ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ନୂଆ ଆଧାର କାର୍ଡ ଏବଂ ସଂଶୋଧନ କରିବା କ୍ଷେତ୍ରରେ ଜନସାଧାରଣ ହଇରାଣ ହରକତ ନହୋଇ ତଥା ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଇ କିପରି ସୁବିଧାରେ ସେମାନଙ୍କର କାର୍ଯ୍ୟ କରିପାରିବେ ସେଥିପାଇଁ ବେଗୁନିଆ ବ୍ଲକ ପରିସରରେ ଥିବା ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଜିଲ୍ଲାପାଳଙ୍କ ଅନୁମୋଦନ କ୍ରମେ ଏକ ଆଧାର କେନ୍ଦ୍ର ଖୋଲାଯାଇଛି । ଏହି ଆଧାର କେନ୍ଦ୍ରଟି ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ହେବ ଏଠାରେ ଓକାକ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏଠାରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି ଜଣଙ୍କ ଲୋକମାନଙ୍କୁ ବିଭିନ୍ନ କାର୍ଯ୍ୟ କ୍ଷେତ୍ରରେ ଅର୍ଥ ଦାବି କରି ଶୋଷଣ କରୁଥିବାର ଅଭିଯୋଗ ହେଉଛି । ସେ ନେଉଥିବା ଅର୍ଥ ବିଡ଼ିଓଙ୍କ ଜ୍ଞାତସାରରେ ନେଉଛନ୍ତି ବୋଲି ଲୋକମାନଙ୍କୁ କହୁଛନ୍ତି । ପୋଡାଡିହ ଗ୍ରାମର ହେମନ୍ତ ମଲ୍ଲିକଙ୍କ ଠାରୁ ୧୨୦ଟଙ୍କା ନେଇ ରସିଦ ନଦେବା ପରେ ସେ ସାମ୍ବାଦିକ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ସାମ୍ବାଦିକମାନେ ସମ୍ପୃକ୍ତ ଆଧାର କେନ୍ଦ୍ରରେ କାର୍ଯ୍ୟ କରୁଥିବା ସୁପରଭାଇଜରଙ୍କୁ ପଚାରି ତାଙ୍କୁ ସାଙ୍ଗରେ ନେଇ ବିଡ଼ିଓଙ୍କ ସହ କଥା ହୋଇଥିଲେ । କିନ୍ତୁ ବିଡ଼ିଓ ଘଟଣାର ସତ୍ୟାସତ୍ୟ କିଛି ନଜାଣି ଓଲଟା ସାମ୍ବାଦିକମାନଙ୍କୁ ତୁମେମାନେ କାହିଁକି ତାଙ୍କୁ ଡିଷ୍ଟର୍ବ କରୁଛ ବୋଲି କହିଥିଲେ । ବିଡ଼ିଓ ଜନସାଧାରଣଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ନଦେଇ ସମ୍ପୃକ୍ତ ଆଧାର କେନ୍ଦ୍ରରେ କାର୍ଯ୍ୟ କରୁଥିବା ସୁପରଭାଇଜରଙ୍କ ସପକ୍ଷରେ ମତ ଦେଉଥିବାରୁ ଅର୍ଥ କାରବାର ନେଇ ସନ୍ଦେହ ସୃଷ୍ଟି ହୋଇଛି । ଯଦି ଏଠାରେ ପଇସା ନଦେଇ ପାରୁଛ ତାହେଲେ ସହଜ ଜନସେବା କେନ୍ଦ୍ରକୁ ପଳେଇଯାଅ ବୋଲି ବିଡ଼ିଓ ଲୋକମାନଙ୍କୁ କହିଥିଲେ ।
ସରକାର ଏହି କେନ୍ଦ୍ରରେ ଛୋଟ ପିଲାମାନଙ୍କ ପାଇଁ ଆଧାର କାର୍ଡ ନିମନ୍ତେ ସମ୍ପୂର୍ଣ ଦେୟ ମୁକ୍ତ କରିଥିବାବେଳେ, ସେହି କ୍ଷେତ୍ରରେ ୧୨୦ଟଙ୍କା ଲେଖାଏଁ ଆଦାୟ କରାଯାଉଛି । ନର୍ମାଲ ଡେମୋଗ୍ରାଫିକ ପାଇଁ ୫୦ଟଙ୍କା ନେବାକୁ ଥିବାବେଳେ ୧୨୦ ଟଙ୍କା ଏବଂ ବାୟୋମେଟ୍ରିକରେ ୧୦୦ ଟଙ୍କା ନେବାପାଇଁ ଥିବାବେଳେ ୧୨୦ ଟଙ୍କା ନିଆଯାଉଛି । ଏପରିକି ପ୍ରତେକଦିନ ୧୦୦ରୁ ଅଧିକ ମହିଳା ଏବଂ ପୁରୁଷ ସେମାନଙ୍କ ପିଲାମାନଙ୍କୁ ଧରି ଉକ୍ତ କେନ୍ଦ୍ରକୁ ଆସୁଥିବାବେଳେ ସେମାନଙ୍କ ବସିବା କିମ୍ବା ପାନୀୟ ଜଳର କୌଣସି ସୁବିଧା ନାହିଁ । ଶଗଡ଼ଭଙ୍ଗା ଠାରେ ଜଣେ ସଂପର୍କୀୟଙ୍କ ଆଇଡିରେ ସେ ନିଜ ଘରେ କାର୍ଯ୍ୟ କରି ଲୋକମାନଙ୍କ ଠାରୁ ବିନା ରସିଦରେ ୨୨୦ ଟଙ୍କା ଲେଖାଏଁ ଆଦାୟ କରୁଥିବା ଅଭିଯୋଗ ହୋଇ ଆସୁଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଏହି କେନ୍ଦ୍ରରେ ପ୍ରତି ଲୋକପିଛା ଲେଖିବା ପାଇଁ ୨୦ଟଙ୍କା ଲେଖାଏଁ ଆଦାୟ କରାଯାଇ ତାର ପ୍ରତିବଦଳରେ କୌଣସି ରସିଦ ଦିଆଯାଉ ନାହିଁ ।ଫଳରେ ଏଥିପାଇଁ ଦୈନନ୍ଦିନ ଉକ୍ତ କେନ୍ଦ୍ରରେ ପାଟିତୁଣ୍ଡ ହେଉଥିବା ବେଳେ ବିଡ଼ିଓ ସମ୍ପୃକ୍ତ କେନ୍ଦ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେବା ପଛରେ କ’ଣ ଉଦେଶ୍ୟ ରହିଛି ତାହା ଜାଣିବା ପାଇଁ ବ୍ଲକର ଜନସାଧାରଣ ଚାହିଁ ବସିଛନ୍ତି । ଜିଲ୍ଲାପାଳ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ପାଇଁ ଜନସାଧାରଣ ଦାବି କରିଛନ୍ତି ।



