ଦୀର୍ଘ ମାସ ଧରି ଆଧାର କେନ୍ଦ୍ର ବନ୍ଦ, ଲୋକେ ହନ୍ତସନ୍ତ
ମୋହନା: ସ୍ଥାନୀୟ ବ୍ଳକର ମୋହନା ପଞ୍ଚାୟତର ବିଭିନ୍ନ ସ୍ଥାନରେ ଚାଲିଥିବା ଆଧାର କେନ୍ଦ୍ର ଗୁଡିକ ଦୀର୍ଘ ମାସ ଧରି ବନ୍ଦ ରହିଥିବାରୁ ଦୂର ଦୂରାନ୍ତରରୁ ଖର୍ଚ୍ଚାନ୍ତ ହୋଇ ଆସୁଥିବା ଲୋକେ ଆଧାର ସଂଯୋଗୀକରଣ, ନାମ ପରିବର୍ତ୍ତନ, ଭୂଲ ସଂଶୋଧନ କରି ନ ପାରି ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ବର୍ଷ ପୂର୍ବେ ବ୍ଳକ କାର୍ଯ୍ୟାଳୟ ପରିସରରେ ଖୋଲାଯାଇଥିବା ଆଧାର କେନ୍ଦ୍ର ପରବର୍ତ୍ତୀ ସମୟରେ କଲ୍ୟାଣୀ ମଣ୍ଡପକୁ ସ୍ଥାନାନ୍ତର ହୋଇଥିଲା। ସେଠାରେ କିଛି ମାସ କେନ୍ଦ୍ର କାମ କରିବା ପରେ ପୁଣି ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ସ୍ଥାନାନ୍ତର ହୋଇ ସେଠାରେ କାମ ଚାଲୁରହିଥିଲା। କିନ୍ତୁ ୨ମାସ ହେଲା ମେସିନ୍ ଖରାପ ଯୋଗୁଁ ଆଧାର କାମ ଠପ ହୋଇଯାଇଛି। ଏଥିପ୍ରତି ଅଧିକାରୀ ମାନଙ୍କର ନିଘା ନାହିଁ। ସେହିପରି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପରିସରରେ ଖୋଲିଥିବା ଆଧାର କେନ୍ଦ୍ର ୧ ମାସ ହେଲା ବନ୍ଦ ରହିଛି। ଏ ସଂପର୍କରେ ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତି ବେସରକାରୀ ମେସିନର ବ୍ୟବହାରକୁ ବନ୍ଦ କରି ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ନୂଆଁ ମେସିନ ଆକ୍ଟିଭ ହେବା ପରେ କାମ ଚାଲୁ ହେବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୬ ବର୍ଷ ପୂର୍ବେ ଡାକ ଘରେ ଆଧାର କେନ୍ଦ୍ର ଖୋଲି ପଞ୍ଜୀକରଣ ଓ ସଂଯୋଗୀକରଣ କାର୍ଯ୍ୟ ତ୍ବରାନ୍ବୀତ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ମୋହନା ଡାକ ଘରେ କମ୍ପ୍ୟୁଟର କର୍ମଚାରୀ ଓ ପୋଷ୍ଟାଲ କ୍ଳର୍କ ଅଭାବ, ନେଟୱାର୍କ ସମସ୍ୟା, କୋଠରୀ ଓ ସ୍ଥାନର ଅଭାବ ଯୋଗୁଁ ଆସିଥିବା ଆଧାର ମେସିନ ଖତ ଖାଉଛି । କେବଳ ୨ଜଣ କର୍ମଚାରୀରେ ମୋହନା ଉପ ଡାକ ଘର ଚାଲିଛି ବୋଲି ପୋଷ୍ଟ ମାଷ୍ଟର ରାମକୃଷ୍ଣ ସାହୁ କହିଛନ୍ତି। ଅପରପକ୍ଷେ ସ୍ଥାନୀୟ ବିଏସଏନଏଲ କାର୍ଯ୍ୟାଳୟରେ ଆବଶ୍ୟକତା ଠାରୁ ଅଧିକ କମ୍ପ୍ୟୁଟର ଓ ଅପରେଟର (କର୍ମଚାରୀ) ରହିଥିବା ବେଳେ ସେଠାରେ ଆଧାର ପଞ୍ଜୀକରଣ କେନ୍ଦ୍ର ଖୋଲିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବ୍ଳକର ଚନ୍ଦ୍ରଗିରି, ଅଡବା ଓ ରା.ଉଦୟଗିରିରେ ମଧ୍ୟ ଦୀର୍ଘ ଦିନ ହେଲା ଆଧାର କେନ୍ଦ୍ର ବନ୍ଦ ରହିଛି।
Comments are closed.