୧୦ରୁ ମାଟ୍ରିକ୍ ପରୀକ୍ଷା, ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନାକୁ ମୁଖ୍ୟ ସଚିବଙ୍କ ଗୁରୁତ୍ବ
ଭୁବେନଶ୍ବର: ଆସନ୍ତା ୧୦ ତାରିଖରୁ ମାଟ୍ରିକ ପରୀକ୍ଷାର ଦ୍ବିତୀୟ ସମ୍ମେଟିଭ ଆସେସମେଣ୍ଟ ଆରମ୍ଭ ହେବ। ଏହା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ହାଇସ୍କୁଲ, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମାରେ ୫ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ ୩୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେବେ। ଏଥିନିମନ୍ତେ ଏକ ବୈଠକ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଆଭାସି ଜରିଆରେ ଅନୁଷ୍ଠିତ ହୋଇଛି। ଏଥିରେ ସମସ୍ତ ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ଜିଲା ଶିକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
ସଫଳତାର ସହ ତ୍ରୁଟିଶୂନ୍ୟ ଭାବେ ଏହି ଗୁରୁତ୍ବପୂର୍ଣ୍ଣ ପରୀକ୍ଷାକୁ ପରିଚାଳନା କରିବା ନିମନ୍ତେ ମୁଖ୍ୟ ସଚିବ ଗୁରୁତ୍ବାରୋପ କରିଥିଲେ। ପରୀକ୍ଷା ହଲକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷା ପରିଚାଳନା ସହ ସଂପୃକ୍ତ ବ୍ୟକ୍ତିଙ୍କୁ ଭଲଭାବେ ଯାଞ୍ଚ କରି କେନ୍ଦ୍ର ମଧ୍ୟକୁ ଛାଡ଼ିବାକୁ ସେ ନିର୍ଦେଶ ଦେଇଛନ୍ତି। ସମସ୍ତ ପରୀକ୍ଷା କେନ୍ଦ୍ର ନିମନ୍ତେ ଆବଶ୍ୟକୀୟ ପର୍ଯ୍ୟବେକ୍ଷକ ଓ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ମୁତୟନ
ଉପରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି। ପ୍ରଶ୍ନପତ୍ର ଓ ଉତ୍ତରଖାତା ରହୁଥିବା ଷ୍ଟ୍ରଙ୍ଗ ରୁମରେ ୨୪ ଘଣ୍ଟିଆ କଡ଼ା ନିରାପତ୍ତା, ପରୀକ୍ଷା କେନ୍ଦ୍ରରେ ସୁରକ୍ଷା କର୍ମୀ ମୁତୟନ, ବିଦ୍ୟୁତ ଏବଂ ପିଇବା ପାଣି ବ୍ୟବସ୍ଥା ସହ ପରୀକ୍ଷା ପରିଚାଳନାରେ ବାଧା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟ ସଚିବ ଜିଲା ପ୍ରଶାସନକୁ ନିର୍ଦେଶ ଦେଇଛନ୍ତି। ପରୀକ୍ଷା ନିମନ୍ତେ କେନ୍ଦ୍ରଗୁଡ଼ିକୁ ପ୍ରଶ୍ନପତ୍ର ଆଜିଠାରୁ ପଠେଇବା ଆରମ୍ଭ ହୋଇଥିବା ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୈଠକରେ ସୂଚନା ଦିଆଯାଇଥିଲା। ପରୀକ୍ଷା ନିମନ୍ତେ ୨୨ଟି ପୁଲିସ ଷ୍ଟେସନକୁ ମିଶାଇ ମୋଟ ୩୧୬ଟି ନୋଡାଲ ସେଣ୍ଟର କରାଯାଇଛି। ଏଥିମଧ୍ୟରେ କନ୍ଧମାଳରେ ୭ଟି, କୋରାପୁଟରେ ୫ଟି ଏବଂ ମାଲକାନଗିରିରେ ୧୦ଟି ପୁଲିସ ଷ୍ଟେସନରେ ନୋଡାଲ ସେଣ୍ଟର କରାଯାଇଛି। ପରୀକ୍ଷା ଶେଷ ହେବା ପରେ ୫୬ଟି କେନ୍ଦ୍ରରେ ଖାତାଦେଖା ଆରମ୍ଭ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯିବ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଅଶ୍ୱଥି.ଏସ୍, ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମଶିଷ ହାଜରା, ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି, ନିର୍ଦେଶକ ସୁଶାନ୍ତ ଦାଶ, ଅତିରିକ୍ତ ସଚିବ ଅଶ୍ବିନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
୧୦ରୁ ମାଟ୍ରିକ୍…
Comments are closed.