ନବରଙ୍ଗପୁର ପୌରପାଳିକାର ଅଧ୍ୟକ୍ଷ ଭାବେ, ବିଜେପିର କୁନୁ ନାୟକ ବିଜୟୀ
ନବରଙ୍ଗପୁର: ନବରଙ୍ଗପୁର ପୌର ନିର୍ବାଚନର ଭୋଟଗଣତି ଶେଷ ହୋଇଥିବାବେଳେ ଭାରତୀୟ ଜନତାପାର୍ଟି (ବିଜେପି)ର ପ୍ରାର୍ଥୀ କୁନୁ ନାୟକ ବିଜୟୀ ହୋଇଛନ୍ତି। ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁଜନତାଦଳର ପ୍ରାର୍ଥୀ ଭୀମ ହରିଜନଙ୍କୁ ୨୦୦୦ ଭୋଟରେ ପରାସ୍ତ କରିଛନ୍ତି। ନିର୍ବାଚନରେ ମୋଟ ୧୭୨୧୪ଟି ଭୋଟଦାନ ହୋଇଥିବାବେଳେ ସେଥିରୁ ବିଜେପିର କୁନୁ ନାୟକ ୮୯୪୪ ଟି ଭୋଟ ଓ ବିଜେଡିର ଭୀମ ହରିଜନ ୬୯୪୪ ଟି ଭୋଟ ପାଇଛନ୍ତି। କଂଗ୍ରେସର ନୀଲମ ହରିଜନ ୮୨୯ଟି ଓ ସ୍ୱାଧୀନ ପ୍ରାର୍ଥୀ ସାଗର ନାୟକ ୨୮୧ ଟି ଭୋଟ ପାଇଥିବାବେଳେ ନୋଟାରେ ୨୧୬ଟି ଭୋଟ ଯାଇଛି। ସେହିପରି ୧୭ଟି ୱାର୍ଡର କାଉନସିଲର ନିର୍ବାଚନରେ ବିଜେଡି ୯, ବିଜେପି ୬ ଓ ସ୍ୱାଧୀନପ୍ରାର୍ଥୀ ୨ଜଣ ବିଜୟୀ ହୋଇଛନ୍ତି। ୧ନମ୍ବର ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ଗୀତାଞଳୀ ଯାଦବ, ୨ନମ୍ବରରେ ବିଜେଡିର ପୁରୁଷୋତ୍ତମ ହରିଜନ, ୩ରେ ବିଜେପିର ମମତା ମହାରଣା, ୪ରେ ବିଜେପିର ଶର୍ମିଷ୍ଠାଦେଓ, ୫ରେ ସ୍ୱାଧୀନ ପ୍ରାର୍ଥୀ ଆଇ.ମୂରଲୀ କ୍ରିଷ୍ଣା, ୬ରେ ବିଜେଡିର ପି.କେଶବ ରାଜୁ, ୭ରେ ବିଜେଡିର ପି.ଉଷାରାଣୀ ରାଓ, ୮ରେ ବିଜେଡିର ସନ୍ତୋଷୀ ଜାନୀ, ୯ରେ ବିଜେଡିର ବିଷ୍ନୁ ସୌରା, ୧୦ରେ ବିଜେପିର ଏ.ସତୀଶ, ୧୧ରେ ବିଜେପିର କୁମାରୀ ପୁନମ ସାହୁ, ୧୨ରେ ବିଜେଡିର ଏମ.ରାଜେଶ୍ୱରୀ, ୧୩ରେ ବିଜେଡିର ରଞିତା ପଣ୍ଡା, ୧୪ରେ ବିଜେଡିର ନଗେନ୍ଦ୍ର ପ୍ରସାଦ ପଟ୍ଟନାୟକ, ୧୫ରେ ବିଜେପିର ସମେଶ ଖରା, ୧୬ରେ ବିଜେପିର ଅମିତ ପ୍ରଧାନ ଓ ୧୭ରେ ବିଜେଡିର ସୌମ୍ୟା ମହାପାତ୍ର ବିଜୟୀ ହୋଇଛନ୍ତି। ପୂର୍ବାହ୍ନରେ ଏହି ଭୋଟ ଗଣତି କଡା ସୁରକ୍ଷା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ତେବେ ଏହି ଫଳାଫଳ ଘୋଷଣା ହେବା ପରେ ବିଜୟୀ ପ୍ରାର୍ଥୀ ଓ ସମର୍ଥକ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।
ତେବେ ପୌରାଧ୍ୟକ୍ଷରେ ବିଜୟୀ ହେବା ପରେ ସହରରେ ବିଜେପି ନେତାକର୍ମୀ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଦେଇଛି। ଅପରାହ୍ନରେ ବିଜେପି କାର୍ଯ୍ୟାଳୟରୁ ପୌରାଧ୍ୟକ୍ଷ ସମେତ ବିଜେପିର ୬ଜଣ କାଉନସିଲର ସମେତ ବହୁ ସଂଖ୍ୟାରେ ଦଳରନେତାକର୍ମୀ ଏକ ଶୋଭାଯାତ୍ରା ବାଜାବାଜଣା ସହିତ ନାଚଗୀତରେ ବାହାରି ସହର ପରିକ୍ରମା କରିଥିଲା। ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାରଘରଣୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ବିଜେପିି ଜିଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀଶଙ୍କର ମାଝୀ, ଜିଲା ଯୁବମୋର୍ଚ୍ଚା ପ୍ରଭାରୀ କାହ୍ନୁ ଦାଶ, ନଗର ସଭାପତି ପିଣ୍ଟୁମିଶ୍ର , ଜିଲା ମିଡିଆ ସଂଯୋଜକ ଦେବଦାସ ମହାଙ୍କୁଡ, ମୃତୁଞ୍ଜୟ ଦାଶ, ସୁବ୍ରତ ମିଶ୍ର, ମଧୂଗାଦବା, ଦୈତାରୀ ମାଝୀ, ମନୋଜ ମହାଙ୍କୁଡଙ୍କର ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ ନବନିର୍ବାଚିତ ପୌରାଧ୍ୟକ୍ଷ କୁନୁ ନାୟକ ଗଣମାଧ୍ୟମକୁ ପ୍ରଥମ ପ୍ରତିକ୍ରିୟାଦେଇ ବିଜେପି ପକ୍ଷରୁ ଦିଆଯାଇଥିବା ସମସ୍ତ ସଂପଳ୍ପକୁ ପୂରଣ କରାଯିବ। ସହରର ସର୍ବାଙ୍ଗୀନ ବିକାଶ କରାଯିବାସହିତ ପ୍ରତ୍ୟେକ ଲୋକର ସମସ୍ୟାର ସମାଧାନ କରାଯିବାକୁ ଉଦ୍ୟମ କରାଯିବ ବୋଲି କହିଥିଲେ।
Comments are closed.