ମୁମ୍ବଇରେ ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ

0

ମୁମ୍ବଇ: ପ୍ରବଳ ବର୍ଷା ଯୋଗୁ ମୁମ୍ବଇରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ବିଭିନ୍ନ ସ୍ଥାନରେ ରାସ୍ତାରେ ପାଣି ଜମି ରହିଛି। ଫଳରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳ ସମେତ ଅନେକ ସ୍ଥାନରେ ପାଣି ଜମି ରହିଥିବାରୁ ଏବଂ ସ୍ରୋତ ପ୍ରଖର ଥିବାରୁ ଲୋକଙ୍କୁ ଘରୁ ବାହାରିବା ପାଇଁ ବାରଣ କରାଯାଇଛି। ସେହିପରି ରାସ୍ତାଘାଟରେ ପାଣି ଜମି ରହୁଥିବାରୁ ସତର୍କତାର ସହିତ ଯାତାୟତ କରିବା ପାଇଁ  ମୁମ୍ବଇ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନେକ ଅଞ୍ଚଳ ଜଳବନ୍ଦୀ  ହୋଇ ରହିଛି। ଗତ ୪ ଦିନ ଧରି ମୁମ୍ବଇର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।

କେନ୍ଦ୍ରୀୟ ରେଳବାଇର କେତେକ ଟ୍ରେନ ଚଳାଚଳ  ବ୍ୟାହତ ହୋଇଛି, ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି। କେତେକ ବିମାନ ବିଳମ୍ବରେ ଚଳାଚଳ କରୁଥିବା ଜଣା ପଡିଛି।
ଅନ୍ୟପକ୍ଷରେ ଶନିବାର ମହାରାଷ୍ଟ୍ରରେ ବର୍ଷା ଜନିତ ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ଘଟିଛି। ଥାନେ ଜିଲ୍ଲାର ପତନବୁନ୍ଦର ଅଞ୍ଚଳରେ ବଜ୍ରାଘାତ ଯୋଗୁ ଜଣେ ମତ୍ସ୍ୟଜୀବୀଙ୍କ ପ୍ରାଣହାନୀ ଘଟିଥିବାବେଳେ ୬ଜଣ ଆହତ ହୋଇଥିଲେ। ଥାନେ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ଘଟିଥିବା ଏକ ସଡକ ଦୁର୍ଘଟଣାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ରବିବାର ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଘଡଘଡି ସହିତ ବର୍ଷା ସାଙ୍ଗକୁ ପବନ ବହିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଜାତୀୟ ରାଜଧାନୀ କ୍ଷେତ୍ର ସମେତ ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ ଓ ଛତିଶଗଡ଼ ତଥା ଉତ୍ତର ଭାରତରେ ଘଡ଼ଘଡ଼ି ସହ ବର୍ଷା, ବଜ୍ରପାତ ଓ ପବନ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Leave A Reply