ସପ୍ତାହେ ବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନର ଶୁଭାରମ୍ଭ

ଶୁଭାରମ୍ଭ ମାନନ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିଆଲ ନିଶଙ୍କ

ନୂଆଦିଲ୍ଲୀ : କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ  ଶୁକ୍ରବାର ନୂଆଦିଲ୍ଲୀଠାରେ ଏକ ସପ୍ତାହ ବ୍ୟାପୀ ‘ଭାରତ ପଢ଼େ ଅନଲାଇନ’ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନ ମାଧ୍ୟମରେ ଦେଶର ଜନସାଧାରଣଙ୍କ ଠାରୁ ଭାରତରେ କିଭଳି ଅନଲାଇନ୍‌ ଶିକ୍ଷା ବାତାବରଣକୁ ଉନ୍ନତି ଘଟାଯାଇପାରିବ ସେ ସଂପର୍କରେ ମତାମତ ଆହ୍ୱାନ କରାଯାଇଛି । ଏହି ଅବସରରେ ନିଜର ମତ ବ୍ୟକ୍ତ କରି ମନ୍ତ୍ରୀ ଶ୍ରୀ ପୋଖରିଆଲ କହିଲେ ଯେ, ଭାରତର ଶ୍ରେଷ୍ଠ ଚିନ୍ତାଶୀଳ ବ୍ୟକ୍ତିବିଶେଷଙ୍କ ମତାମତ ସଂଗ୍ରହ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ସେମାନେ ଦେଶରେ ଅନଲାଇନ୍‌ ଶିକ୍ଷାଦାନ ବ୍ୟବସ୍ଥାକୁ କିଭଳି ଉନ୍ନତ ଓ ବାସ୍ତବଧର୍ମୀ କରାଯାଇପାରିବ ସେ ସଂପର୍କରେ ନିଜ ନିଜର ମତାମତ / ସେହି କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ପନ୍ଥା ସଂପର୍କରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଜଣାଇପାରିବେ । ସେହିଭଳି ଏବେ ଉପଲବ୍ଧ ଥିବା ଡ଼ିଜିଟାଲ ଶିକ୍ଷା ପ୍ଲାଟଫର୍ମକୁ କିଭଳି ସଂପ୍ରସାରଣ କରାଯାଇପାରିବ ସେଥିପାଇଁ ମଧ୍ୟ ପରାମର୍ଶ ଦେବେ । ଶ୍ରୀ ନିଶଙ୍କ କହିଲେ ଯେ ଏହି କ୍ଷେତ୍ରରେ ବିଶେଷଜ୍ଞମାନେ ସେମାନଙ୍କର ମତାମତ bharatpadheonline.mhrd@gmail.comରେ ଏବଂ ଟ୍ଵିଟରରେ #BharatPadhe ଅନଲାଇନ ବ୍ୟବହାର କରି ୧୬ ଅପ୍ରେଲ ୨୦୨୦ ସୁଦ୍ଧା ପଠାଇ ପାରିବେ । ଟ୍ଵିଟର ବ୍ୟବହାର କଲାବେଳେ ଜଣେ ପ୍ରେରକ @HRDMinistry ଏବଂ @DrRPNishank ବୋଲି ସୂଚୀତ କରିବାକୁ ପଡ଼ିବ ଯଦ୍ୱାରା ସେମାନଙ୍କର ଚିନ୍ତାଧାରା ଓ ମତାମତ ଆମକୁ ବିଜ୍ଞପିତ ହେବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଶ୍ରୀ ନିଶଙ୍କ ଆହୁରି କହିଛନ୍ତି ଯେ ବ୍ୟକ୍ତିଗତ ଭାବେ ସେ ସମସ୍ତ ବିଶେଷଜ୍ଞଙ୍କ ମତାମତକୁ ପଢ଼ିବେ ।

ଡକ୍ଟର ପୋଖରିଆଲ କହିଛନ୍ତି ଯେ ଏଥିରେ ଛାତ୍ରଛାତ୍ରୀ ଓ ଶିକ୍ଷକଗଣ ହେଉଛନ୍ତି ଆମର ମୁଖ୍ୟ ‘ଟାର୍ଗେଟ୍‌ ଅଡ଼ିଅନ୍ସ’ ଏବଂ ସେ ଆଶା କରନ୍ତି ଯେ ସେମାନେ ସଭିଏଁ ଏହି ଅଭିଯାନରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବେ ଯଦ୍ୱାରା ବର୍ତ୍ତମାନ ପ୍ରଚଳିତ ଅନଲାଇନ ଶିକ୍ଷା ପଦ୍ଧତିକୁ ଉନ୍ନତ କରାଯାଇପାରିବ । ସେ ଆହୁରି କହିଛନ୍ତି ଯେ ଯେଉଁମାନେ ଏବେ ସ୍କୁଲ କିମ୍ବା କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି ଏବଂ ସେମାନଙ୍କୁ ବର୍ତ୍ତମାନର ଡ଼ିଜିଟାଲ ପ୍ଲାଟଫର୍ମ ସହ ସଂପର୍କୀତ ଅଛନ୍ତି ଯଦ୍ୱାରା ସେମାନଙ୍କୁ ଦୈନନ୍ଦିନ ଭିତ୍ତିରେ ବିଭିନ୍ନ ପାଠ୍ୟକ୍ରମ ପ୍ରଦାନ କରାଯାଉଛି । ସେମାନେ ମଧ୍ୟ ଏହି ଅନଲାଇନ୍‌ ପ୍ଲାଟଫର୍ମରେ ଥିବା ଦୋଷତ୍ରୁଟି ସଂପର୍କରେ ନିଜର ମତାମତ ରଖିପାରିବେ ଏବଂ ତାହାକୁ କିଭଳି ଭାବେ ଆମେ ଉନ୍ନତ କରିପାରିବା ସେଥିନେଇ ପରାମର୍ଶ ଦେଇପାରିବେ ।

ଦେଶବ୍ୟାପୀ ଶିକ୍ଷକ ସମାଜ ଏହି ଦିଗରେ ଆଗେଇ ଆସିବା ଉଚିତ ଓ ଏହାର ଉନ୍ନତି କଳ୍ପେ ସେମାନେ ନିଜ ନିଜର ଅନୁଭୂତି ତଥା ବିଶେଷ ଜ୍ଞାନ ପ୍ରଦାନ ପୂର୍ବକ ସହଯୋଗ କରିବା ଆବଶ୍ୟକ ବୋଲି ଡକ୍ଟର ନିଶଙ୍କ କହିଛନ୍ତି ।  ସେମାନଙ୍କ ସହ ସରକାର ଆଲୋଚନା ଆରମ୍ଭ କରିପାରିବେ ଓ ଏକ ଆଦର୍ଶ ଅନଲାଇନ୍‌ ଶିକ୍ଷା ବାତାବରଣ ସୃଷ୍ଟି ପାଇଁ କ’ଣ ଉପଯୋଗୀ ବୋଲି ସେମାନେ ଭାବନ୍ତି ତାହା ବ୍ୟକ୍ତ କରିପାରିବେ । ଭାରତର ବର୍ତ୍ତମାନର ଅନଲାଇନ୍‌ ଶିକ୍ଷା ଦୃଶ୍ୟପଟ୍ଟରେ ଥିବା ସୀମିତତା କଣ ରହିଛି ତାହା ମଧ୍ୟ ସେମାନେ ଦର୍ଶାଇ ପାରିବେ । ପାରମ୍ପରିକ ଶ୍ରେଣୀକକ୍ଷ ଶିକ୍ଷାଦାନରେ ଥିବା ଆହ୍ଵାନଗୁଡ଼ିକୁ କିଭଳି ଅନଲାଇନ ଶିକ୍ଷା ବ୍ୟବସ୍ଥାରେ ଦୂର କରାଯାଇପାରିବ ସେଥି ନେଇ ମଧ୍ୟ ମତ ପ୍ରଦାନ କରିପାରିବେ ।

ଡକ୍ଟର ନିଶଙ୍କ ପୁଣି ଥରେ ସମସ୍ତ ଭାରତୀୟଙ୍କୁ ଏହି ବିଶେଷ ପ୍ରୟାସରେ ଅଂଶଗ୍ରହଣ କରିବା ସକାଶେ ତଥା ଭାରତରେ ଅନଲାଇନ୍‌ ଶିକ୍ଷାଦାନ ପଦ୍ଧତିକୁ ବ୍ୟାପକ କରିବା ଲାଗି ନିବେଦନ କରିଛନ୍ତି ।

Comments are closed.