ପରିବର୍ତ୍ତନର ଅବଗଣନା ଆରମ୍ଭ: ନିରଞ୍ଜନ

0

ଭୁବନେଶ୍ୱର : କଂଗ୍ରେସ ଅନ୍ୟ ଦଳଗୁଡ଼ିକ ସହିତ ତାଳଦେଇ ସଙ୍ଗଠନକୁ ସୁଦୃଢ଼ କରିବା ସହିତ ନୂତନ ରଣକୌଶଳକୁ ଗୁରୁତ୍ୱ ଦେଇ ଆଗକୁ ବଢିବା ପାଇଁ ଯୋଜନା କରିଛି। ରାଜ୍ୟବାସୀ ଯେଉଁ ପରିବର୍ତ୍ତନ ଚାହୁଁଛନ୍ତି ଏହା କଂଗ୍ରେସ ସପକ୍ଷରେ ଯିବ। ନୂଆବର୍ଷରୁ ରାଜ୍ୟରେ ବିଜେଡି ଶାସନ ବିରୋଧରେ ଯେଉଁ ଅବଗଣନା ଆରମ୍ଭ ହୋଇଛି ଏହା କଂଗ୍ରେସ ପାଇଁ ଶୁଭ ସୂଚନା ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସାଧାରଣ ଲୋକଙ୍କ ଭିତରେ ବିଜେପି ଓ ବିଜେଡି ବିରୋଧରେ ଯେଉଁ ମନୋଭାବ ରହିଛି କଂଗ୍ରେସ ତାକୁ ଜାଗ୍ରତ କରିବ। କଣ ହେବ ନ ହେବ ତାହା ଆଗକୁ ଜଣାପଡିବ ତେବେ ଯେଉଁ ସଙ୍କେତ ମିଳୁଛି ଏହା ଦ୍ୱାରା କଂଗ୍ରେସ ନେତା ଓ କର୍ମୀଙ୍କ ମଧ୍ୟରେ ମନୋବଳ ବଢିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।
ନବବର୍ଷ ଅବସରରେ ପ୍ରଦେଶ କଂଗ୍ରେସ ଭବନ ଠାରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କ ସହିତ ଆଲୋଚନା କରି ଆଗମୀ ରଣନୀତି ସମ୍ପର୍କରେ ଆଲେଚନା କରିଛନ୍ତି। ଆଗ ଅପେକ୍ଷା ଶ୍ରୀ ପଟ୍ଟନାୟକ ଉତ୍ସାହିତ ଥିବାବେଳେ କଂଗ୍ରେସ କ୍ଷମତାକୁ କିଭଳି ଫେରିବ ଅଙ୍କ କଷିବା ଆରମ୍ଭ କରିଛନ୍ତି। ଦଳ ପକ୍ଷରୁ ସେଥି ପାଇଁ ମହିଳା ସଙ୍ଗଠନ, ଯୁବ, ଛାତ୍ର ସଙ୍ଗଠନ ଓ ସେବାଦଳକୁ ସୁସଙ୍ଗଠିତ କରି ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଆରମ୍ଭ ହୋଇଛି। ନିକଟରେ ଜୋନ ସଭାପତିଙ୍କୁ ନେଇ ରାଜ୍ୟସ୍ତରୀୟ ସମାବେଶ ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନୂତନ ପ୍ରେରଣା ସୃଷ୍ଟି ହୋଇଛି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।
ନେତାଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ଦଳକୁ ଆଗକୁ ନେବା ପାଇଁ ସେ ଯେଉଁ ପ୍ରୟାସ କରିଛନ୍ତି କେତେକ ବ୍ୟକ୍ତିଙ୍କୁ ଛାଡ଼ିଦେଲେ ଦଳର ୯୦ଭାଗ ନେତା ଓ କର୍ମୀ ଏବେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପରେ ଭରସା ରଖିଛନ୍ତି। ବିଧାୟକମାନେ ପୂର୍ବ ନେତୃତ୍ୱକୁ ଯେଭଳି ବିରୋଧ କରୁଥିଲେ ଏବେ ନିରଞ୍ଜନଙ୍କ ସହ ରହିଛନ୍ତି। ଏଭଳି ଦଳ ଛାଡ଼ି ଚାଲିଯିବାକୁ ବସିଥିବା ଅନେକ ବିଧାୟକ ନିରଞ୍ଜନଙ୍କ ଦାୟିତ୍ୱ ନେବା ପରେ ମନ ପରିବର୍ତ୍ତନ କରି ଦଳପାଇଁ କାମ କରୁଛନ୍ତି। କେବଳ କୃଷ୍ଣ ଶଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଥିବାବେଳେ ଶ୍ରୀକାନ୍ତଙ୍କ ଭିନ୍ନମତ ଦଳରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଗତ ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟର ୮ଶହରୁ ଊର୍ଦ୍ଧ୍ବ ଜୋନ ସଭାପତି ନେତାଙ୍କୁ ନେଇ ନିରଞ୍ଜନ ଯେଉଁ ପରିବର୍ତ୍ତନର ମନ୍ତ୍ର ଦେଇଛନ୍ତି ତାହା କଂଗ୍ରେସ ପାଇଁ ସଞ୍ଜୀବନୀ ପାଲଟିଛି। ଜୋନ ସଭାପତିଙ୍କୁ ବୁଥ୍‍ସ୍ତରରୁ କର୍ମୀଙ୍କୁ ଯୋଡ଼ିବାକୁ ଯେଉଁ ଦାୟିତ୍ୱ ଦିଆଯାଇଛି ଏବେ କଂଗ୍ରେସ ପାଇଁ ଆଶା ସଞ୍ଚାର କରିଛି। ଦେଶରେ ନିକଟରେ ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ସୁପ୍ତ କଂଗ୍ରେସ କର୍ମୀ ଓ ନେତାଙ୍କୁ ଜାଗ୍ରତ କରାଇଛି। କଂଗ୍ରେସ କର୍ମୀମାନେ ମନପ୍ରାଣ ଦେଇ କାମକଲେ ପରିବର୍ତ୍ତନ ଅବଶ୍ୟମ୍ଭାବୀ ବୋଲି ଶ୍ରୀ ପଟ୍ଟନାୟକ ଦୃଢ଼ତାର ସହ କହିଛନ୍ତି। ନିରଞ୍ଜନ କହିଛନ୍ତି ନେତାମାନଙ୍କ ନେତୃତ୍ୱ ଦୁର୍ବଳତାରୁ ହେଉ କିମ୍ବା ଦଳର ଦୁର୍ଦିନ କାରଣରୁ ଯେଉଁ କର୍ମୀ ନେତା ଦୂରେଇ ଯାଇଥିଲେ ଏବେ କଂଗ୍ରେସ ସହ ଯୋଡ଼ି ହେଲେଣି। ଦେଶରେ ବିଜେପି ପ୍ରତି ଲୋକଙ୍କ ମୋହ ତୁଟିଥିବାବେଳେ ରାଜ୍ୟର ବିଜେଡି ଶାସନରେ ସାଧାରଣଲୋକେ ଅତିଷ୍ଠ ହେଲେଣି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ଓଡ଼ିଶାର ମହାପ୍ରଭୁ ଜଗନ୍ନାଥଙ୍କ ବ୍ରହ୍ମବିଭ୍ରାଟ ଠାରୁ ଧରି ନୀତିକାନ୍ତିରେ ବିଭ୍ରାଟ ଓଡ଼ିଆଙ୍କୁ ଅତିଷ୍ଠ କଲାଣି। କେବଳ ଭୋଟ ହାତେଇବା ଛଡା ରାଜ୍ୟର ବିଜେଡି ସରକାରଙ୍କୁ ଅନ୍ୟ କିଛି ଜଣାନାହିଁ। ଓଡ଼ିଶାର ଲୋକେ ବୁଝିଲେଣି ମିଛ ଯୋଜନା ନାମରେ ଯେଉଁ ମୋହଗ୍ରସ୍ତ କରାଯାଇଛି ଏହାର ବାସ୍ତବ ଚିତ୍ର ଭିନ୍ନ। ଗତ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ବିଜେଡି ପରିବର୍ତ୍ତନ ହେବାର ସମୟ ଆସନ୍ନ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Leave A Reply