ନୀତୀଶଙ୍କୁ ଧକ୍କା: ତେଜସ୍ୱୀଙ୍କ ତୃତୀୟ ସଫଳତା

0

ଜୋକିହାଟ : ବିହାରର ଜୋକିହାଟ ବିଧାନସଭା ଉପ-ନିର୍ବାଚନ ଫଳାଫଳ ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ମୁଖ୍ୟ ନୀତୀଶ କୁମାରଙ୍କୁ ଶକ୍ତ ଧକ୍କା ଦେଇଛି। ଏଠାରେ ରାଷ୍ଟ୍ରୀୟ ଜନତା ଦଳ (ଆର୍‍ଜେଡି) ପ୍ରାର୍ଥୀ ଶାହନୱାଜ୍‍ ଆଲମ୍‍ ଜେଡିୟୁ ପ୍ରାର୍ଥୀ ମୁର୍ସିଦ ଆଲମଙ୍କୁ ୪୧,୨୨୫ ଭୋଟ୍‍ରେ ପରାଜିତ କରିଛନ୍ତି। ଆର୍‍ଜେଡିର ବରିଷ୍ଠ ନେତା ତସଲିମୁଦ୍ଦିନଙ୍କ ପୁଅ ଶାହନୱାଜ୍‍ଙ୍କୁ ମୋଟ ୮୧,୨୪୦ ଭୋଟ ମିଳିଥିବା ବେଳେ ମୁର୍ସିଦଙ୍କୁ ୪୦,୦୧୫ ଭୋଟ ମିଳିଛି। ଏହା ବାସ୍ତବରେ ଜନତାଙ୍କ ବିଜୟ ବୋଲି ଶାହାନୱାଜ୍‍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଅନ୍ୟପଟେ ୨୮ ବର୍ଷ ବୟସ୍କ ତେଜସ୍ୱୀଙ୍କ ନେତୃତ୍ୱରେ ଆର୍‍ଜେଡିର ଏହା ତୃତୀୟ ସଫଳତା ବୋଲି କୁହାଯାଉଛି। ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁଙ୍କୁ ଜେଲ୍‍ ହେବା ପରେ ତେଜସ୍ୱୀ ଦଳର ନେତୃତ୍ୱ ନେଇଥିଲେ। ତାଙ୍କ ନେତୃତ୍ୱରେ ଦଳ ପୂର୍ବରୁ ଜେହାନାବାଦ ଏବଂ ଆରାରିଆ ନିର୍ବାଚନ ମଣ୍ଡଳୀରେ ବିଜୟଲାଭ କରିଥିଲା। ଆର୍‍ଜେଡିର ସଫଳତା ଉପରେ ନିଜ ପ୍ରତିକ୍ରିୟା ରଖି ତେଜସ୍ୱୀ କହିଛନ୍ତି, ନୀତୀଶ ଅର୍ଥ ବଳ ପ୍ରୟୋଗ କରି ମଧ୍ୟ ଏହି ଆସନକୁ ନିଜ ନିକଟରେ ରଖିବାରେ ବିଫଳ ହୋଇଛନ୍ତି। ବାସ୍ତବରେ ଏଠାରେ ଲାଲୁବାଦ, ଅର୍ଥାତ୍‍ ଲାଲୁଙ୍କ ନୀତି ଓ ଆଦର୍ଶର ବିଜୟ ଘଟିଛି। ଜେଡିୟୁ-ଆର୍‍ଜେଡି ମେଣ୍ଟ ଥିବା ବେଳେ ନୀତୀଶ ଆଦୌ ଲାଲୁଙ୍କ ବିଚାରଧାରାକୁ ବୁଝିବାକୁ ଉଦ୍ୟମ କରି ନ ଥିଲେ ବୋଲି ତେଜସ୍ୱୀ କହିଛନ୍ତି। ଜେଡିୟୁକୁ ଯେତିକି ମୋଟ ମିଳିଛି ତାହା ଆର୍‍ଜେଡିର ବିଜୟ ବ୍ୟବଧାନଠାରୁ ମଧ୍ୟ କମ୍‍। ନୀତୀଶ ଗତବର୍ଷ ଯେଭଳି ଭାବେ ଆର୍‍ଜେଡିର ହାତ ଛାଡି ବିଜେପି ସହିତ ମେଣ୍ଟ କଲେ ବାସ୍ତବରେ ବିହାରବାସୀ ତାହାର ପ୍ରତିଶୋଧ ନେଉଛନ୍ତି ବୋଲି ତେଜସ୍ୱୀ ଦର୍ଶାଇଛନ୍ତି।

Leave A Reply