ଆତଙ୍କବାଦ ପାଇଁ ବ୍ରିଟେନରୁ ପାଣ୍ଠି ସଂଗ୍ରହ କରିଥିଲା ମସୁଦ ଆଝାର
ନୂଆଦିଲ୍ଲୀ : ଜୈଶ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଂସ୍ଥାପକ ମସୁଦ ଆଝାର କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ରିଟେନ ସମେତ କେତେକ ଦେଶରୁ ପାଣ୍ଠି ସଂଗ୍ରହ କରିଥିଲା। ଏହାପରେ ୧୯୯୪ରେ ସେ ଭାରତ ଆସିଥିଲା। ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ ଲାଗି ଆଝାର ମାସେ ଇଂଲଣ୍ଡରେ ରହିଥିଲା। ଇଂଲଣ୍ଡରୁ ସେ ପାକିସ୍ତାନ ମୁଦ୍ରାରେ ପ୍ରାୟ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲା। ଆଝାର ଶାରଜାହ ଏବଂ ସାଉଦି ଆରବ ଯାତ୍ରା କରିଥିଲେ ବି ସେଠାରୁ ଆତଙ୍କବାଦୀଙ୍କ ପାଇଁ ସହାୟତା ପାଇନଥିଲା। ଭାରତରେ ଗିରଫ ହେବା ସମୟରେ ସୁରକ୍ଷା ବାହିନୀ ନିକଟରେ ମସୁଦ ଆଝାର ଏହା ସବୁ ପ୍ରକାଶ କରିଥିଲା। ସୁରକ୍ଷା ବାହିନୀ ନିକଟରେ ଥିବା ଆଝାରର ସ୍ୱୀକାରୋକ୍ତି ଓ ବୟାନରୁ ଏହା ଜଣାପଡ଼ିଛି।
ପ୍ରକାଶ ଯେ ଆଝାର ଭାରତରେ ଅନେକ ଆତଙ୍କବାଦୀ ଆକ୍ରମଣକୁ ରୂପ ଦେଇଛି। ୨୦୦୧ ସଂସଦ ଭବନ ଆକ୍ରମଣ ଓ ଗତମାସରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ଜୈଶ ଏ ମହମ୍ମଦ ନିଜକୁ ଦାୟୀ କରିଥିଲା।
ଆଝାର ୧୯୮୬ରେ ପାକିସ୍ତାନରୁ ନିଜ ପ୍ରକୃତ ନାମ ଓ ଠିକଣାରୁ ପାସପୋର୍ଟ ହାସଲ କରିଥିଲା। ଏହାପରେ ସେ ଆଫ୍ରିକାର କେତେକ ମୁସଲମାନ ଦେଶ ଏବଂ ମଧ୍ୟପ୍ରାଚ୍ୟ ଏସିଆର ଦେଶଗୁଡ଼ିକୁ ଯାତ୍ରା କରି କାଶ୍ମୀର ପ୍ରସଙ୍ଗ ଉଠାଇ ପାଣ୍ଠି ସଂଗ୍ରହ କରିବାକୁ ଚେଷ୍ଟା କରିଥିଲା। ବିଶେଷ କରି ସାଉଦି ଆରବ ଓ ମଧ୍ୟପ୍ରାଚ୍ୟର ଅନ୍ୟ ଦେଶଗୁଡ଼ିକ କାଶ୍ମୀର ପ୍ରସଙ୍ଗରେ ଆଝାରକୁ ସହାୟତା ପ୍ରଦାନ କରିନଥିଲେ। ୧୯୯୨ରେ ଆଝାର ବ୍ରିଟେନ ଯାତ୍ରା କରିଥିଲା। ଲଣ୍ଡନର ସାଉଥହଲ ମସଜିଦର ଇମାମ ମୁଫ୍ତି ଇସ୍ମାଇଲ ଆଝାରକୁ ସହୟତା ପ୍ରଦାନ କରିଥିଲେ। ଇସ୍ମାଇଲ ହେଉଛନ୍ତି ପାକିସ୍ତାନର ମୂଳ ବାସିନ୍ଦା। ସେ କରାଚିର ଦାରୁଲ ହଫ୍ତା ଇରଶାଦରୁ ପାଠ ପଢିଥିଲେ। ଆଝାରକୁ ପଚରାଉଚୁରା ସମୟରେ ସେ ଏହା ସ୍ୱୀକାର କରିଥିଲା। ପଚରାଉଚୁରା ସମୟରେ ଆଝାର କହିଥିଲା ଯେ ସେ ଇସ୍ମାଇଲ ସହ ସେ ବ୍ରିଟେନରେ ମାସେ ପର୍ଯ୍ୟନ୍ତ ରହିଥିଲା। ଏହି ରହଣୀ ସମୟରେ ସେ ବର୍ମଂହମ, ନୋଟିଂଘମ, ବରଲେ, ଶୋଫିଲ୍ଡ ଓ ଲାଂଚେଷ୍ଟରର କେତେକ ମସଜିଦ୍କୁ ଯାତ୍ରା କରି ପାଣ୍ଠି ସଂଗ୍ରହ କରିଥିଲା। ସେ ବ୍ରିଟେନରେ ମୁସଲମାନ ନେତାମାନଙ୍କୁ ଭେଟିଥିଲା। ସେଠାରୁ ପ୍ରାୟ ସେ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲା। ଭାରତୀୟ ବଂଶୋଦ୍ଭବ ଏବଂ ପାକିସ୍ତାନ ବଂଶୋଦ୍ଭବ ମୁସଲମାନମାନେ ଆଝାରକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହାପରେ ସେ ସାଉଦି ଆରବ, ଆବୁଧାବି, ଶାରଜାହ, କେନିଆ, ଜାମ୍ବିଆ ଯାତ୍ରା କରି କାଶ୍ମୀରରେ ଥିବା ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲା। ଆବୁଧାବିରୁ ସେ ପାକିସ୍ତାନୀ ମୁଦ୍ରାରେ ୩ ଲକ୍ଷ, ଶାରଜାହରୁ ୨ ଲକ୍ଷ ଏବଂ ସାଉଦି ଆରବରୁ ପ୍ରାୟ ୨ ଲକ୍ଷ ଅର୍ଥ ଯୋଗାଡ଼ କରିଥିଲା। ମସୁଦ ୧୯୯୪ରେ ଜାଲ ପର୍ତ୍ତୁଗାଲ ପାସପୋର୍ଟରେ ଭାରତରେ ପ୍ରବେଶ କରିଥିଲା। ଭାରତରେ ସେ ଚାଣକ୍ୟପୁରୀ ହୋଟେଲରେ ରହିଥିଲା। ଏହାର ମାତ୍ର ୨ ସପ୍ତାହ ପରେ ସେ ଜାମ୍ମୁ କାଶ୍ମୀରରୁ ଗିରଫ ହୋଇଥିଲା। ମାତ୍ର ଏହା ପୂର୍ବରୁ ସେ ଲକ୍ଷ୍ନୌ, ସାହାରାନପୁର ଏବଂ ଦାରୁଲ ଉଲୁମ ଦେଓବନ୍ଦ ଯାତ୍ରା କରିସାରିଥିଲା। ଜେରା ସମୟରେ ଆଝାର କହିଥିଲା ଯେ ୧୯୯୪ ଜାନୁଆରୀ ୨୯ରେ ସେ ବାଂଲାଦେଶ ଏୟାରଲାଇନ୍ସ ଯୋଗେ ଦିଲ୍ଲୀ ଆସିଥିଲା। ଫେବୃଆରୀ ୧୦ରେ ସେ ଆଫଗାନିସ୍ତାନର ଜଣେ ନାଗରିକ ସହ କାଶ୍ମୀର ଯାଇଥିଲା। ସେଠାରେ ମାତିଗୁଣ୍ଡଠାରେ ଜମା ହୋଇଥିବା ପିଓକେ ଓ କାଶ୍ମୀରରେ ସକ୍ରିୟ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଭେଟିଥିଲା। ସେଠାରେ ସେ ହରକତ-ଉଲ-ମୁଜାହିଦିନ ସଂଗଠନକୁ ହରକତ-ଉଲ-ଜିହାଦ ଉଲ ଇସଲାମରେ ବିଲୟ କରିଥିଲା। ଫେରିବା ସମୟରେ ଆଫଗାନିସ୍ତାନ ନାଗରିକ ଓ ଅନ୍ୟ ଜଣେ ଆତଙ୍କବାଦୀ ସହ ସୁରକ୍ଷା ବାହିନୀ ନିକଟରେ ଧରାପଡ଼ିଥିଲା। ଏହାପରେ ୧୯୯୯ରେ ଇଣ୍ଡିଆନ ଏୟାରଲାଇନ୍ସର ଏକ ବିମାନକୁ କାନ୍ଧାରରୁ ଅପହରଣ କରି ନିଆଯାଇଥିଲା। ବିମାନ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ସର୍ତ୍ତ ଅନୁସାରେ ଆଝାର ଓ ଅନ୍ୟ ଆତଙ୍କବାଦୀଙ୍କୁ ଛାଡ଼ିବାକୁ ପଡ଼ିଥିଲା।