ଶବ୍ଦ ପ୍ରଦୂଷଣ ବିରୋଧୀ ‘ହର୍ଣ୍ଣବ୍ରତ’ ଅଭିଯାନ

0

ନୂଆଦିଲ୍ଲୀ : ଶବ୍ଦ ପ୍ରଦୂଷଣକାରୀ ସହର ତାଲିକାରେ ଭାରତୀୟ ସହରଗୁଡିକ ଶୀର୍ଷରେ ରହିଛି। ଭାରତୀୟ ସହରର ରାଜରାସ୍ତାରେ ହର୍ଣ୍ଣର ମାତ୍ରାଧିକ ବ୍ୟବହାର ଶବ୍ଦ ପ୍ରଦୂଷଣର ମୁଖ୍ୟ କାରଣ ବୋଲି କୁହାଯାଉଛି। ମନୁଷ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଶବ୍ଦ ପ୍ରଦୂଷଣର କୁପ୍ରଭାବ ଉପରେ ବହୁସଂଖ୍ୟକ ଅନୁଧ୍ୟାନ କରାଯାଇଥିଲା। ପ୍ରତି ଏକ ଘଣ୍ଟାରେ ସମଗ୍ର ମୁମ୍ବାଇର ବାସିନ୍ଦା ୧୮ ନିୟୁତ ଥର ହର୍ଣ୍ଣ ବଜାଉଥିବା ଅନୁଧ୍ୟାନରୁ ଜଣାପଡିଛି। ଏଣୁ ସହରରେ ଅନାବଶ୍ୟକ ହର୍ଣ୍ଣ ବ୍ୟବହାର ବିରୋଧରେ ‘ହର୍ଣ୍ଣବ୍ରତ’ ଶୀର୍ଷକ ଅଭିଯାନ ଆରମ୍ଭ ହୋଇଛି। ମହାରାଷ୍ଟ୍ର ପରିବହନ ବିଭାଗର ମିଳିତ ଆନୁକୂଲ୍ୟରେ ‘ଆୱାଜ୍‌ ଫାଉଣ୍ଡେଶନ୍‌’ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନର ମୁଖ୍ୟ ଆକର୍ଷଣ ପାଲଟିଛି ଏକ ଅଟୋ। ଏହି ଅଟୋର ଚତୁର୍ପାଶ୍ୱରେ ହର୍ଣ୍ଣ ଖଞ୍ଜାଯାଇଛି। ଅଟୋଟି ସହରର ଗଳିବନ୍ଦି ବୁଲି ବୁଲି ଅନାବଶ୍ୟକ ଭାବେ ହର୍ଣ୍ଣ ବ୍ୟବହାର ନ କରିବା ଲାଗି ଲୋକଙ୍କୁ ସଚେତନ କରୁଛି। ସହରସ୍ଥ ରାସ୍ତାଘାଟର ଢାଞ୍ଚା ଯୋଗୁ ହର୍ଣ୍ଣ ବଜାଇବାକୁ ବାଧ୍ୟ ହେଉଥିବା ବେଳେ ଏହା ସୁରକ୍ଷା ଜନିତ ଏକ ପଦକ୍ଷେପ ବୋଲି ଅନେକ ଲୋକ ମତ ଦିଅନ୍ତି। ଅସଚେତନତା ଯୋଗୁ ମଧ୍ୟ କିଛି ମୋଟର ଚାଳକ ହର୍ଣ୍ଣର ଅନାବଶ୍ୟକ ବ୍ୟବହାର କରୁଥିବା ଲୋକ କୁହନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ସୂଚନା ଅନୁଯାୟୀ, ମନୁଷ୍ୟଙ୍କ କର୍ଣ୍ଣ ୭୦ ଡେସିବେଲ ପର୍ଯ୍ୟନ୍ତ ଶବ୍ଦ ନିରାପଦ ଭାବେ ଗ୍ରହଣ କରିପାରେ। ମାତ୍ର ଭାରତୀୟ ରାଜରାସ୍ତାରେ ୧୧୦ ଡେସିବେଲ୍‌ ଶବ୍ଦ ସୃଷ୍ଟି ହେଉଥିବା ଆକଳନ କରାଯାଇଛି। ଏତେ ପରିମାଣର ଶବ୍ଦ ସଂସ୍ପର୍ଶରେ ଆସୁଥିବାରୁ ସହରବାସୀ ଭବିଷ୍ୟତରେ ସମସ୍ୟାରେ ପଡିବା ନେଇ ସଂସ୍ଥା ଏହାର ରିପୋର୍ଟରେ ସତର୍କ କରିଛି। ୨୦୧୭ ଡିସେମ୍ବରରେ ଆୱାଜ୍‌ ଫାଉଣ୍ଡେଶନ ପକ୍ଷରୁ ‘ହର୍ଣ୍ଣ ନଟ୍‌ ପ୍ଲିଜ୍‌’ ଶୀର୍ଷକ ଅନ୍ୟ ଏକ ଅଭିଯାନ ଚଳାଯାଇଥିଲା। ଏଥିକ୍ରମେ ଆର୍‌ଟିଓ କାର୍ଯ୍ୟାଳୟ ପକ୍ଷରୁ ସହରବାସୀଙ୍କ ମଧ୍ୟରେ ପାମ୍ଫଲେଟ ବିତରଣ କରାଯାଇଥିଲା।

Leave A Reply