ମହାନଦୀ  ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ  ପ୍ରଧାନମନ୍ତ୍ରୀ

0

କଟକ: କଟକର ବାଲିଯାତ୍ରା ଉପର ପଡଆ ବା କିଲ୍ଲା ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନ କଲ୍ୟାଣ ସମାବେଶକୁ ଉଦ୍‌ବୋଧନ ଦେଇଛନ୍ତି ।  ରାଜକମଲ ବିମାନରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲେ । ବିମାନବନ୍ଦରରେ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ, ପୁଲିସ ଡିଜି ଓ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ବାୟୁସେନାର ହେଲିକାପ୍ଟରରେ ସେ କଟକ ଅଭିମୁଖେ ବାହାରିଥିଲେ ।  କଟକର ବାଲିଯାତ୍ରା ପଡିଆରେ ହୋଇଥିବା ଅସ୍ଥାୟୀ ହେଲିପ୍ୟାଡରେ ହେଲିକାପ୍ଟର ପହଞ୍ଚିବା ପରେ ସେ ସଭାସ୍ଥଳ ଅଭିମୁଖେ ବାହାରିଥିଲେ ।

ଓଡିଆରେ ଜୟ ଜଗନ୍ନାଥ କହି ପ୍ରଧାନମନ୍ତ୍ରୀ ମୋଦି ଭାଷଣ  ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀ କଟକର ପବିତ୍ର ମାଟିକୁ ପ୍ରଣାମ କରିଥିଲେ । ଏନ୍‌ଡିଏ ସରକାର ୪ ବର୍ଷ ପୂରଣ ଅବସରରେ ଏଠାରେ ଉପସ୍ଥିତ ଥିବାରୁ ନିଜକୁ  ଭାଗ୍ୟବାନ ମନେ କରୁଥିବା କଥା ପ୍ରକାଶ କରିଥିଲେ  । ମୋଦିଙ୍କ ସରକାର ୪ ବର୍ଷ ପୂରଣ କରୁଥିବାରୁ ଜଗନ୍ନାଥଙ୍କ ମାଟିରୁ  ସାରା ଦେଶବାସୀଙ୍କୁ  ପ୍ରଣାମ ବୋଲି ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ ପ୍ରକାଶ କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କଟକ ଉତ୍କଳ ଗୌରବ ମଧୁବାବୁଙ୍କ ପରି ମହାପୁରୁଷଙ୍କର ଓ ନେତାଜୀଙ୍କର ଜନ୍ମ ସ୍ଥାନ । ଓଡିଶାର ଉତ୍କଳମଣି ଗୋପବନ୍ଧୁ,  କର୍ମବୀର ଗୈାରୀ ଶଙ୍କର ରାୟ, ଉତ୍କଳ କେଶରୀ ହରେକୃଷ୍ଣ ମହତାବ, ରମାଦେବୀଙ୍କୁ ପ୍ରଣାମ ବୋଲି ମୋଦି କହିଛନ୍ତି । ଓଡିଶା ମାଟିରୁ ଆରମ୍ଭ କରାଯାଇଥିବା କାର୍ଯ୍ୟ ସଫଳ ହୁଏ ବୋଲି ମୋଦି ପ୍ରକାଶ କରିଛନ୍ତି ।  ଦେଶ ନୂଆ ଆଶା ଓ ସଫଳତା ଦିଗରେ ଅଗ୍ରସର ହେଉଛି । ଏନ୍‌ଡିଏ ସରକାର ବିଭ୍ରାନ୍ତିର ସରକାର ନୁହେଁ ପ୍ରତିବଦ୍ଧତାର ସରକାର ବୋଲି ମୋଦି ସୂଚନା ଦେଇଛନ୍ତି । ଏବେ ଦେଶ ଅବ୍ୟବସ୍ଥାରୁ ବ୍ୟବ୍ୟସ୍ଥା , କୁଶାସନରୁ ସୁଶାସନ  ଆଡକୁ   ଗତି କରୁଛି । କଳାଧନ କମୁଛି ଜନଧନ ବୃଦ୍ଧି ପାଉଛି । ନୂତନ ଭାରତର ନିର୍ମାଣ ହେଉଛି ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି । ଦିଲ୍ଲୀରୁ କାମାଖ୍ୟା, କନ୍ୟାକୁମାରୀ , କଟକ  ଦେଶର ସବୁ ଆଡେ ବିକାଶ ହେଉଛି । ବିଜେପିରେ ଥିବା ଲୋକମାନେ ଗରିବର ଅର୍ଥ କ’ଣ ଜାଣିଛନ୍ତି । ଗରିବର ଝାଳର ମୂଲ୍ୟ ଗଙ୍ଗା, ଯମୁନା, ସରସ୍ୱତୀର ଜଳଠାରୁ ଅଧିକ ପବିତ୍ର ବୋଲି ମୋଦି କହିଛନ୍ତି ।

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମାଲୋଚନା

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ମୋଦି ସମାଲୋଚନା କରିଛନ୍ତି । ବିଧାନସଭାରେ ରାଜ୍ୟ ସରକାର ମହାନଦୀ ପାଣି ସମୁଦ୍ରକୁ ଚାଲିଯାଉଥିବା କଥା ମାନିଥିବା  କଥା ସେ ପ୍ରକାଶ କରିଛନ୍ତି । ଏତେ ଦିନ  ଶାସନରେ ରହି ରାଜ୍ୟ ସରକାର ମହାନଦୀ ପାଣି ସଂରକ୍ଷଣ ପାଇଁ ବିଶେଷ କିଛି କରି ନାହାନ୍ତି । ମହାନଦୀ ଟ୍ରାଇବୁନାଲ ଗଠନ ପାଇଁ ରାଜ୍ୟ ସରକାର ପଛକୁ ହଟିଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।  ଲୋୟର ଇନ୍ଦ୍ରାବତୀ ପ୍ରକଳ୍ପ କାମ ଆଗେଇ ପାରୁ ନାହିଁ , ମାତ୍ର କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ଜଳସେଚନ  ପ୍ରକଳ୍ପକୁ କେନ୍ଦ୍ର ଯୋଜନାରେ ସାମିଲ କରିଛନ୍ତି । ଏହି ପ୍ରକଳ୍ପ କାମ ଖୁବ ଶୀଘ୍ର ଶେଷ ହେବ ବୋଲି ସେ ପ୍ରକାଶ କରିଛନ୍ତି । ଚାଷୀମାନଙ୍କ ପାଇଁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ବ୍ୟବସ୍ଥା ହେଉଛି । କୃଷକଙ୍କର ରୋଜଗାର ଦୁଇ ଗୁଣ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

prayash

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ମୋଦି ସମସ୍ତେ ନିଜ ଜୀବନରେ ସଂଗ୍ରାମ କରି ବଡ ହୋଇଥିବାରୁ ଏକ ଏକ ଟଙ୍କାର ମୂଲ୍ୟ ବୁଝିଛନ୍ତି । ଚାନ୍ଦିର ଚାମଚକୁ ନେଇ ଯେଉଁ ବାଖ୍ୟା ରହିଛି ସେଥିରୁ ବହୁ ଦୂରରେ ।  ସେମାନେ ସତ୍ୟତା ଓ ସାଧୁତାର ସହ ଉପରକୁ ଉଠିଛନ୍ତି  ।  ପ୍ରତିବଦ୍ଧତା ଯୋଗୁଁ ସର୍ଜିକାଲ ଷ୍ଟ୍ରାଇକ କରିଛୁ  ବୋଲି ସେ କହିଛନ୍ତି । ତାଙ୍କର ସରକାର ଓ୍ୱାନ ରାଙ୍କ ଓ୍ୱାନ ପେନସନ୍‌, ଶତ୍ରୁ ସମ୍ପତ୍ତି ଜବତ,  ବ୍ୟାଙ୍କରୁ ଦୁର୍ନୀତି କରି ଋଣ ନେଇଥିବା କମ୍ପାନୀମାନେ ନିଜ ଟ୍ରେଜେରି ଖୋଲି ବାଧ୍ୟ ହୋଇ ଋଣ ପରିଶୋଧ କରୁଛନ୍ତି । ଜନଧନ-ଆଧାର ଓ  ମୋବାଇଲ୍‌ ଯୋଗୁଁ ୮୦ ହଜାର କୋଟି ଟଙ୍କା ଖରାପ ଲୋକଙ୍କ ହାତକୁ ଯିବା ବଦଳରେ ଭଲ ହାତକୁ ଆସିଛି । ରାଜସ୍ୱ କ୍ଷତି କମ୍‌ ହୋଇଛି ବୋଲି ସେ ପ୍ରକାଶ କରିଛନ୍ତି ।

ଅନେକ ଏହାକୁ ସାମ୍ପ୍ରଦାୟିକ ଶକ୍ତିର ସରକାର ବୋଲି କହୁଛନ୍ତି ।  ମାତ୍ର ସବୁ ବେଳେ ଭୋଟ ବ୍ୟାଙ୍କ ରାଜନୀତି କରୁଥିବା ଲୋକ ଏପରି କହୁଛନ୍ତି । ସେମାନେ ଲୋକଙ୍କୁ ବ୍ୟାଙ୍କରୁ ଦୂରରେ ରଖି ଭୋଟ ବ୍ୟାଙ୍କ ରାଜନୀତି କରୁଥିଲେ । ଯୋଜନାକୁ ଠିକ୍‌ ଭାବେ ଲାଗୁ କରୁ ନ ଥିଲେ । ଏନ୍‌ଡିଏ ସରକାର  ବିକାଶର କାମ କରୁଛି ।  ପାରାଦୀପରେ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଆରମ୍ଭ ହୋଇଥିବା  ଆଇଓସିଏଲ୍‌ ପ୍ରକଳ୍ପ କାର୍ଯ୍ୟକୁ ଏନ୍‌ଡଏ ସରକାର ଆସିବା ପରେ  ତ୍ୱରାନିତ୍ୱ କରିଥିଲେ  । ସେହିପରି   ଗରିବଙ୍କ ନିକଟରେ ବିଜୁଳି ପହଞ୍ଚାଇବା ପାଇଁ  ସୌଭାଗ୍ୟ ଯୋଜନାରେ ୪ ଲକ୍ଷ ଘରେ ବିଜୁଳି ପହଞ୍ଚିପାରିଛି । ୨୦୧୫ ମସିହାରେ ୫୦ ପ୍ରତିଶତ  ଗାଁକୁ ସଡକ ଥିବା ବେଳେ ୨୦୧୮ ମସିହାରେ ୮୫ ପ୍ରତିଶତ ଗାଁରେ ସଡକ ପହଞ୍ଚି ପାରିଛି ।  ଉଜ୍ୱଳା ଯୋଜନାରେ ୪ କୋଟି ମହିଳାଙ୍କ ନିକଟରେ ଏଲ୍‌ପିଜି ଗ୍ୟାସ୍‌ ପହଞ୍ଚି ପାରିଛି ।  ଅଟଳ ପେନ୍‌ସନ୍‌ ଯୋଜନା, ଜନଧନ ଯୋଜନା ପରି ଅନେକ ଲୋକ ହିତକର ଯୋଜନା ଲାଗୁ କରାଯାଇଥିବା ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ।  ଦର ବୃଦ୍ଧିକୁ ନିୟନ୍ତ୍ରଣ କରାଯାଇଛି , ନକ୍ସଲମାନେ ଏବେ ମୁଖ୍ୟ ଧାରାରେ ସାମିଲ ହେଉଛନ୍ତି , ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସହୀନ ଲୋକଙ୍କ ପାଇଁ ଘର ନିର୍ମାଣ, କଚ୍ଚା ଘର ଥିବା ଲୋକଙ୍କ ପାଇଁ ପକ୍କା ଘର ନିର୍ମାଣ , ସହରମାନଙ୍କୁ ସ୍ମାର୍ଟ ସିଟି ଓ ଅମୃତ ଯୋଜନାରେ ସାମିଲ କରାଯାଇଛି  ବୋଲି  ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି ।  ଦେଶରେ ଶିକ୍ଷାର ବିକାଶ ପାଇଁ ଅଧିକ ଆଇଆଇଟି ଓ ଆଇଆଇଏମ୍‌ ପ୍ରତିଷ୍ଠା କରାଯାଉଛି । ବିଭିନ୍ନ ସହରମାନଙ୍କରେ ମେଟ୍ରୋ ଯୋଜନା ଆରମ୍ଭ କରାଯାଇିଛି , ହାଇସ୍ପିଡ୍‌ ଟ୍ରେନ୍‌  ପାଇଁ କାମ ଆରମ୍ଭ ହୋଇଛି  ବୋଲି  ସେ ସୂଚନା ଦେଇଛନ୍ତି ।  ଏଲ୍‌ଇଡି ବଲ୍‌ର ମୂଲ୍ୟ ହ୍ରାସ ପାଇଛି ।  ଜନ ଔଷଧି ଯୋଜନାରେ କମ୍‌ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ।  ଉପକୂଳବର୍ତ୍ତୀ ଅଞ୍ଚଳର ବିକାଶ ପାଇଁ ସାଗରମାଳା ପ୍ରକଳ୍ପ ଆରମ୍ଭ କରାଯାଇଛି ।  ବିମାନ ବନ୍ଦରମାନଙ୍କର ବିକାଶ ସହ ନୂଆ ବିମାନ ବନ୍ଦର ନିର୍ମାଣ ପାଇଁ ଯୋଜନା ଆରମ୍ଭ ହୋଇଛି । ହାଓ୍ୱାଇ ଚପଲ୍‌ ପିନ୍ଧୁଥିବା ଲୋକ ହ୍ୱାଓ୍ୱାଇ ଯାତ୍ରା ବା ବିମାନଯାତ୍ରା କରିବା ପାଇଁ ସକ୍ଷମ ହେଉଛନ୍ତି ବୋଲି ସେ  ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ଓଡିଶାର ସ୍ୱାସ୍ଥ୍ୟବସ୍ଥା ଚିନ୍ତା ଜନକ, ଏଠାରେ ଏତେ ଦିନ ଧରି ଗୋଟିଏ ସ୍ଥିର ସରକାର ଥିଲେ ମଧ୍ୟ ରାଜ୍ୟରେ ବିଶେଷ କିଛି ପରିବର୍ତ୍ତନ ହୋଇ ନାହିଁ , କେନ୍ଦ୍ର ସରକାର ଆୟୁଷମାନ ଯୋଜନା କରିଛନ୍ତି । କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ମେଡିକାଲ କଲେଜମାନଙ୍କର ବିକାଶ ହେବ ବୋଲି ମୋଦି ପ୍ରକାଶ କରିଛନ୍ତି ।  ସମ୍ବଲପୁରରେ ଆଇଆଇଏମ୍‌ ଓ ବ୍ରହ୍ମପୁରରେ ଆଇଆଇଜର୍‌ ପରି ପ୍ରତିଷ୍ଠାନ ନିର୍ମାଣ କରାଯାଉଛି ବୋଲି ସେ କହିଛନ୍ତି  । ଓଡିଶାରେ ଥିବା ଆଦିବାସୀଙ୍କଗରିବ ଛବିକୁ ଗଣ ମାଧ୍ୟମରେ ବିଭିନ୍ନ ସମୟରେ ପ୍ରକାଶିତ କରାଯାଉଛି ବୋଲି ମୋଦି ପ୍ରକାଶ କରିଛନ୍ତି ।

 

 

Leave A Reply