www.samajalive.in
Monday, December 15, 2025
24.1 C
Bhubaneswar

ଏଲ୍‌ଓସି ଲଙ୍ଘି ଆତଙ୍କବାଦୀ ଶିବିର, ଅସ୍ତ୍ରାଗାର ଧ୍ବଂସ କଲା ଭାରତୀୟ ସେନା

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର କୁପୱାଡା ଜିଲା କେରନ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା (ଏଲଓସି) ଲଙ୍ଘନ କରି ପାକିସ୍ତାନର ଆତଙ୍କବାଦୀ ଶିବିର (ଲଞ୍ଚପ୍ୟାଡ) ଓ ଅସ୍ତ୍ରାଗାର ଉପରେ ଭାରତ ସେନା ବଡ ଧରଣର ସେନା କାର୍ଯ୍ୟାନୁଷ୍ଠାନ କରିଛି। ଶୁକ୍ରବାର ସକାଳେ ପାକିସ୍ତାନ ସେନା ଏହି ଅଞ୍ଚଳରେ ପ୍ରବଳ ଗୁଳିଗୋଳା ମାଡ କରିଥିବାବେଳେ ଏହାର ଜବାବରେ ଭାରତ ଏପରି ଜବାବୀ କାର୍ଯ୍ୟାନୁଷ୍ଠାନ କରିଛି। ଏହି ଘଟଣାକୁ ନେଇ ଉଭୟ ପକ୍ଷ ମଧ୍ୟରେ ବ୍ୟାପକ ଗୁଳିବିନିମୟ ହୋଇଛି। ଭାରତର ଜବାବରେ ପାକିସ୍ତାନର ଗୋଟିଏ ଆତଙ୍କବାଦୀ ଶିବିର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଥିବା କୁହାଯାଇଛି। ଭାରତ ସେନା ୧୦୫ ଏମ୍‍ଏମ ଫିଲ୍ଡ ଗନ ଓ ୧୫୫ ଏମଏମ୍‍ ବୋଫର୍ସ ହାୱିଜର ତୋପ ବ୍ୟବହାର କରିଥିଲା। ଜଣେ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଭାରତ ସେନା ପାକିସ୍ତାନ ଆତଙ୍କବାଦୀଙ୍କ ଲଞ୍ଚପ୍ୟାଡ ଓ ଅସ୍ତ୍ରାଗାରକୁ ସଠିକ୍‍ ନିଶାଣ କରିଥିଲା। ଆକ୍ରମଣରେ ପାକିସ୍ତାନ ପଟେ ବ୍ୟାପକ କ୍ଷତି ହୋଇଥିବାବେଳେ ଭାରତର କୌଣସି ଯବାନ ସହିଦ ହୋଇ ନାହାନ୍ତି। କରୋନା ପାଇଁ ସମଗ୍ର ଭାରତବାସୀ ଏକ ପ୍ରକାର ଚିନ୍ତାଜନକସ୍ଥିତିରେ ରହିଥିବାବେଳେ ପାକିସ୍ତାନ ଏହାର ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର ଯୋଜନା ଚଳାଇଛି। ଭାରତ ମଧ୍ୟକୁ ଅନୁପ୍ରବେଶ ଲାଗି ନିୟନ୍ତ୍ରଣ ରେଖା ନିକଟରେ ୨୩୦ ଆତଙ୍କବାଦୀ ପ୍ରସ୍ତୁତ ହୋଇ ରହିଥିବା ଦୁଇଦିନ ତଳେ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆତଙ୍କବାଦୀଙ୍କୁ ଅନୁପ୍ରବେଶ ଲାଗି ସୁଯୋଗ ଦେବାକୁ ପାକିସ୍ତାନ ସେନା ଆଜି ସକାଳେ କ୍ରସ ଫାଇରିଂ କରିଥିଲା। ଭାରତ ଏହାର କଡା ଜବାବ ଦେଇଛି।
ଗତ ରବିବାର (ଏପ୍ରିଲ ୫) ତାରିଖରେ କେରନ ସେକ୍ଟରରେ ଭାରତ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ୫ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ୪ପାରା ଏସଏଫ ବାଟାଲିୟନରେ ୫ କମାଣ୍ଡୋ ସହିଦ ହୋଇଥିଲେ। ତୁଷାର ଆଚ୍ଛାଦିତ କେରନ ସେକ୍ଟରରେ ଆତଙ୍କବାଦୀଙ୍କୁ ମୁକାବିଲା ଲାଗି କମାଣ୍ଡୋମାନଙ୍କୁ ହେଲିକପ୍ଟର ଯୋଗେ ଏୟାର ଡ୍ରପ କରାଯାଇଥିଲା। ମାତ୍ର ଆତଙ୍କବାଦୀଙ୍କ ସହ ଲଢେଇରେ ଏମାନେ ସହିତ ହୋଇଥିଲେ। କରୋନା ମହାମାରୀ ସମଗ୍ର ବିଶ୍ୱକୁ ଗ୍ରାସ କରିଥିବାବେଳେ ଏହି ଦୁଇଦେଶ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ୭୭୮ କିମି ଏଲଓସି ମଧ୍ୟରେ ଚଳିତ ବର୍ଷ ୧୨୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଙ୍ଘନ ହେଲାଣି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories