ରୁଆଣ୍ଡାକୁ ମୋଦୀଙ୍କ ୨୦୦ ଗାଈ ଭେଟି

0

ନୂଆଦିଲ୍ଲୀ : ସମଗ୍ର ଭାରତରେ ଗାଈକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶଗସ୍ତରେ ମଧ୍ୟ ଏହାର ମହତ୍ୱ ପରିଲକ୍ଷିତ ହୋଇଛି। ସମ୍ପ୍ରତି ରୁଆଣ୍ଡା ଗସ୍ତରେ ଥିବା ମୋଦୀ ସେଠାକାର କିଛି ଗ୍ରାମବାସୀଙ୍କୁ ୨୦୦ଟି ଗାଈ ଭେଟି ଦେଇଛନ୍ତି। ସେଠାକାର ଗିରିଙ୍କା ଯୋନଜା ଅଧୀନରେ କିଛି ଦରିଦ୍ର ପରିବାରକୁ ରୁଆଣ୍ଡା ରାଷ୍ଟ୍ରପତି ପଲ୍‍ କାଗାମେଙ୍କ ଉପସ୍ଥିତିରେ କୋଦୀ ଗୋଦାନ କରିଛନ୍ତି। ଗିରିଙ୍କା ଯୋଜନା ଏବଂ କାଗାମେଙ୍କୁ ପ୍ରଶଂସା କରି ମୋଦୀ କହିଛନ୍ତି, ସଦୂର ରୁଆଣ୍ଡାର ଏକ କ୍ଷୁଦ୍ର ଗ୍ରାମରେ ଗାଈମାନଙ୍କୁ ଏଭଳି ଗୁରୁତ୍ୱ ପ୍ରଦାନ କରାଯାଉଥିବା ଦେଖି ଭାରତବାସୀ ଆନନ୍ଦିତ ହେବେ। ଉଭୟ ରାଷ୍ଟ୍ରର ଗ୍ରାମୀଣ ଜୀବନ ମଧ୍ୟରେ ସାମଞ୍ଜସ୍ୟ ରହିଥିବା ଦର୍ଶାଇ ସେ କହିଛନ୍ତି ଏହି ଯୋଜନା ରୁଆଣ୍ଡାର ବିଭିନ୍ନ ଗ୍ରାମରେ ଆଶାନୁରୂପ ପରିବର୍ତ୍ତନ ଆଣିବାରେ ସହାୟକ ହେବ। ରୁଆଣ୍ଡା ଭାଷାରେ ଗିରିଙ୍କା ଶବ୍ଦର ଅର୍ଥ ‘ଆପଣଙ୍କ ନିକଟରେ ଗାଈ ଅଛି କି’। ପରସ୍ପରକୁ ଗୋଦାନ କରିବା ନେଇ ରୁଆଣ୍ଡାରେ ପ୍ରଚଳିତ ପ୍ରଥାକୁ ଏହି ଶବ୍ଦ ବ୍ୟାଖ୍ୟା କରେ। ଦେଶରେ ଶିଶୁଙ୍କ ପୃଷ୍ଟିହୀନତା ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ନିମନ୍ତେ ରାଷ୍ଟ୍ରପତି କାଗାମେ ଗିରିଙ୍କା ଯୋଜନାର ପ୍ରଚଳନ ଆରମ୍ଭ କରିଥିଲେ। ଏହା ଅଧୀନରେ ଦରିଦ୍ର ପରିବାରକୁ ଗୋପାଳନ ଉଦ୍ଦେଶ୍ୟରେ ଏକ ଗାଈ ଯୋଗାଇ ଦିଆଯାଇଥାଏ। ୨୦୦୬ରେ ଆରମ୍ଭ ହୋଇଥିବା ଗିରିଙ୍କା ଯୋଜନା ଅଧୀନରେ ୨୦୧୬ ଜୁନ୍‍ ସୁଦ୍ଧା ୨,୪୮,୫୬୬ଟି ଗାଈ ଗରିବ ପରିବାର ମଧ୍ୟରେ ବଣ୍ଟନ କରାଯାଇଛି।
ମୋଦୀ ମଙ୍ଗଳବାର ଏଠାକାର ବ୍ୟବସୟିକ ଫୋରମ୍‍କୁ ମଧ୍ୟ ଉଦ୍‍ବୋଧନ ଦେଇଛନ୍ତି। ସେ କହିଛନ୍ତି, ସମ୍ପ୍ରତି ଭାରତର ଦ୍ରୁତ ବିକାଶ ଘଟୁଛି; କିନ୍ତୁ ସମସ୍ତଙ୍କୁ ନେଇ ବିକାଶ ପଥେ ଆଗେଇ ଯିବା ଭାରତ ସରକାରଙ୍କ ମୂଳ ମନ୍ତ୍ର। ଏଣୁ ଯେଉଁ ରାଷ୍ଟ୍ର ଭାରତ ସହିତ ସାମିଲ ହୋଇ ବିକାଶ ପଥରେ ଚାଲିବାକୁ ଚାହିଁବ ତାହାକୁ ମଧ୍ୟ ଭାରତ ସରକାର ନିଶ୍ଚିତ ସହଯୋଗ କରିବେ। ରୁଆଣ୍ଡା ସହିତ ଦ୍ୱିପାକ୍ଷିକ ଆର୍ଥିକ ସମ୍ପର୍କ ବୃଦ୍ଧି କରିବା ଉପରେ ମଧ୍ୟ ମୋଦୀ ଗୁରୁତ୍ୱାରୋପ କରୁଛନ୍ତି। ବିଶେଷ କରି ରୁଆଣ୍ଡାର ଗ୍ରାମୀଣ ବିକାଶ ଏବଂ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ ବିକାଶର ଅନେକ ସୁଯୋଗ ରହିଛି ବୋଲି ସେ କହିଛନ୍ତି।

Leave A Reply