ୟୁକେରେ ଲୁଚିଛନ୍ତି ନିରବ ମୋଦି
ବେଙ୍ଗାଲୁରୁ: ପଞ୍ଜାବ ନ୍ୟାଶ୍ନାଲ୍ ବ୍ୟାଙ୍କ ଦୁର୍ନୀତିର ଖଳନାୟକ ନିରବ ମୋଦି ୟୁକେରେ ରାଜନେତାଙ୍କ ଛତ୍ରଛାୟାରେ ଲୁଚିଥିବା ଫାଇନାନ୍ସିଆଲ୍ ଟାଇମ୍ସର ଏକ ରିପୋର୍ଟରେ ଉଲ୍ଲେଖ ରହିଛି। କେତେଜଣ ଭାରତୀୟ ଓ ବ୍ରିଟିଶ୍ ଅଧିକାରୀଙ୍କ ସୂଚନାକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବା କୁହାଯାଉଛି। ଅବଶ୍ୟ ବ୍ରିଟେନ୍ ଗୃହ ମନ୍ତ୍ରାଳୟ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି।
ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦି ଓ ତାଙ୍କ ସମ୍ପର୍କୀୟ ମେହୁଲ୍ ଚୋକ୍ସି ପଞ୍ଜାବ ନ୍ୟାଶ୍ନ୍ୟାଲ୍ ବ୍ୟାଙ୍କରୁ ପ୍ରାୟ ୧୩,୪୦୦ କୋଟି ଟଙ୍କା ଠକେଇ କରିଥିଲେ। ଠକେଇ ଘଟଣା ଜଣାପଡ଼ିବା ପରେ ନିରବ ମୋଦି ବିଦେଶ ଚାଲିଯାଇଛନ୍ତି। କିନ୍ତୁ ଭାରତରୁ କେଉଁ ଦେଶକୁ ଯାଇଛନ୍ତି ଏବଂ କେଉଁଠାରେ ଅଛନ୍ତି ତାହା ସଠିକ୍ ଜଣାପଡ଼ିନାହିଁ। ଫାଇନାନ୍ସିଆଲ୍ ଟାଇମ୍ସର ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଘଟଣା ନୂଆ ମୋଡ଼ ନେଇଛି। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ନିରବ ମୋଦିଙ୍କୁ ଭାରତ ଆଣିବା ପାଇଁ ଆଇନଗତ ଦିଗ ସମ୍ପର୍କରେ ବିଚାର କରାଯାଉଛି। ଏହାପୂର୍ବରୁ ଋଣ ଭାରରେ ବୁଡ଼ି ରହିଥିବା ବିଜୟ ମାଲ୍ୟା ଦେଶ ଛାଡ଼ି ଚାଲିଯାଇଥିଲେ ମଧ୍ୟ ତାଙ୍କୁ ଅଦ୍ୟାବଧି ସ୍ୱଦେଶ ଅଣାଯାଇପାରିନାହିଁ। ପଞ୍ଜାବ ନ୍ୟାଶ୍ନାଲ୍ ବ୍ୟାଙ୍କ ଠକେଇ ଘଟଣାରେ ସିବିଆଇ ନିରବ ମୋଦି, ଚୋକ୍ସି, ପିଏନ୍ବିର ପୂର୍ବତନ ଅଧ୍ୟକ୍ଷ ଉଷା ଅନନ୍ତ ସୁବ୍ରମଣ୍ୟନ୍ଙ୍କ ସମେତ ୨୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।