ତିଗିରିଆ ପବିତ୍ର ବୈଶାଖ ପୂର୍ଣ୍ଣିମା ଉପଲକ୍ଷେ ତିଗିରିଆ ବ୍ଲକ ଗଦାଧରପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଠିପୁର ଗ୍ରାମର ଆରାଧ୍ଯ ଦେବୀ ମା ଖଣ୍ଡୁଆଳୀଙ୍କ ଯାତ୍ରା ବୁଧବାର ଠାରୁ ଆରମ୍ଭ ହୋଇଛି। ଏହାକୁ ନେଇ ଗ୍ରାମ ଉତ୍ସବ ମୁଖର ହୋଇ ଉଠିଛି। ଏହି ଅବସରରେ ଗ୍ରାମର ବିଭିନ୍ନ ସ୍ଥାନରେ ମୃଣ୍ମୟ ପ୍ରତିମା ପୂଜା ସହିତ ଖଣ୍ଡୁଆଳୀ ପୀଠ ଏବଂ ସାହିଗଳିକୁ ରଙ୍ଗୀନ ଆଲୋକ ମାଳରେ ସୁସଜ୍ଜିତ କରାଯାଇଛି।
ପୂର୍ବାହ୍ଣରେ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ନିକଟସ୍ଥ ଗନ୍ଧର୍ପା ନଦୀରୁ ଶତାଧିକ ଗ୍ରାମବାସୀ କଳସ ଶୋଭାଯାତ୍ରାରେ ଆସି ଖଣ୍ଡୁଆଳୀଙ୍କ ପୀଠରେ କଳସ ସ୍ଥାପନ କରିଥିଲେ। ପରେ ମାଙ୍କ ପୂଜାବିଧି ଅନୁଷ୍ଠିତ ହୋଇଥିଲା। ଏହା ପରେ ପୀଠ ପରମ୍ପରା ଅନୁଯାୟୀ ବିମାନରେ ମା’ ଖଣ୍ଡୁଆଳୀଙ୍କ ଚଳନ୍ତି ପ୍ରତିମା ଗ୍ରାମ ପରିକ୍ରମା କରି ଭୋଗ ଲାଗିି ପର୍ବ ଅନୁଷ୍ଠିତ ହେବ। ଯାତ୍ରାର ଶେଷ ଦିନ ବୈଶାଖ ପୂର୍ଣ୍ଣିମାରେ ମା’ଙ୍କ ପୀଠରେ ପ୍ରସିଦ୍ଧ ଝାମୁ ଯାତ୍ରା ଅନୁଷ୍ଠିତ ହେବ। ଏଥିରେ ୧୪ ଜଣ ମାନସିକଧାରୀ ୫୦୦ ରୁ ୭୦୦ ହାତ ଝାମୁ ନିଆଁରେ ଚାଲିବେ ବୋଲି ଯାତ୍ରା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଗ୍ରାମର ଖଣ୍ଡୁଆଳୀସାହି, ବିଜୟନଗର, ସତ୍ୟନଗର, ମଝିସାହି, ତ୍ରିନାଥ ସାହିରେ ଆକର୍ଷଣୀୟ ପୂଜା ମଣ୍ଡପରେ ମୃଣ୍ମୟ ପ୍ରତିମା ପୂଜା ଆରମ୍ଭ ହୋଇଛି। ଯାତ୍ରାର ପ୍ରତ୍ୟେହ ସନ୍ଧ୍ୟାରେ ବିଭିନ୍ନ ସାହିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇ ଥିବାବେଳେ ଶେଷ ଦିନରେ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ସାମାଜିକ ନାଟକ ପରିବେଷଣ କରାଯିବ ଏବଂ ଆସନ୍ତା ୭ ତାରିଖରେ ଭସାଣିଉତ୍ସବ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।



