ଦିନିକିଆ ବିଶ୍ବକପରେ ନବାଗତଙ୍କୁ ଅଧିକ ସୁଯୋଗ : ରବି ଶାସ୍ତ୍ରୀ

ନୂଆଦିଲ୍ଲୀ  : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)-୧୬ରେ ଏକାଧିକ ଭାରତୀୟ ଯୁବ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ଓପନର ଯଶସ୍ବୀ ଜସୱାଲ, ଋତୁରାଜ ଗାଏକ୍ବାର୍ଡ, ଫିନିସର ରିଙ୍କୁ ସିଂହ, ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ତିଲକ ବର୍ମାଙ୍କ ଭଳି ଖେଳାଳି ପ୍ରଦର୍ଶନ ବଳରେ ଚର୍ଚ୍ଚାରେ ରହିଛନ୍ତି। ଅନ୍ୟତମ ଓପନର ଶୁବମାନ୍‌ ଗିଲ୍‌ଙ୍କ ଚମକ ଦେଖିବାକୁ ମିଳିଛି। ଆଗାମୀ ଦିନିକିଆ କ୍ରିକେଟ ବିଶ୍ବକପରେ ନୂଆ ଖେଳାଳିଙ୍କୁ ସୁଯୋଗ ମିଳିବାର ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ । ସିଧାସଳଖ ବିଶ୍ବକପ ଦଳରେ ସ୍ଥାନ ପାଇବାରେ ଏକିଧିକ ଖେଳାଳିଙ୍କ ନିକଟରେ ଦକ୍ଷତା ରହିଛି ବୋଲି ପୂର୍ବତନ ଭାରତୀୟ ଅଲରାଉଣ୍ଡର ତଥା ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି । ଦି ଆଇସିସି ରିଭ୍ୟୁ ଆଲୋଚନାରେ ଭାଗ ନେଇ ଶାସ୍ତ୍ରୀ କହିଛନ୍ତି ଯେ, ଚଳିତ ଆଇପିଏଲରେ ଭାରତ ଏକାଧିକ ବ୍ୟାଟ୍‌ସମ୍ୟାନଙ୍କୁ ପାଇଛି। ଆଗାମୀ ଦିନିକିଆ ବିଶ୍ବକପ ଲାଗି ଉକ୍ତ ଖେଳାଳିମାନଙ୍କ ଉପରେ ନଜର ରହିବା ଆବଶ୍ୟକ।
ଦିନିକିଆ କ୍ରିକେଟରେ ଶୁବମାନ ଓ ଋୁତରାଜ ଆଗାମୀ ଦିନର ଭାରତୀୟ ଓପନର। ଭାରତରେ ଆସନ୍ତା ଅକ୍ଟୋବର-ନଭେମ୍ବରେ ଖେଳାଯିବାକୁ ଥିବା ଦିନିକିଆ ବିଶ୍ବକପରେ ଯଦି କୌଣସି ପ୍ରମୁଖ ଖେଳାଳି ଆହତ ହୁଅନ୍ତି ତେବେ ଉକ୍ତ ଦୁଇ ଖେଳାଳିଙ୍କୁ ପ୍ରଥମତଃ ସୁଯୋଗ ମିଳିବା ଆବଶ୍ୟକ ବୋଲି ଶାସ୍ତ୍ରୀ କହିଛନ୍ତି। ଯୁବ ବାମହାତୀ ଓପନର ଯଶସ୍ବୀ ଜସୱାଲ ଚଳିତ ଆଇପିଏଲରେ ୫୭୫ରନ କରିଛନ୍ତି। ଯେଉଁଥିରେ ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ରହିଛି। କଲକାତା ନାଇଟ୍‌ ରାଇଡର୍ସର ରିଙ୍କୁ ସିଂହ ୧୩ଟି ମ୍ୟାଚରୁ ୪୦୭ରନ କରିଛନ୍ତି। ଯେଉଁଥି​‌େ​‌ର ୩ଟି ଅର୍ଦ୍ଧଶତକ ରହିଛି। ଜସୱାଲ ଓ ରିଙ୍କୁଙ୍କ ନିକଟରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାର ଦକ୍ଷତା ରହିଛି । ଦୁଇ ଖେଳାଳି ଭାରତୀୟ କ୍ରିକେଟର ଭବିଷ୍ୟତ କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି। ଯଶସ୍ବୀ ଅତି ସାଧାରଣ କ୍ରିକେଟ ଖେଳିଥାନ୍ତି। ସଟ୍‌ ମନୋନୟନ ଓ ଦ୍ରୁତ ଗତିରେ ରନ କରିବାର ଦକ୍ଷତା ତାଙ୍କ ନିକଟରେ ରହିଛି। ଗତବର୍ଷ ଅପେକ୍ଷା ଚଳିତ ଆଇପିଏଲରେ ସେ ବହୁତ ଉନ୍ନତି କରିଛନ୍ତି। ଜଣେ ଅଭିଜ୍ଞ ସମ୍ପନ୍ନ ଖେଳାଳିଭାବେ ଖେଳୁଛନ୍ତି ବୋଲି ଶାସ୍ତ୍ରୀ କହିଛନ୍ତି। ବାମହାତୀ ବ୍ୟାଟ୍‌ସମ୍ୟାନ ରିଙ୍କୁ ସିଂହ ମଧ୍ୟ ମ୍ୟାଚ ବିଜେତା ଭାବେ କଲକାତା ନାଇଟ୍‌ ରାଇର୍ଡସର ଦାୟିତ୍ବ ତୁଲାଉଛନ୍ତି। ରିଙ୍କୁ ପରିସ୍ଥିତି ଅନୁଯାୟୀ ସଟ୍‌ ଖେଳିବାରେ ସିଦ୍ଧିହସ୍ତ। ତାଙ୍କ ନିକଟ​‌େ​‌ର ରହିଥିବା ଦକ୍ଷତା ଅନ୍ତର୍ଜାତୀୟସ୍ତରରେ ପ୍ରାଚୁର୍ଯ୍ୟ ବୋଲି ଶାସ୍ତ୍ରୀ କହିଛନ୍ତି। ମୁମ୍ବଇ ଇଣ୍ଡିଆନ୍‌ସର ବାମହାତୀ ମଧ୍ୟକ୍ରମ ବ୍ୟାଟ୍‌ସମ୍ୟାନ ତିଲକ ବର୍ମା ଚଳିତ ଆଇପିଏଲରେ ୯ଟି ମ୍ୟାଚ ଖେଳି ୨୭୪ରନ କରିଛନ୍ତି। ସେ ମଧ୍ୟ ଜଣେ ଅନ୍ତର୍ଜାତୀୟସ୍ତରର କ୍ରିକେଟର। ବଲ ଅନୁଯାୟୀ ସଟ୍‌ ଖେଳିବାର ଦକ୍ଷତା ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପଞ୍ଜାବ କିଙ୍ଗ୍‌ସ ୱିକେଟରକ୍ଷକ ଜିତେଶ ଶର୍ମା ମଧ୍ୟ ପ୍ରଭାବିତ କରିଛନ୍ତି। ଜିତେଶ ଏପଯ୍ୟନ୍ତ୨୬୫ରନ କରିଛନ୍ତି। ଆଗାମୀ ଦିନରେ ଜିତେଶ ଓ ତିଲକ ଆଗାମୀ ଦିନରେ ଭାରତୀୟ ଦଳରୁ ପ୍ରତିନିଧିତ୍ବ କରିବେ ବୋଲି ଶାସ୍ତ୍ରୀ ଆଶାବାଦୀ ରହିଛନ୍ତି। ଚଳିତ ଆଇପିଏଲରୁ ଭାରତ ଏକାଧିକ ବ୍ୟାଟ୍‌ସମ୍ୟାନଙ୍କୁ ପାଇଛି। ଦିିନିକିଆ ବିଶ୍ବକପରେ ଭାରତୀୟ ବୋଲିଂ ଲାଇନ୍‌ ପ୍ରାୟତଃ ସ୍ଥିର ରହିବାବେଳେ ବ୍ୟାଟିଂ ବିଭାଗରେ ନବାଗତଙ୍କ ସୁଯୋଗକୁ ଏଡାଇ ଦେଇ ହେବ ନାହିଁ ବୋଲି ଶାସ୍ତ୍ରୀ କହିଛନ୍ତି।

Comments are closed.