ଭାରତ ଯେ କୌଣସି ସମୟରେ ଆଣବିକ ପରୀକ୍ଷା କରିବାକୁ ପ୍ରସ୍ତୁତ
ନୂଆଦିଲ୍ଲୀ: ଭାରତ ଯେ କୌଣସି ମୁହୂର୍ତ୍ତରେ ଆଣବିକ ପରୀକ୍ଷା କରିବାକୁ ପ୍ରସ୍ତୁତ। ଦେଶ ଆଣବିକ ଜ୍ଞାନକୌଶଳ ଓ ପ୍ରତିରକ୍ଷା ଗବେଷଣା କ୍ଷେତ୍ରରେ ଯେ କୌଣସି ଶକ୍ତିଶାଳୀ ଦେଶ ସହିତ ସମକକ୍ଷ। ଏଭଳି କହିଛନ୍ତି ପ୍ରତିରକ୍ଷା ଗବେଷଣା ବିଭାଗ ମୁଖ୍ୟ ଡଃ ଏସ୍. ଖ୍ରୀଷ୍ଟୋଫର। ପୋଖରାନ୍ ଆବଣବିକ ପରୀକ୍ଷଣର ଦୀର୍ଘ ୨୦ ବର୍ଷ ପରେ ଦେଶର ଜଣେ ପ୍ରତିରକ୍ଷା ବିଶେଷଜ୍ଞଙ୍କର ଏହି ମନ୍ତବ୍ୟ ବେଶ୍ ତାତ୍ପର୍ଯ୍ୟ ବହନ କରୁଛି। ଖ୍ରୀଷ୍ଟୋଫର କହିଛନ୍ତି ଯେ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଭାରତ ସମୟ କ୍ରମେ ଅଗ୍ରଗତି ଲାଭ କରିଚାଲିଛି। ଏହି ଅଗ୍ରଗତି ଅତି ଚମତ୍କାର। ଏ କ୍ଷେତ୍ରରେ ଆଉ ପଛକୁ ଫେରି ଚାହିଁବାର ନାହିଁ। ଉଲ୍ଲେଖଯୋଗ୍ୟ ଯେ ୧୯୯୮ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପାୟୀ ଭାରତୀୟ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ(ଡିଆରଡିଓ) ମୁଖ୍ୟ ଡଃ ଏପିଜେ ଅବଦୁଲ କଲାମଙ୍କୁ ଆଣବିକା ପରୀକ୍ଷା ପାଇର୍ ୪୦ଦିନ ସମୟ ଦେଇଥିଲେ। ଏହି ସମୟ ମଧ୍ୟରେ ପୋଖରାନ୍ଠାରେ ମେ ୧୧ ଓ ୧୩ରେ ୫ଟି ଆଣବିକ ବୋମା ପରୀକ୍ଷଣ କରାଯାଇଥିଲା। ବର୍ତ୍ତମାନ ଏହାଠାରୁ କମ୍ ସମୟରେ; ଯେ କୌଣସି ମୁହୂର୍ତ୍ତରେ ଆମେ ଏଭଳି ପରୀକ୍ଷଣ ପାଇଁ ପ୍ରସ୍ତୁତ ବୋଲି ଖ୍ରୀଷ୍ଟୋଫର ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।