍ୟାଳୟର ନୂତନ କୋଠା ଚଳିତ ମାସ ୨୪ ତାରିଖ ୧୧.୩୦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଲୋକାର୍ପଣ କରିବେ। ପଞ୍ଚସଖା ଖେଳ ପଡିଆରେ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ। ଆଭାସୀ ମାଧ୍ୟମରେରେ ଏହି ଉଦଘାଟନ ଅନୁଷ୍ଠିତ କରାଯିବ ବୋଲି ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ସୂଚନା ଦେଇଛନ୍ତି।
ଆଜି ସାକ୍ଷୀଗୋପାଳ କଲେଜ ପରିସରରେ ଏକ ପ୍ରସ୍ତୁତି ବୈଠକ ଉଚ୍ଚଶିକ୍ଷା ବିଭାଗ ନିର୍ଦେଶକ ଭବାନୀ ଶଙ୍କର ଚଇନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଆସନ୍ତା୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ ବୋଲି ବୈଠକରେ ଉଚ୍ଚଶିକ୍ଷା ନିର୍ଦେଶକ କହିଛନ୍ତି। ୨୦୧୯ ମସିହା ଅକ୍ଟୋବର ୯ ତାରିଖରେ ମୁଖ୍ନ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଥିଲେ । ପ୍ରାୟ ୯ ଏକର ଜାଗାରେ ଏହି ଐତିହାସିକ ଓଡିଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରାଯାଇଛି ବୋଲି ସେ ପ୍ରକାଶ କରିଥିଲେ। ଏହି ପ୍ରସ୍ତୁତି ବୈଠକରେ କୁଳପତି ପ୍ରଫେସର ସବିତା ପ୍ରଧାନ , ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ, କୁଳସଚିବ ରଶ୍ମିରେଖା ଦାସ, ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟର ଅଧ୍ୟକ୍ଷ ସତ୍ୟଶିବ ସୁନ୍ଦର ମିଶ୍ର, ରାଜ୍ୟ ପର୍ଯ୍ୟଟନ ବିଭାଗ ଡିଜିଏମ ପ୍ରିୟସ ଚକ୍ରବର୍ତ୍ତୀ, ପୁରୀ ପରିବହନ ଅଧିକାରୀ ବିପିନ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ଅତିରିକ୍ତ ତହସିଲଦାର ପ୍ରିୟଦର୍ଶୀ ରାଜେଶ, ଏସଡିପିଓ ବିରଞ୍ଚିନାରାୟଣ ପତି, ଆଇଆଇସି ବିଜୟକେତନ ବେହେରା, ଓଡିଶା ସେତୁ ନିର୍ମାଣ ନିଗମର ଡିଜିଏମ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅଧିକ୍ଷଣ ଯନ୍ତ୍ରୀ ସୁନ୍ଦର ମାଧବ ପାଢି, ବିଡିଓ ଲିପ୍ସା ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।
ସୂଚନା ଅନୁଯାୟୀ ଗତ ୩୧ .୦୮ .୨୦୨୩ ରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଇଥିଲା। ଏହାପରେ ନିର୍ମାଣ କାର୍ଯ୍ୟ ସାରିନଥିବାରୁ ଏହାର ଅବଧି ପୁନର୍ବାର ବୃଦ୍ଧି କରାଗଲା । ଏପଟେ ସରକାର ଗତ ବର୍ଷ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଅବସରରେ ପୁରୀ ଜିଲ୍ଲାର ସତ୍ୟବାଦୀ ରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବା ଓଡ଼ିଆ ବିଶ୍ୱ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସାରିନଥିବାରୁ ସାକ୍ଷୀଗୋପାଳ ପାନ୍ଥ ଶାଳାକୁ ଉଚ୍ଚ ଶିକ୍ଷା ବିଭାଗ ଭଡା ସୂତ୍ରରେ ନେଇ ପ୍ରଥମ ପର୍ଯ୍ୟାୟରେ ପ୍ରାରମ୍ଭିକ ଭାବେ ସ୍ନାତକୋତ୍ତର ପାଠ୍ୟଦନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଏହି ବିଶ୍ୱବିଦ୍ୟାଳୟରେ ତିନୋଟି ବିଭାଗରେ ୨୪ ଜଣ ହିସାବରେ ସମୁଦାୟ ୭୨ଜଣ ବିଦ୍ୟାର୍ଥୀ ଅଧ୍ୟାୟନ କରୁଛନ୍ତି ।
ବିଦ୍ୟାର୍ଥୀମାନେ ଏଠାରେ ପଢିବା ସହ ସ୍ଥାନୀୟ ସାକ୍ଷୀଗୋପାଳ କଲେଜ ହଷ୍ଟେଲରେ ରହୁଛନ୍ତି। ବିଶ୍ୱବିଦ୍ୟାଳୟରେ କୁଳପତି ଓ କୁଳସଚିବ ପଦବୀ ବିଭାଗ ପୂରଣ ହୋଇଅଛି। ମାତ୍ର ପ୍ରଫେସର ଓ ଅଫିସ କର୍ମଚାରୀ ଡେପୁଟେସନରେ ଆସି ଏଠାରେ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା ପ୍ରମୁଖ ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୫ଟି ଅଧ୍ୟକ୍ଷ ଭିକେ ପଣ୍ଡିଆନ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ସତ୍ୟବାଦୀର ପଞ୍ଚସଖାଙ୍କ ପ୍ରତି ଏହା ରାଜ୍ୟ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
Comments are closed.