ନନ୍ଦନକାନନରେ ଅସୁସ୍ଥ ଜଳହସ୍ତୀର ମୃତ୍ୟୁ

ନନ୍ଦନକାନନ:  ନନ୍ଦନକାନନ ପ୍ରାଣୀଉଦ୍ୟାନର ଆକର୍ଷଣ ସାଜିଥିବା ଏକ ଅଣ୍ଡିରା ଜଳହସ୍ତୀର ମୃତ୍ୟୁ ଘଟିଛି। ଚଳିତ ମାସ ପହିଲାରୁ ସେ ଅସୁସ୍ଥ ଥିଲା। ୩ବର୍ଷର ଏହି ଅଣ୍ଡିରା ଜଳହସ୍ତୀ ସହ ଅନ୍ୟ ଏକ ୧୦ ବର୍ଷର ଅଣ୍ଡିରା ଜଳହସ୍ତୀର ସଂଘର୍ଷ ହୋଇଥିଲା। ଫଳରେ ୩ ବର୍ଷର ଜଳହସ୍ତୀର ଦେହସାରା ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

ପ୍ରଚୁର ରକ୍ତସ୍ରାବ ଯୋଗୁଁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। ତା’ର ଚିକିତ୍ସା ହେଉଥିଲା। ଅସୁସ୍ଥ ଜଳହସ୍ତୀଟି ଦୁଇ ଦିନ ହେବ ନିଖୋଜ ଥିଲା। କର୍ତ୍ତୃପକ୍ଷ ଜନ୍ତୁ ବିଭାଗ ବନାଞ୍ଚଳ (ରେଞ୍ଜର)ଙ୍କ ଦ୍ବାରା ଖୋଜାଖୋଜି କରିଥିଲେ ମଧ୍ୟ ସନ୍ଧାନ ପାଇନଥିଲେ। ଶନିବାର ସକାଳେ ଜଳହସ୍ତୀଟି ଖୁଆଡର ଜଳାଶୟରେ ମରି ପାଣିରେ ଭାସୁଥିବା ଦେଖିବାକୁ ମିଳିଥିଲା। ଜନ୍ତୁ ବିଭାଗ ଦାୟିତ୍ବରେ ଥିବା ବନାଧିକାରୀ, ବନପାଳ ଓ କର୍ମଚାରୀ ଜେସିବି ମେସିନ୍ ସହାୟତାରେ ମୃତ ଜଳହସ୍ତୀକୁ ପାଣିରୁ କାଢ଼ିଥିଲେ। ମୃତ୍ୟୁ କାରଣ ଜାଣିବା ପାଇଁଁ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ କରାଇଛନ୍ତି।

ଏହାପରେ ନନ୍ଦନକାନନରେ ଜଳହସ୍ତୀଙ୍କ ସଂଖ୍ୟା ୧୦କୁ ହ୍ରାସ ପାଇଛି। ନନ୍ଦନକାନନ ଉପନିର୍ଦେଶକ ସନଥ୍‌ କୁମାର ନାରାୟଣ କହିଛନ୍ତି, ଦୁଇ ସପ୍ତାହ ପୂର୍ବେ ଖୁଆଡ଼ରେ ଅନ୍ୟ ଜଳହସ୍ତୀ ସହିତ ସଂଘର୍ଷ ଘଟି ଜଳହସ୍ତୀଟି ଅସୁସ୍ଥ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ନନ୍ଦନକାନନ ପ୍ରାଣୀଉଦ୍ୟାନରେ ବାରମ୍ବାର ଜନ୍ତୁ ବିଭାଗର ପରିଚାଳନାଗତ ତ୍ରୁଟି ଓ ରକ୍ଷଣାବେକ୍ଷଣ ଅଭାବରୁ ଗୋଟିଏ ପରେ ଗୋଟିଏ ନିରୀହ ଜୀବଜନ୍ତୁଙ୍କ ଅକାଳରେ ମୃତ୍ୟୁ ଘଟଣାକୁ ନେଇ ଜୀବଜନ୍ତୁପ୍ରେମୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିପ୍ରତି ବିଭାଗୀୟ ମନ୍ତ୍ରୀ ଓ ସଚିବ ଦୃଷ୍ଟି ଦେବାକୁ ନନ୍ଦନକାନନ ଜଙ୍ଗଲ ଓ ଜୀବଜନ୍ତୁ ସୁରକ୍ଷା ମଞ୍ଚ ଦାବି କରିଛି।

Comments are closed.