ଜୋକୋଭିକ୍‌ଙ୍କୁ ୨୪ତମ ଗ୍ରାଣ୍ଡସ୍ଲାମ୍‌ ଟାଇଟଲ

ନ୍ୟୁୟର୍କ : ସର୍ବିୟାର ମହାନ୍ ଟେନିସ ଖେଳାଳି ନୋଭାକ୍‌ ଜୋକୋଭିକ୍‌ ଚଳିତବର୍ଷର ୟୁଏସ୍‌‌ ଟେନିସ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛନ୍ତି। ୩୬ ବର୍ଷ ବୟସ୍କ ଜୋକୋଭିକ୍‌ ରବିବାର ରାତିରେ ଅନୁଷ୍ଠିତ ପୁରୁଷ ଏକକ ଫାଇନାଲରେ ୬-୩, ୭-୬, ୬-୩ ସେଟ୍‌‌ରେ ୩ୟ ସିଡ୍‌‌ ରୁଷିଆର ଡାନିଲ ମେଡ୍‌ଭେଡେଭ୍‌ଙ୍କୁ ପରାସ୍ତ କରିଛନ୍ତି। ୨୦୨୧ରେ ଜୋକୋଭିକ୍‌ ୟୁଏସ୍‌‌ ଓପନ୍‌‌ ଫାଇନାଲରେ ମେଡ୍‌ଭେଡେଭ୍‌ଙ୍କଠାରୁ ପରାସ୍ତ ହୋଇଥିଲେ। ଏଥିସହ ସେ ଏହି ପରାଜୟର ପ୍ରତିଶୋଧ ନେଇଛନ୍ତି। ପୂର୍ବରୁ ଜୋକୋଭିକ୍‌ ସେମିଫାଇନାଲରେ ଆମେରିକାର ବେନ୍‌‌ ସେଲଟନଙ୍କୁ ୬-୩, ୬-୨, ୭-୬ ସେଟ୍‌‌ରେ ଓ କ୍ବାର୍ଟରରେ ଅନ୍ୟତମ ଆମେରିକୀୟ ଖେଳାଳି ୯ମ ସିଡ୍‌‌ ଟେଲର ଫ୍ରିଜ୍‌‌ଙ୍କୁ ୬-୧, ୬-୪, ୬-୪ ସେଟ୍‌‌ରେ ପରାସ୍ତ କରିଥିଲେ।
ଟପ୍‌ ସିଡ୍‌ କାର୍ଲୋସ୍ ଆଲ୍‌କାରାଜ୍‌ଙ୍କୁ ୩ୟ ସିଡ୍‌ ଡାନିଲ୍ ମେଡ୍‌ଭେଡେଭ୍‌ ସହଜରେ ପରାସ୍ତ କରିଥିଲେ ହେଁ ଜୋକୋଭିକ୍‌ଙ୍କ ଚମତ୍କାର ଖେଳ ନିକଟରେ ହାର ମାନିଛନ୍ତି। ଜୋକୋଭିକ୍‌ ପ୍ରଥମ ଓ ୩ୟ ସେଟ୍‌‌ରେ ସହଜରେ ବିଜୟୀ ହୋଇଥିବା ବେଳେ ୨ୟ ସେଟ୍‌‌ରେ ସଂଘର୍ଷ କରିଥିଲେ। ସିଧାସଳଖ ୩ଟି ସେଟ୍‌‌ରେ ବିଜୟୀ ହୋଇ ଜୋକୋଭିକ୍‌ ଜୀବନର ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଅର୍ଜନ କରିଛନ୍ତି। ଗ୍ରାଣ୍ଡସ୍ଲାମ ଜିତିବାରେ ଜୋକୋଭିକ୍‌ ପୁରୁଷ ଖେଳାଳିଙ୍କ ମଧ୍ୟରେ ସର୍ବାଗ୍ରେ ରହିଛନ୍ତି। ତେବେ ୨୪ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜୋକୋଭିକ୍‌ ଅଷ୍ଟ୍ରେଲୀୟ ମହିଳା କିମ୍ବଦନ୍ତୀ ଖେଳାଳି ମାର୍ଗାରେଟ୍‌‌ କୋର୍ଟଙ୍କ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ରେକର୍ଡର ସମକକ୍ଷ ହୋଇଛନ୍ତି। ପୁରୁଷ ଓ ମହିଳା ଖେଳାଳିଙ୍କ ମଧ୍ୟରେ କୋର୍ଟ ସର୍ବାଧିକ ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ପୁରୁଷ ଖେଳାଳିଙ୍କ ମଧ୍ୟରେ ସ୍ପେନ୍‌‌ର ରାଫେଲ ନାଦାଲ ୨୨ଟି ଟାଇଟଲ ଜିତି ୨ୟ ସ୍ଥାନରେ ରହିଛନ୍ତି। ସେହିପରି ମହିଳା ଖେଳାଳିଙ୍କ ମଧ୍ୟରେ ଆମେରିକାର ସେରେନା ୱିଲିୟମ୍‌ସ ୨୩ଟି ଟାଇଟଲ ଜିତି ୨ୟ ସ୍ଥାନରେ ରହିଛନ୍ତି। ଜୋକୋଭିକ୍‌ ଏଥିସହ ଜୀବନର ୪ର୍ଥ ୟୁଏସ୍‌‌ ଓପନ୍‌‌ ଟାଇଟଲ ହାସଲ କରିଛନ୍ତି। ପୂର୍ବରୁ ସେ ଏଠାରେ ୨୦୧୧, ୧୦୧୫ ଓ ୨୦୧୮ରେ ଚମ୍ପିଆନ୍‌ ହୋଇଥିଲେ। ମୋଟଉପରେ ସେ ୩୬ଟି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶକରି ୨୪ ଥର ବାଜି ମାରି ପାରିଛନ୍ତି। ଆଉ ଗୋଟିଏ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଲେ ସେ କୋର୍ଟଙ୍କୁ ପଛରେ ପକାଇ ସର୍ବାଧିକ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାର ବିଶ୍ୱରେକର୍ଡ ପ୍ରତିଷ୍ଠା କରିବେ। କିମ୍ବଦନ୍ତୀ ମହିଳା ଟେନିସ ଖେଳଳି ମାର୍ଗାରେଟ କୋର୍ଟ ହାସଲ କରିଥିବା ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ମଧ୍ୟରୁ ୧୩ଟି ଟାଇଟଲ ଓପନ ଏରାର ପୂର୍ବରୁ ଜିତିଥିଲେ। ୧୯୬୮ରେ ଟେନିସ୍‌‌ରେ ଓପନ୍‌‌ ଏରା ଆରମ୍ଭ ହୋଇଥିଲା। ସେତେବେଳେ ଆମେଚର ଓ ପେସାଦାର ଟେନିସ ଖେଳାଳିଙ୍କୁ ୪ଟି ଗ୍ରାଣ୍ଡସ୍ଲାମ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିଥିଲା। ଏଥିସହ ଜୋକୋଭିକ୍‌ ଓପନ୍‌‌ ଏରାରେ ସର୍ବାଧିକ ୨୪ଟି ଗ୍ରାଣ୍ଡସ୍ଳାମ ଜିତିବାରେ ପ୍ରଥମ ଖେଳାଳି ବିବେଚିତ ହୋଇଛନ୍ତି। ଏହାପୂର୍ବରୁ ସେ ଆମେରିକୀୟ କିମ୍ବଦନ୍ତୀ ମହିଳା ଖେଳାଳି ସେରେନା ୱିଲିୟମ୍‌ସଙ୍କ ୨୩ଟି ଟାଇଟଲ ରେକର୍ଡର ସମକକ୍ଷ ହୋଇଥିଲେ। ଜୋକୋଭିକ୍‌ ଜିତିଥିବା ୨୪ଟି ଗ୍ରାଣ୍ଡସ୍ଲାମ୍ ଟାଇଟଲ ମଧ୍ୟରୁ ୧୦ ଥର ଅଷ୍ଟ୍ରେଲିଆନ୍‌‌ ଓପନ୍‌‌, ୭ ଥର ୱିମ୍ବଲଡନ, ୪ ଥର ୟୁଏସ୍‌‌ ଓପନ ଓ ୩ ଥର ଫ୍ରେଞ୍ଚ୍‌‌ ଓପନ୍‌‌ ଜିତିଛନ୍ତି। ୟୁଏସ୍‌ ଓପନ୍‌ ଜିତି ଟେନିସ୍‌ର ଓପନ୍‌ ଏରାରେ ଜୋକୋଭିକ୍‌ ବୟୋଜ୍ୟେଷ୍ଠ ଚମ୍ପିଆନ୍ ହୋଇ ପାରିଛନ୍ତି।

Comments are closed.