ନୀଳଗିରିରୁ ଗଡ଼ିବ ଯାତ୍ରୀବାହୀ ଟ୍ରେନ, ୪୮କୋଟି ଟଙ୍କା ମଞ୍ଜୁର

ପ୍ରତାପଙ୍କୁ ସାଧୁବାଦ ଜଣାଇଲେ ଅଞ୍ଚଳବାସୀ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରିରେ ରାଜାଅମଳରୁ ପଡ଼ି ରହିଥିବା ରେଳଧାରଣାଟି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲା। ନୀଳଗିରିରେ ଭିତ୍ତିଭୂମି ଥାଇ ମଧ୍ୟ ରେଳ ଚଳାଚଳ ହେଉନଥିବା କଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କଠାରେ ପ୍ରସ୍ତାବ ରଖିଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ନୀଳଗିରିରେ ନୂତନ ରେଳ ଷ୍ଟେସନ ନିର୍ମାଣ କରାଯିବା ଏବଂ ଏଠାରେ ରେଳ ଚଳାଚଳ କରିବା ଉଦେଶ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତ ଜାନୁୟାରୀ ୭ତାରିଖରେ ନୀଳଗିରିସ୍ଥିତ ଗୋପୀନାଥପୁରଠାରେ ପହଞ୍ଚି ନୂତନ ଷ୍ଟେସନର ଶିଳାନ୍ୟାସ କରିଥିଲେ। ତେବେ ଶିଳାନ୍ୟାସର ମାତ୍ର ଅଢ଼େଇ ମାସ ପରେ ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କ ନିର୍ଦେଶରେ କେନ୍ଦ୍ର ରେଳ ନିର୍ଦେଶକ ପଙ୍କଜ କୁମାର ମଙ୍ଗଳବାର ୪୮କୋଟି ୩୬ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। ପତ୍ରସଂଖ୍ୟା ୨୦୨୦/ଡବ୍ଲ୍ୟୁ-ଆଇଆଇ/ଟିଏଫ/ଏସଇଆର/ଅମ୍ବ୍ରେଲା ୱାର୍କ ମୂଳେ ସେ ଏହି ପତ୍ରକୁ କୋଲକାତାସ୍ଥିତ ଦକ୍ଷିଣ ପୂର୍ବ ରେଳ ବିଭାଗ ଜିଏମଙ୍କୁ ପଠାଇଛନ୍ତି। ଉକ୍ତ ଟଙ୍କାରେ ଗୋପୀନାଥପୁରଠାରେ ନୂତନ ରେଳ ଷ୍ଟେସନ ନିର୍ମାଣ ହେବା ସହ ସିଗନାଲ, ଟ୍ରାକ୍‍ ଫିଟ, ବିଦ୍ୟୁତକରଣରେ ଖର୍ଚ୍ଚ ହେବ ବୋଲି ନିର୍ଦେଶ ରହିଛି। ତେବେ ସାଂସଦ ପ୍ରତାପଙ୍କ ପାଇଁ ନୀଳଗିରିବାସୀଙ୍କ ବର୍ଷ ବର୍ଷ ଧରି ଅଧୁରା ପଡ଼ିଥିବା ସ୍ୱପ୍ନ ସାକାର ହେବାକୁ ଯାଉଥିବା ଯୋଗୁ ଅଞ୍ଚଳବାସୀଙ୍କ ପକ୍ଷରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି।

 

prayash

ସୂଚନାଯୋଗ୍ୟ ଯେ ନୀଳଗିରିରୁ ଆରମ୍ଭ ହେବାକୁ ଥିବା ରେଳସେବା ଦ୍ୱାରା ଅଞ୍ଚଳର ବାଣିଜ୍ୟ କାରବାରର ବିକାଶ ହେବା ସହ ବିଶେଷକରି ଶ୍ରମିକ ଓ ବ୍ୟବସାୟୀଙ୍କ ଉନ୍ନତି ଘଟିବ। ସେପଟେ ସାଂସଦ ପ୍ରତାପଙ୍କ କଥା ରଖି ରେଳ ବିକାଶ କ୍ଷେତ୍ରରେ ଟଙ୍କା ମଞ୍ଜୁର କରିଥିବା ଯୋଗୁ ଶ୍ରୀ ଷଡ଼ଙ୍ଗୀ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାଧୁବାଦ ଜଣାଇଛନ୍ତି।

kalyan agarbati

Comments are closed.