ଭୁବନେଶ୍ବର ରେଳ ଷ୍ଟେସନ ଆଧୁନିକୀକରଣ ପାଇଁ ଏମ୍‌ଓୟୁ ଶୀଘ୍ର: ରେଳବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର : ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ମଲ୍ଟି ମୋଡାଲ ହବ୍ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରେଳବାଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର ହେବ। ଏହା ଆମ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଏବଂ ଏଥିରେ ରେଳବାଇ ଅବହେଳା କରିବ ନାହିଁ ବୋଲି ରେଳବୋର୍ଡ ଅଧ୍ୟକ୍ଷ ବିନୋଦ କୁମାର ଯାଦବ କହିଛନ୍ତି।
ଆଜି ଭୁବନେଶ୍ବର ଗସ୍ତରେ ଆସିଥିବା ଅବସରରେ ଶ୍ରୀ ଯାଦବ କହିଥିଲେ ଯେ ଭୁବନେଶ୍ବର ରେଳ ଷ୍ଟେସନ୍‌କୁ ଏକ ଅତ୍ୟାଧୁନିକ ରେଳ ଷ୍ଟେସନ୍‌ରେ ପରିଣତ କରାଯିବ। ମଲ୍ଟି ମୋଡାଲ ହବ୍ ପ୍ରକଳ୍ପ ଭୁବନେଶ୍ବର ପାଇଁ ଏକ ବଡ଼ ପ୍ରକଳ୍ପ। ତେଣୁ ରେଳବାଇ ଏହାକୁ ଯଥେଷ୍ଟ ପ୍ରାଧାନ୍ୟ ଦେଇଛି। ଏଥିପାଇଁ ଆବଶ୍ୟକୀୟ ବୈଷୟିକ ପ୍ରକ୍ରିୟା ଶେଷ ହୋଇଛି। ଯଦିଓ କିଛି କାରଣ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣା ପତ୍ର ସ୍ବାକ୍ଷର କରିବାରେ ବିଳମ୍ବ ହୋଇଥିଲା, ତେବେ ଆମେ ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କ ସହ ବୁଝାମଣା ସ୍ବାକ୍ଷର କରିବାକୁ ଯାଉଛୁ ବୋଲି ସେ କହିଥିଲେ। ଶ୍ରୀ ଯାଦବ କହିଛନ୍ତି, ଜମି ଅଧିଗ୍ରହଣ ହୋଇପାରୁ ନଥିବାରୁ ଓଡ଼ିଶାରେ ଅନେକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅଟକି ରହିଛି। ଚଳିତ ବର୍ଷ ଓଡ଼ିଶାକୁ ୬ ହଜାର କୋଟି ଟଙ୍କାର ପାଣ୍ଠି ପ୍ରଦାନ କରାଯାଇଛି। ଗତବର୍ଷ ଖର୍ଚ୍ଚ ହୋଇପାରି ନଥିବା ପାଣ୍ଠି ବ୍ୟତିତ ଚଳିତ ବର୍ଷ ଅଧିକ ପାଣ୍ଠି ଦିଆଯାଇଛି। ତେଣୁ ରାଜ୍ୟ ସରକାର ଓ ଭାରତୀୟ ରେଳବାଇ ମିଳିତ ଭାବେ କାର୍ଯ୍ୟ କଲେ ରେଳ ପ୍ରକଳ୍ପଗୁଡ଼ିକ ଠିକ୍ ସମୟରେ ଶେଷ ହୋଇପାରିବ। ସେହିପରି ଭୁବନେଶ୍ବର-କଟକ ମଧ୍ୟରେ ଟ୍ରେନ୍ ଚଳାଚଳ ପାଇଁ ସ୍ବତନ୍ତ୍ର ଭାବେ ଏକ ବାଇପାସ୍ ନିର୍ମାଣ କରାଯିବ। ଏଥିପାଇଁ ସର୍ଭେ ଆରମ୍ଭ କରାଯିବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ପୂର୍ବତଟ ରେଳପଥର ସମସ୍ତ ପ୍ରମୁଖ ଷ୍ଟେସନ୍‌ରେ ୱାଇଫାଇ ସୁବିଧା ଉପଲବ୍ଧ କରାଇବା ପାଇଁ ଆମେ ଲକ୍ଷ୍ୟ ରଖିଛୁ । ସେହିପରି ପ୍ରମୁଖ ଷ୍ଟେସନ୍ ଓ ମେଲ୍‌ ତଥା ଏକ୍ସପ୍ରେସ୍ ଟ୍ରେନ୍‌ରେ ସିସିଟିଭି ଲଗାଯିବ। ଭୁବନେଶ୍ବର ରେଳ ଷ୍ଟେସନ୍‌ର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଏହାର ଦ୍ବିଦୀୟ ପ୍ରବେଶ ଦ୍ବାରର ସୌନ୍ଦର୍ଯ୍ୟକରଣ ଓ ରାସ୍ତା ସଂଯୋଗ ପାଇଁ ପାଣ୍ଠି ଯୋଗାଇ ଦିଆଯାଇଛି। ପୂର୍ବତଟ ରେଳପଥ ଚଳିତ ବର୍ଷ ୨୦୦ ମିଲିୟନ ଟନ୍ ମାଲ ପରିବହନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଏହି ଅବସରରେ ଶ୍ରୀ ଯାଦବ ସୂଚନା ଦେଇ କହିଥିଲେ ଯେ ଟ୍ରେନ୍ ଚଳାଚଳରେ ସମୟାନୁବର୍ତ୍ତିତା ଆଣିବା ପାଇଁ ପ୍ରକୃତ ସୂଚନା ପଦ୍ଧତି ଅବା ଆରଟିଆଇଏସ୍‌ ବ୍ୟବସ୍ଥା ଆରମ୍ଭ ହେବ। ଏଥିପାଇଁ ଭାରତୀୟ ରେଳବାଇ ଓ ଇସ୍ରୋ ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇସାରିଛି। ଏହି ବ୍ୟବସ୍ଥା ଅନୁସାରେ ୪୨୦୦ଟି ଇଞ୍ଜିନ୍‌ରେ ଜିପିଏସ୍‌ ଲଗାଯାଇଛି। ଚଳିତ ଆର୍ଥିକ ବର୍ଷରେ ଆହୁରି ୯ ହଜାର ଇଞ୍ଜିନ୍‌ରେ ଏହା ଲଗାଯିବ। ଏକ ଏକ ଅତ୍ୟାଧୁନିକ ବ୍ୟବସ୍ଥା, ଯଦ୍ଦ୍ବାରା ଟ୍ରେନ୍‌ର ଗତିବିଧି ଓ ଅବସ୍ଥିତିର ନିର୍ଭୂଲ ସୂଚନା ମିଳିପାରିବ। ଶ୍ରୀ ଯାଦବ ଭୁବନେଶ୍ବର ସମେତ ପୁରୀ ରେଳ ଷ୍ଟେସନ୍ ପରିଦର୍ଶନ କରି ଫଣି ପରବର୍ତ୍ତି ପୁନରୁଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ। ଏହି ଅବସରରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ଏବଂ ଅନ୍ୟ ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Comments are closed.