ବିଜେଡିର ସୌମ୍ୟା ମହାପାତ୍ର ହେଲେ ନବରଙ୍ଗପୁର ପୌରଉପାଧ୍ୟକ୍ଷା
ନବରଙ୍ଗପୁର: ନବରଙ୍ଗପୁର ପୌରପାଳିକାର ଉପାଧ୍ୟକ୍ଷା ଭାବେ ବିଜୁଜନତାଦଳର ପ୍ରାର୍ଥୀ ସୌମ୍ୟା ମହାପାତ୍ର ବିଜୟୀ ହୋଇଛନ୍ତି। ଆଜି ପୂର୍ବାହ୍ନରେ ୧୧ଟାରେ ବିଜେଡିପ୍ରାର୍ଥୀ ସୌମ୍ୟା ମହାପାତ୍ର ଓ ବିଜେପି ପ୍ରାର୍ଥୀ ଶର୍ମିଷ୍ଠା ଦେଓ ନାମାଙ୍କନପତ୍ର ଦାଖଲ କରିଥିଲେ। ଅପରାହ୍ନ ୧ଟାରୁ ୩ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଥିଲା। ଏଥିରେ ମୋଟ ୧୭ ଜଣ କାଉନସିଲର ଭୋଟ ଦେବାକୁ ଥିବାବେଳେ ଜଣେ ସ୍ୱାଧୀନ କାଉନ୍ସିଲର ଭୋଟ ଦେଇନଥିଲେ। ତେବେ ୧୬ଟି ଭୋଟରୁ ୧୦ଟି ବିଜେଡି ପ୍ରାର୍ଥୀ ପାଇଥିବାବେଳେ ବିଜେପି ପ୍ରାର୍ଥୀ ୬ଟି ଭୋଟ ପାଇଥିଲେ। ଫଳରେ ବିଜେଡି ପ୍ରାର୍ଥୀ ସୌମ୍ୟା ଅଧିକ ୪ଟି ଭୋଟ ପାଇ ବିଜୟୀ ହୋଇଥିଲେ। ଏହାପରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଜିଲା ମହିଳା ବିଜେଡି ସଭାନେତ୍ରୀ ମଞ୍ଜୁଳା ମାଝୀ, କୋରାପୁଟ ଜୋନ ଯୁବବିଜେଡି ସଭାପତି ତାପସ ତ୍ରିପାଠୀ, ନଗର ସଭାପତି ପ୍ରମୋଦ କୁମାର ରଥ, ଭୀମ ହରିଜନ, ଲାଲୁ ତ୍ରିପାଠୀ, ସଞ୍ଜୟ ନାୟକ ଓ ମନୋଜ ସଗରିଆ, ସଞିବ ନନ୍ଦ ଓ କାଉନସିଲ ପ୍ରମୁଖ ଉପସ୍ଥିତ ରହି ସୌମ୍ୟାଙ୍କୁ ସ୍ୱାଗତ କରିଥିଲେ। ଏହାପରେ ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏକ ଶୋଭାଯାତ୍ରା କରାଯାଇ ସହର ପରିକ୍ରମା କରିବା ସହିତ ମା’ଭଣ୍ଡାରଘରଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇଥିଲା।
ସୂଚନାଯୋଗ୍ୟ ଯେ ପୌରାଧ୍ୟକ୍ଷ ଭାବେ ବିଜେପିର କୁନୁ ନାୟକ ବିଜୟୀ ହୋଇଥିବାବେଳେ ଉପାଧ୍ୟକ୍ଷ ପଦବୀ ବିଜେଡି ହାତେଇବାକୁ ସକ୍ଷମ ହୋଇପାରିଛି।
Comments are closed.