ପ୍ଲାଷ୍ଟିକ ଛାଡ଼, ଗଛ ଲଗାଅ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ୪୪ତମ ‘ମନ କି ବାତ୍‍’ କାର୍ୟ୍ୟକ୍ରମରେ ବିଶ୍ୱ ପରିବେଶ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରିଛନ୍ତି। ପ୍ରତିବର୍ଷ ଜୁନ୍‍ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ହୋଇ ଆସୁଛି। ଚଳିତ ବର୍ଷ ବିଶ୍ୱ ପରିବେଶ ଦିବସର ଆୟୋଜକ ରାଷ୍ଟ୍ର ହେଉଛି ଭାରତ। ୨୦୧୮ ବିଶ୍ୱ ପରିବେଶ ଦିବସର ମୂଳ ବିଷୟ ରହିଛି ‘ପ୍ଲାଷ୍ଟିକ୍‍ ପ୍ରଦୂଷଣ ନିୟନ୍ତ୍ରଣ’। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଜଳବାୟୁ ପରିବର୍ତ୍ତନ ରୋକିବା ଦିଗରେ ଭାରତର ଗୁରୁତ୍ୱକୁ ବିଶ୍ୱ ସମୁଦାୟ ଉପଲବ୍ଧ କରିବା ପୂର୍ବକ ଆମକୁ ଏହି ଦାୟିତ୍ୱ ଅର୍ପଣ କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱକୁ ପ୍ଲାଷ୍ଟିକ ପ୍ରଦୂଷଣରୁ ରୋକିବା ପାଇଁ ଆମେ ସମସ୍ତେ
ପ୍ଲାଷ୍ଟିକ ଜିନିଷ ବର୍ଜନ କରିବା ଦରକାର। ବିଶେଷକରି ନିମ୍ନ ମାନର ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନ କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିବା ସହିତ ଏହି ପ୍ଲାଷ୍ଟିକର ଅପକାର ବାବଦରେ ସଚେତନ କରାଇ ଦେଇଛନ୍ତି। ନିମ୍ନ ମାନର ପ୍ଲାଷ୍ଟିକ ଆମ ପରିବେଶ, ବନ୍ୟଜନ୍ତୁ ଓ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପକାଇଥାଏ। ପ୍ଲାଷ୍ଟିକ ଜିନିଷ ବର୍ଜନ ସହିତ ଚାରା ରୋପଣ ପୂର୍ବକ ପରିବେଶକୁ ସୁସ୍ଥ ରଖିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ପରିବେଶ ପରିବର୍ତ୍ତନ ଯୋଗୁଁ ଧୂଳି ଝଡ, ଅନିୟମିତ ବର୍ଷା, ଗ୍ରୀଷ୍ମ ପ୍ରବାହ, ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି। ଏପରି ପରିବେଶ ପରିବର୍ତ୍ତନକୁ ରୋକିବା ଲାଗି ଆମେ ସମ୍ବେଦନଶୀଳ ହେବା ପୂର୍ବକ ଆବଶ୍ୟକ ପଦକ୍ଷେପ ନେବା ଦରକାର। ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାରତର ପାରମ୍ପରିକ କ୍ରୀଡାର ପ୍ରୋତ୍ସାହନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ମନ କି ବାତରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଓ ସ୍ୱାଧୀନତା ସଂଗ୍ରାମୀ ବୀର ସବରକରଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

Leave A Reply