କେନ୍ଦ୍ରକୁ ନାଇଡୁଙ୍କ ଧମକ: ସହାୟତା ନାହିଁ ତ ଟିକସ ନାହିଁ

0

ହାଇଦରାବାଦ: କେନ୍ଦ୍ରୀୟ ସହାୟତା ପ୍ରଦାନରେ ପାତରଅନ୍ତର ନୀତିକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କେନ୍ଦ୍ର ସରକାରଙ୍କୁ ଧମକ ଦେଇଛନ୍ତି। ନାଇଡୁ କହିଛନ୍ତି ଯେ କେନ୍ଦ୍ର ସରକାର ଆମକୁ ସହାୟତା ନ ଦେଲେ ଆମେ କେନ୍ଦ୍ରୀୟ ଟିକସ ଦେବୁ ନାହିଁ। ସେ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟର ବିକାଶ ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପାଣ୍ଠି ଦେବାକୁ ଅନିଚ୍ଛା ପ୍ରକାଶ କରୁଥିବାବେଳେ ରାଜ୍ୟ ସରକାର କାହିଁକି କେନ୍ଦ୍ରୀୟ ଟିକସ ଦେବେ? ମଙ୍ଗଳବାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ର ବାର୍ଷିକ ସମ୍ମିଳନୀର ଉଦ୍‍ଯାପନୀ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ନୂଆ ରାଜଧାନୀ ଅମରାବତୀର ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠି ଦେଉନାହାନ୍ତି। କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶରେ ବିଶ୍ୱସ୍ତରୀୟ ରାଜଧାନୀ ନିର୍ମାଣ ଚାହୁଁନାହାନ୍ତି। ତେଣୁ ଆନ୍ଧ୍ରପ୍ରଦେଶ ସରକାର କାହିଁକି କେନ୍ଦ୍ରୀୟ ଟିକସ ଦେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅମରାବତୀର ନିର୍ମାଣ ଶେଷ ପରେ ଏହା କେନ୍ଦ୍ର ସରକାରଙ୍କୁ ବ୍ୟାପକ ରାଜସ୍ୱ ଦେବ। ଆୟକର, କର୍ପୋରେଟ ଟିକସ ଓ ଜିଏସଟି ଆକାରରେ ଏହା କେନ୍ଦ୍ରକୁ ବହୁତ ରାଜସ୍ୱ ଦେବ; ଏହାସତ୍ତେ୍ୱ କେନ୍ଦ୍ର ସରକାର ଏହି ରାଜଧାନୀର ନିର୍ମାଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅମରାବତୀର ନିର୍ମାଣ ପାଇଁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ କେନ୍ଦ୍ର ସରକାର ପାଣ୍ଠି ଦେଉ ନଥିବାବେଳେ ଗୁଜରାଟରେ ଧୋରେଲା ସ୍ମାର୍ଟ ସିଟି ନିର୍ମାଣ ପାଇଁ ୯୫,୦୦୦କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅମରାବତୀ ସହର ନିର୍ମାଣ ହେଲେ ଏଠାରେ ୩୫ଲକ୍ଷ ଲୋକ ବସବାସ କରିବାର ସୁବିଧା ପାଇବେ। ଏଠାରେ ବିଶ୍ୱସ୍ତରୀୟ ସୁବିଧାସୁଯୋଗ ଯୋଗାଇ ଦିଆଯିବ।

Leave A Reply