ପଦ୍ମ ଘୁଞ୍ଚି ଘୁଞ୍ଚି ଯାଉଛି : ପୂର୍ବତଟ ଜୋନକୁ ଆସିଲାନି ବାଲେଶ୍ୱର ଓ ମୟୂରଭଞ୍ଜ

୧୨୩ ବର୍ଷ ଧରି ଅବହେଳା; ଡିପିଆର ପରେ ବି ନିର୍ମାଣ ହେଉନି ନୂତନ ରୁଟ

ବର୍ଷକୁ ୨୫୦ କୋଟିରୁ ଊର୍ଦ୍ଧ୍ବ ରାଜସ୍ୱ ଦେଉଥିବା ୨ଟି ଛୋଟ ଷ୍ଟେସନ ଅବହେଳାର ଉଦାହରଣ
ରେଳ ପାଇଁ ଦୁଇ ଜିଲାର ଲୋକ ବ୍ରିଟିଶ ସରକାରଙ୍କୁ ଦେଇଥିଲେ ୩ ଲକ୍ଷ ୧୮ ହଜାର ଟଙ୍କା

ବାଲେଶ୍ୱର : ପୂର୍ବ ତଟ ଜୋନରେ ଓଡ଼ିଶାର ଅଧିକାଂଶ ରେଳ ରୁଟ ରହିଥିବାବେଳେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ରୁଟସବୁ(୨୮୭ କିମି) କଲକାତାରେ ମୁଖ୍ୟ କାର୍ଯ୍ୟାଳୟ ଥିବା ଦକ୍ଷିଣ ପୂର୍ବ ଜୋନ ଅଧୀନରେ ରହିଯାଇଛି। ସେହି ରୁଟ ସବୁ ମଧ୍ୟ ଝାଡଖଣ୍ଡର ଚକ୍ରଧରପୁର ଓ ପଶ୍ଚିମ ବଙ୍ଗର ଖଡଗପୁରସ୍ଥିତ ରେଳ ଡିଭିଜନ କାର୍ଯ୍ୟାଳୟ ଅଧୀନରେ ରହିଛି। ଫଳରେ ବୈମାତୃକ ମନୋଭାବ ପାଇଁ ଦୁଇ ଜିଲା ଅବହେଳିତ ହୋଇ ରହିଥିବାରୁ ଏ ଅଞ୍ଚଳର ସବୁ ରେଳ ରୁଟ ପୂର୍ବ ତଟ ଜୋନକୁ ଅଣାଯିବା ପାଇଁ ଦାବି ହୋଇଆସିଛି। ତେବେ ଏଥି ନେଇ ପ୍ରତିଶ୍ରୁତି କାର୍ଯ୍ୟକାରୀ ହେଉ ନ ଥିବାରୁ ଜନ ଅସନ୍ତୋଷ ବଢ଼ୁଛି।
ସୂଚନାଯୋଗ୍ୟ ଯେ ଓଡ଼ିଶାରେ ରେଳ ପଥ ନିର୍ମାଣ ପାଇଁ ସରକାରଙ୍କୁ ସହାୟତା ସ୍ୱରୂପ ଓଡ଼ିଶାବାସୀ ୧୮୮୧ ମସିହାରେ ସାଢ଼େ ୩ ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ସେଥିରେ ମୟୂରଭଞ୍ଜ ମହାରାଜାଙ୍କର ୨ ଲକ୍ଷ ଓ ବାଲେଶ୍ୱରବାସୀଙ୍କର ୧ ଲକ୍ଷ ୧୮ ହଜାର ଟଙ୍କା ଥିଲା। ସେହିପରି ବେଙ୍ଗଲ ଲେଜିସଲେଟିଭ କାଉନସିଲରେ ବାଲେଶ୍ୱରର ରାଜା ବୈକୁଣ୍ଠ ନାଥ ଦେ(ଏହାର ପ୍ରଥମ ଓଡ଼ିଆ ସଦସ୍ୟ) ଓଡ଼ିଶାରେ ରେଳ ପଥ ନିର୍ମାଣ ପାଇଁ ଦାବି କରିବା ସହ ଛୋଟ ଲାଟଙ୍କୁ ଦାବିପତ୍ର ଦେବାରେ ଥିଲେ ପ୍ରଥମ ବ୍ୟକ୍ତି। କୋଲାଘାଟ-ଖଡଗପୁର-ବାଲେଶ୍ୱର-କଟକ ରେଳପଥ ୧୮୯୯ ମସିହା, ଜାନୁଆରୀ ୧ରେ ଉଦଘାଟିତ ହୋଇ ମାଲ ଗାଡ଼ି ଚାଲିଥିବାବେଳେ ମାର୍ଚ୍ଚ ୬ରେ ଯାତ୍ରୀବାହୀ ଗାଡ଼ି କଟକକୁ ଆସିଥିଲା। ପ୍ରଥମେ ମହାନଦୀ, କାଠଯୋଡ଼ି ବାଲିରେ ଅସ୍ଥାୟୀ ରେଳ ଟ୍ରାକ ପଡ଼ିଥିବାବେଳେ ବର୍ଷାଦିନେ ଟ୍ରେନ ଚାଲିବା ବନ୍ଦ ରହୁଥିଲା। ୯.୩.୧୯୦୦ରେ ନଦୀ ଉପରେ ରେଳ ପୋଲ ଉଦଘାଟିତ ହେବା ପରେ ସମସ୍ୟା ଦୂର ହେଲା। ସେହିପରି ମୟୂରଭଞ୍ଜ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ନିଜ ରାଜ୍ୟର ଅର୍ଥ; ୭, ୧୭,୧୪୪ ଟଙ୍କା ବ୍ୟୟରେ ବାଲେଶ୍ୱର ଜିଲାର ରୂପସାରୁ ବାରିପଦା, ୫୨ କିମି ରେଳ ପଥ ନିର୍ମାଣ କରିଥିବାବେଳେ ୨୦ ଜାନୁଆରୀ, ୧୯୦୫ରେ ଟ୍ରେନ ଚାଲିବା ଆରମ୍ଭ ହୋଇଥିଲା। ପରେ ଏହା ବାଙ୍ଗିରିପୋଷିକୁ ସମ୍ପ୍ରସାରିତ ହେଲା। ସେହିପରି ଲୁହା ପଥର ନେବା ପାଇଁ ମୟୂରଭଞ୍ଜର ଗୋରୁମହିଷାଣୀରୁ ଟାଟାନଗରକୁ ୧୯୧୧ରେ ରେଳ ପଥ ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବାବେଳେ ୧୯୨୨ରେ ଏହା ବାଦାମପାହାଡ଼କୁ ସମ୍ପ୍ରସାରିତ ହୋଇଥିଲା। ତେବେ ବାଲେଶ୍ୱର ଜିଲାରେ ଟ୍ରେନ ଚାଲିବାର ୧୨୩ ବର୍ଷ ଓ ମୟୂରଭଞ୍ଜରେ ଟ୍ରେନ ଚାଲିବାର ୧୧୭ ବର୍ଷ ମଧ୍ୟରେ ଏ ଅଞ୍ଚଳରେ ରେଳ କ୍ଷେତ୍ରରେ ବିକାଶର ଚିତ୍ର ରହିଛି ସମ୍ପୂର୍ଣ୍ଣ ନୈରାଶ୍ୟଜନକ।
ମୟୂରଭଞ୍ଜର ବାଦାମପାହାଡ଼ ଓ ଗୋରୁମହିଷାଣୀ ଷ୍ଟେସନରୁ ଲୁହା ପଥର ପରିବହନ ବାବଦ ରେଳ ବିଭାଗ ବର୍ଷକୁ ୨୫୦ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଉଛି। ମାତ୍ର ଦୁଇ ଷ୍ଟେସନର ଅବସ୍ଥା ଅତ୍ୟନ୍ତ ଦୟନୀୟ। ଗୋରୁମହିଷାଣୀରୁ ବାଙ୍ଗିରିପୋଷି, ୪୨ କିମି ରେଳ ରୁଟ ନିର୍ମାଣ ପାଇଁ ୨୦୦୦ ମସିହାରୁ ଜମି ଅଧିଗ୍ରହଣ ସହ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ବା ଡିପିଆର ପ୍ରସ୍ତୁତି ସରିଛି। ଏହି ରୁଟ ପାଇଁ ୨୦୧୫ରେ ୫୬୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ମାତ୍ର ୭ ବର୍ଷ ହେଲା ଗୋଟିଏ ଟଙ୍କା ବି ମଞ୍ଜୁର ହୋଇ ନାହିଁ। ଏହି ରେଳ ପଥ ନିର୍ମାଣ ହେଲେ ଭୁବନେଶ୍ୱର, କଟକ ତଥା ବାଲେଶ୍ୱରରୁ ଟାଟାନଗର ଓ ଉତ୍ତର ଭାରତକୁ ୪୦ କିମି ଦୂରତ୍ୱ କମିଯିବ। ଅନେକ ଟ୍ରେନ ଖଡଗପୁର ବଦଳରେ ଏହି ବାଟେ ଟାଟାନଗରକୁ ଯିବା ଦ୍ୱାରା ରୂପସା ଜଙ୍କସନ ବ୍ୟସ୍ତବହୁଳ ରହି ବାଲେଶ୍ୱରରେ ରେଳ ଡିଭିଜନ ପ୍ରତିଷ୍ଠାର ବାଟ ଫିଟିବ। ସେହିପରି ବାଦାମପାହାଡ଼-କେନ୍ଦୁଝର ୮୦ କିମି ରେଳ ରୁଟ ନିର୍ମାଣ ହେଲେ ଭୁବନେଶ୍ୱରରୁ ଟାଟାନଗର ତଥା ଉତ୍ତର ଭାରତକୁ ୭୦ କିମି ଦୂରତ୍ୱ କମିଯିବ। ସର୍ଭେ ପରେ ୨୦ ଡିସେମ୍ବର, ୨୦୧୧ରେ ରେଳ ବୋର୍ଡ ଦ୍ୱାରା ଏହି ପ୍ରକଳ୍ପର ବୈଷୟିକ ଓ ପ୍ରଶାସନିକ ଅନୁମୋଦନ ସହ ୬୧୯.୦୯ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଥିଲା। ତେବେ ୧୧ ବର୍ଷ ଭିତରେ ଗୋଟାଏ ଟଙ୍କା ବି ମଞ୍ଜୁର କରାଗଲା ନାହିଁ। ସେହିପରି ମୟୂରଭଞ୍ଜର ବୁଡ଼ାମରାରୁ ଝାଡ଼ଖଣ୍ଡର ଚାକୁଳିଆ ଯାଏ ୫୨ କିମି ରେଳ ପଥ ମଞ୍ଜୁର ହୋଇଥିଲେ ବି ଜମି ଅଧିଗ୍ରହଣ ହୋଇପାରୁନି। ଦୀଘା-ଜଳେଶ୍ୱର ରେଳ ରୁଟ ୧୩ ବର୍ଷ ହେଲା କେବଳ ଘୋଷଣାରେ ରହିଯାଇଛି। ବାଲେଶ୍ୱର-ନୀଳଗିରି-ଉଦଳା-କେନ୍ଦୁଝର ଓ ଦୀଘା-ଚାନ୍ଦିପୁର-ଚାନ୍ଦବାଲି ରୁଟ ପାଇଁ ଦାବି ହେଉଥିଲେ ହେଁ ଏ ଦିଗରେ ପଦକ୍ଷେପ ନାହିଁ।
ସେହିପରି ଅନେକ ଷ୍ଟେସନ ଅବହେଳିତ ହୋଇ ରହିଛି। ବର୍ଷକୁ ୧୫୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଦେଉଥିବା ବାଲେଶ୍ୱରକୁ ଷ୍ଟେସନ ମଡେଲ ଷ୍ଟେସନ ଘୋଷଣା ନାମକୁ ମାତ୍ର। ବେତନଟୀ ଷ୍ଟେସନରୁ ଟ୍ରେନରେ କୋଟି କୋଟି ଟଙ୍କାର ବାଉଁଶ ରପ୍ତାନୀ ହେଉଥିବାବେଳେ ୨୦୦୫ରୁ ମାଲବାହୀ ଟ୍ରେନ ଚାଲିବା ବନ୍ଦ କରିଦିଆଯିବାରୁ ହଜାର ହଜାର ବାଉଁଶ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ବିପୁଳ ରାଜସ୍ୱ ଦେଉଥିଲେ ମଧ୍ୟ ଦୁଇ ଜିଲାର କୌଣସି ସ୍ଥାନରେ ବ୍ୟାପକ ନିଯୁକ୍ତିର ସୁଯୋଗ ଥିବା ବିଭାଗର ୱାର୍କସପ ବା ଅନ୍ୟ ପ୍ରକଳ୍ପ ନାହିଁ। ତେଣୁ ଅବହେଳା ଦୂର ପାଇଁ ଦୁଇ ଜିଲାର ସବୁ ରେଳ ରୁଟକୁ ପୂର୍ବ ତଟ ଜୋନକୁ ଅଣାଯିବା ସହ ବାଲେଶ୍ୱରରେ ରେଳ ଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ଦାବି ହୋଇଆସିଛି।
ତତକାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବାଲେଶ୍ୱର ଆସିଥିବାବେଳେ ଏଥି ନେଇ ପ୍ରତିଶ୍ରୁତି ଦେଇଥିବାବେଳେ ଗତ ଜାନୁଆରୀରେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିଭିନ୍ନ ସଂଗଠନର ଦାବିପତ୍ର ଗ୍ରହଣ ବେଳେ ଏହି ଦାବି ସହ ଅନ୍ୟ ଦାବି ଉପରେ ବିଚାର କରିବାର ପ୍ରତିଶ୍ରୁତି ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଚକ୍ରଧରପୁର ଡିଭିଜନର ମୋଟ ୭୫୮ କିମି ରେଳ ରୁଟ ଥିବାବେେଳେ ସେଥିରୁ ମୟୂରଭଞ୍ଜର ୭୮ କିମି ଓ ମୋଟ ୭୭୪ କିମି ରେଳ ରୁଟ ଥିବା ଖଡଗପୁର ଡିଭିଜନରୁ ବାଲେଶ୍ୱର ଏବଂ ମୟୂରଭଞ୍ଜର ୨୦୯ କିମି ରୁଟ କାଢ଼ିନିଆଗଲେ ବିଶେଷ କିଛି ଅସୁବିଧା ହେବ ନାହିଁ। ଏ ପରିପ୍ରେକ୍ଷୀରେ ମନ୍ତ୍ରୀ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।

Comments are closed.