ମୁଖ୍ୟ ସଚିବ ଓ କୁଳପତିଙ୍କୁ ରାଜ୍ୟପାଳଙ୍କ ରିପୋର୍ଟ ତଲବ
ଅନ୍ଧାରରେ ୯ ମିନିଟ୍ ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରସଙ୍ଗ
ବାରିପଦା : ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୀକ୍ଷାନ୍ତ ଅଭିଭାଷଣ ଦେବା ସମୟରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହେବା ଏବଂ ରାଷ୍ଟ୍ରପତି ୯ ମିନିଟ୍ ଧରି ଅନ୍ଧାରରେ ଭାଷଣ ଦେବା ଘଟଣା ବିଭିନ୍ନ ମହଲରେ ଆଲାଡ଼ନ ସୃଷ୍ଟି କରିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହି ଘଟଣାରେ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଏବଂ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କଠାରୁ ରିପୋର୍ଟ ମାଗିଛନ୍ତି। ଆସନ୍ତା ୭ଦିନ ଭିତରେ ରିପୋର୍ଟ ଦେବାକୁ ରାଜ୍ୟପାଳଙ୍କ ନିର୍ଦେଶରେ କୁହାଯାଇଛି।
ଉଲ୍ଲେଖଯୋଗ୍ୟ ଯେ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଗତ ଶନିବାର ରାଜ୍ୟପାଳ ପ୍ରଫେସର ଲାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଦ୍ୱାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରୁଥିବା ସମୟରେ ୯ମିନିଟ୍ (ପୂର୍ବାହ୍ନ ୧୧ଟା ୫୬ରୁ ୧୨ଟା ୦୫ ପର୍ଯ୍ୟନ୍ତ) ଧରି ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଥିଲା। ରାଷ୍ଟ୍ରପତି ତାଙ୍କ ଉଦ୍ବୋଧନ ଜାରି ରଖିଥିଲେ। କିନ୍ତୁ କିଟିକିଟି ଅନ୍ଧାରରେ ଉକ୍ତ ସମ୍ମିଳନୀ କକ୍ଷରେ ଦର୍ଶକଙ୍କ ସମେତ ସୁରକ୍ଷାକର୍ମୀ ଓ ପୁଲିସ ଅଧିକାରୀମାନେ ପରସ୍ପରକୁ ଦେଖିପାରୁନଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିଲା। ଜିଲା ପ୍ରଶାସନ ପକ୍ଷରୁ ଭାରତର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ସୁରକ୍ଷା ଦିଗ ପ୍ରତି ଅବହେଳା କରାଯାଇଥିବା ନେଇ ମଧ୍ୟ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା।
ଘଟଣା ଦିନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ତ୍ରିପାଠୀ ଏହି ବିଦ୍ୟୁତ୍ ବିଭ୍ରାଟ ଷଡ଼ଯନ୍ତ୍ର ନା ଆକସ୍ମିକ ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ସ୍ପଷ୍ଟ କରିଥିଲେ। ଏହି ଘଟଣା ପାଇଁ କୁଳପତି ନିଜକୁ ଦାୟୀ କରିବା ସହିତ ଲଜ୍ଜିତ ହୋଇ କ୍ଷମା ମାଗିଥିଲେ। ଏହି ଘଟଣା ପାଇଁ ପ୍ରାଥମିକ ପର୍ଯ୍ୟାୟରେ ବିଶ୍ୱବିଦ୍ୟାଳୟର ଜଣେ ଠିକା ବିଦ୍ୟୁତ୍ କର୍ମଚାରୀଙ୍କୁ ଉକ୍ତ ଦିନ ନିଲମ୍ବିତ କରାଯିବା ସହିତ କୁଳପତିଙ୍କ ପକ୍ଷରୁ ତଦନ୍ତ ସକାଶେ ଏକ ତିନିଜଣିଆ କମିଟି ମଧ୍ୟ ଗଠନ କରାଯାଇଥିଲା। ଏପର୍ଯ୍ୟନ୍ତ ତଦନ୍ତ ରିପୋର୍ଟ ସମ୍ପର୍କରେ କିଛି ଜଣାପଡ଼ିନାହିଁ। ଏପରିକି ବିଦ୍ୟୁତ୍ ବିଭ୍ରାଟ ସମ୍ପର୍କରେ ଜିଲା ପ୍ରଶାସନ ନିରବତା ଅବଲମ୍ବନ କରୁଥିବାବେଳେ ବିଦ୍ୟୁତ୍ ବିଭାଗ ଏବଂ ଇଡକୋ ପରସ୍ପରକୁ ଦୋଷାରୋପ କରୁଛନ୍ତି।
Comments are closed.