ମନମୋହିଲା ବିଭିନ୍ନ ଲୋକ କଳାକାରମାନଙ୍କ ଦ୍ୱାରା ଲୋକନୃତ୍ୟ ଓ ଲୋକ ସଂଗୀତ
ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକ ସଂଗୀତ ମହୋତ୍ସବର ଦ୍ବିତୀୟ ଦିବସ
ଭୁବନେଶ୍ୱର: ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଭୁବନେଶ୍ୱରସ୍ଥିତ ଉତ୍କଳମଣ୍ଡପ ଠାରେଆୟୋଜିତ ୩ଦିନିଆ ରାଜ୍ୟସ୍ତରୀୟ ଲୋକନୃତ୍ୟ ଓ ଲୋକସଙ୍ଗୀତ ମହୋତ୍ସବର ଆଜି ଥିଲା ୨ୟ ଦିବସ ।ଆଜିର କାର୍ଯ୍ୟକ୍ରମରେ ପ୍ରଥମେ ପରିବେଷଣ କରାଯାଇଥିଲା ମାଲକାନଗିରିରୁ ଆସିଥିବା ଲୋକନୃତ୍ୟ ଦଳଙ୍କକୋୟା ନୃତ୍ୟ ପରିବେଷଣ। ସେହିପରି ଅନୁଗୋଳର ରାବଣଛାୟା ନୃତ୍ୟ ସଂସଦ ତରଫରୁ ଛାୟା ନୃତ୍ୟ, ସମ୍ବଲପୁରରୁ ସମ୍ୱଲପୁରୀ ଲୋକ ନୃତ୍ୟ(ବଜନିଆ), ରେମୁଣାସ୍ଥିତ ମା ଭଗବତୀ ଚଢେୟା ନାଚ ଅନୁଷ୍ଠାନ ତରଫରୁ ଚଢେୟା ଚଢେୟାଣୀ ନାଚ, କେନ୍ଦ୍ରାପଡାର ବିନୋରୀ କେନ୍ଦରାଗୀତ ଓ ପାଲା ଅନୁଷ୍ଠାନ ତରଫରୁ କେନ୍ଦରାଗୀତ, ଖୋର୍ଦ୍ଧାର ପାଇକ ଆଖଡା, ମୟୂରଭଂଜର କୀଚକେଶ୍ୱରୀ ଝୁମର ନୃତ୍ୟ ପ୍ରତିଷ୍ଠାନ ତରଫରୁ ଝୁମର ନୃତ୍ୟ, ବୌଦ୍ଧର ଜଗନ୍ନାଥ ଯୁବକସଂଘ ତରଫରୁ ଶବର ନାଚ, କୋରାପୁଟର କୋଟପାଡ କଳାବିକାଶ କେନ୍ଦ୍ର ଦ୍ୱାରା ଢେମସା, ରାୟଗଡାର ଦେବଗିରି କଳା ପରିଷଦ ତରଫରୁ ଗୁର୍କି ଲୋକନୃତ୍ୟ ଅତ୍ୟନ୍ତ ଆକର୍ଷଣୀୟ ହୋଇଥିଲା ।
ଆଜିର କାର୍ଯ୍ୟକ୍ରମରେଅତିଥି ଭାବେ ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ଓଡିଶା କୋଠାବାଡି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା, ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ପଦ୍ମଶ୍ରୀ ଅରୁଣା ମହାନ୍ତି, ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାଂସ୍କୃତିକ ସଂଧ୍ୟାକୁ ଉଦ୍ଘାଟନ କରିବା ସହିତ ସମସ୍ତ କଳାକାର, ନୂତ୍ୟଗୁରୁ ଓ ଅତିଥିମାନଙ୍କୁ ପାରମ୍ପରିକ ରୀତିରେ ଫୁଲ, ଚନ୍ଦନ, ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭଗବତ୍ ଏବଂ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ।
ଆଜିର କାର୍ଯ୍ୟକ୍ରମକୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଉପନିର୍ଦ୍ଦେଶିକା ଶୁଚିସ୍ମିତା ମନ୍ତ୍ରୀ, ବିଭାଗର ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ, ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥଙ୍କ ସମେତ ବିଭାଗର ବିଭିନ୍ନ ଶାଖାର ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। ଗଣଶିକ୍ଷା ବିଭାଗ ସଂଯୋଜନାରେ ସନାତନ ପଣ୍ଡାଙ୍କ ନିର୍ଦ୍ଦେଶନାରେ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀମାନେ ଗୀତଶୈଳୀରେ ପଣକିଆ ମାଧ୍ୟମରେ ଓଡିଶାର ଭାଷା ସାହିତ୍ୟ ଓ ସଂସ୍କୃତିକୁ ଗାନ କରିଥିଲେ,ଯାହାକି ଉଚ୍ଚ ପ୍ରଶଂସିତ ହୋଇଥିଲା । ଗତକାଲି ପରି ଆଜି ଉତ୍କଳ ମଣ୍ଡପ ଠାରେ ବହୁ ସଂଖ୍ୟାରେ ଲୋକ କଳାପ୍ରେମୀ, ସଂସ୍କୃତି ପ୍ରେମୀ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରି ଉତ୍ସବକୁ ଉପଭୋଗ କରିବା ସହିତ ଲୋକକଳାକାରମାନଙ୍କୁ ଉତ୍ସାହିତ କରିଥିଲେ ।ଗୁରୁ କେଳୁଚରଣ ଓଡିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ଅନୂଜା ତାରିଣୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.