ଭୁବନେଶ୍ବର : କାଶ୍ମୀର ଉପତ୍ୟକାର ପହଲଗାଓଁକୁ ଭ୍ରମଣାର୍ଥେ ଯାଇ ବର୍ବର ଆତଙ୍କବାଦୀଙ୍କ ଗୁଳିରେ ଜୀବନ ହାରିଥିବା ନିରୀହ ପର୍ୟ୍ୟଟକଙ୍କର ମରଶରୀର ତାଙ୍କ ନିଜନିଜ ଜନ୍ମମାଟିରେ ପହଞ୍ଚିବା ପରେ ସମଗ୍ର ଦେଶରେ ସ୍ବାଭାବିକ ଭାବେ ଗଭୀର ଶୋକ, କ୍ଷୋଭ ଓ କ୍ରୋଧ ପ୍ରକାଶ ପାଇଛି। ପାକିସ୍ତାନ ମାଟିରୁ ପରିଚାଳିତ ସନ୍ତ୍ରାସବାଦୀ ସଂଗଠନର ଚାରି ଜଣ ଏହି ଅମାନୁଷିକ କାଣ୍ଡ ଭିଆଇଥିବାର ପ୍ରମାଣ ଯେତିକି ଦୃଢ଼ ହେଉଛି, ପଡ଼ୋଶୀ ପାକିସ୍ତାନ ବିରୋଧରେ ଦେଶବାସୀଙ୍କ ମନରେ ସେତିକି ଆକ୍ରୋଶ ବୃଦ୍ଧି ପାଉଛି। ଭାରତ ସରକାର ଅବଶ୍ୟ କାଳବିଳମ୍ବ ନ କରି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା ସଂକ୍ରାନ୍ତ କ୍ୟାବିନେଟ୍ କମିଟି କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ସହ ଭାରତ ପାକିସ୍ତାନ ସଙ୍ଗେ ସମସ୍ତ କୂଟନୈତିକ ସମ୍ବନ୍ଧ ଛିନ୍ନ କରିଛି। ଏହା ମଧ୍ୟରେ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ, ପାକିସ୍ତାନୀ ନାଗରିକଙ୍କ ଭିସା ରଦ୍ଦ ସହ ସେମାନଙ୍କୁ ଭାରତରେ ପ୍ରବେଶ କଟକଣା, ସମନ୍ବିତ ଅଟାରୀ-ୱାଘା ଚେକ୍ପୋଷ୍ଟ୍ ବନ୍ଦ, ପାକିସ୍ତାନ ହାଇକମିସନରୁ ପ୍ରତିରକ୍ଷା ପରାମର୍ଶଦାତାଙ୍କୁ ପ୍ରତ୍ୟାହାର, ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ ହାଇକମିସନରେ ଥିବା ପ୍ରତିରକ୍ଷା ବା ସାମରିକ ପରାମର୍ଶଦାତାମାନଙ୍କୁ ଅବାଞ୍ଛିତ ଘୋଷଣା ଆଦି ପଦକ୍ଷେପ ଅନ୍ତର୍ଭୁ୍କ୍ତ।
ଭାରତ ଏହି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ଦିନକ ପରେ ପାକିସ୍ତାନ ପ୍ରତିକ୍ରିୟା ପ୍ରକାଶ କରି ‘ଭାରତ ସହିତ ସମସ୍ତ ଦ୍ବିପାକ୍ଷିକ ରାଜିନାମା ସହିତ ସିମଳା ଚୁକ୍ତି ଆଦିକୁ ସ୍ଥଗିତ ରଖିବାର ଅଧିକାର ପ୍ରୟୋଗ କରିବ’ ବୋଲି କହିଛି। ସେହିପରି ପାକିସ୍ତାନର ପ୍ରଧାନମନ୍ତ୍ରୀ ମହମ୍ମଦ ଶେହବାଜ ଶରିଫ୍ଙ୍କ କାର୍ୟ୍ୟାଳୟରୁ ଜାରି ଏକ ବିବୃତିରେ କୁହାଯାଇଛି ଯେ ‘ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା ପାଇଁ ଭାରତର ଘୋଷଣାକୁ ପାକିସ୍ତାନ ପ୍ରତ୍ୟାଖ୍ୟାନ କରୁଛି’। ଏହାକୁ ‘ଯୁଦ୍ଧୋଚିତ କାର୍ଯ୍ୟ’ ଭାବେ ବିବେଚନା କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଏଥିସହ ପାକିସ୍ତାନର ଆକାଶପଥକୁ ଭାରତର ସମସ୍ତ ବିମାନ ପାଇଁ ବନ୍ଦ କରିବା ଓ ବାଣିଜ୍ୟ ସମ୍ବନ୍ଧକୁ ଛିନ୍ନ କରିବାକୁ ଘୋଷଣା କରିଛି।
କହିବା ନିଷ୍ପ୍ରୟୋଜନ ଯେ ଆର୍ଥିକ ଭାବେ ରୁଗ୍ଣ ପାକିସ୍ତାନର ଏ ପଦକ୍ଷେପ ତା’ ପାଇଁ ଆତ୍ମଘାତୀ ହେବାକୁ ଥିବାବେଳେ ମୁହଁଟାଣ ରଖିବାକୁ ଏଭଳି ପଦକ୍ଷେପ ନେଇଛି। ଚାରିଚାରିଟି ଯୁଦ୍ଧ ଓ ଦୀର୍ଘଦିନର ତିକ୍ତତା ସତ୍ତ୍ବେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ କେବେ ଚିନ୍ତା କରି ନଥିଲା। ସିନ୍ଧୁ ନଦୀର ପୂର୍ବରେ ବୋହୁଥିବା ତିନି ଉପନଦୀର ଜଳକୁ ଭାରତ ଓ ପଶ୍ଚିମରେ ବୋହୁଥିବା ତିନିଟି ନଦୀକୁ ପାକିସ୍ତାନ ବ୍ୟବହାର କରିବା ପାଇଁ ୧୯୬୦ରେ ଚୁକ୍ତି ହୋଇଥିଲା। ଏ ଚୁକ୍ତିକୁ ସ୍ଥଗିତ ରଖି ବା ବାତିଲ୍ କରି ଭାରତ ଏକ ଦୃଢ଼ ବାର୍ତ୍ତା ଦେଇଛି ସତଟ୍ଟ କିନ୍ତୁ ପାକିସ୍ତାନ ଉପରେ ତୁରନ୍ତ ଏହାର ପ୍ରଭାବ ପଡ଼ିବ ନାହିଁଟ୍ଟ କାରଣ ଏସବୁ ନଦୀର ଜଳକୁ ଅଟକାଇବା ପାଇଁ ବା ତାକୁ ଅନ୍ୟତ୍ର ନେବା ପାଇଁ ଭାରତ ଏ ପର୍ୟ୍ୟନ୍ତ କୌଣସି ଭିତ୍ତିଭୂମି ନିର୍ମାଣ କରିନାହିଁ।
ସେ ଯାହାହେଉ, ଯେଉଁ ସମୟରେ ପହଲଗାଓଁ ଆକ୍ରମଣ ହୋଇଛି, ତାହା ସୁଚିନ୍ତିତ ଭାବେ କରାଯାଇଥିବା ମନେହୁଏ। ନିଜ ଦେଶର ବିଫଳତାକୁ ଲୁଚାଇ ବିଶ୍ବର ଦୃଷ୍ଟି ଆକର୍ଷଣ କରିବା ପାଇଁ ପାକିସ୍ତାନ ଚାହୁଁଥିବାବେଳେ କାଶ୍ମୀର ପ୍ରସଙ୍ଗରେ ଆମେରିକା, ଚୀନ ଓ ଆରବ ରାଷ୍ଟ୍ରଗୁଡ଼ିକୁ ଜଡ଼ିତ କରିବାକୁ ଯୋଜନା କରିଥିବା ଅଧିକ ସମ୍ଭବ। ତେଣୁ ଭାରତ ଏଥିପ୍ରତି ସତର୍କ ରହି ପଦକ୍ଷେପ ନେବା ଉଚିତ। ପ୍ରଧାନମନ୍ତ୍ରୀ ମୋଦୀ ସାଉଦି ଆରବରେ ଥିବାବେେଳ ଏହି ଆକ୍ରମଣ ହୋଇଛି। ସେହି ଦେଶ ଆତଙ୍କବାଦୀ ଅର୍ଥ ଯୋଗାଣକୁ ରୋକିବାରେ ବହୁତ ନିବେଶ କରିଛିଟ୍ଟ କିନ୍ତୁ ପାକିସ୍ତାନକୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଚାଲିଛି। ତେଣୁ ଭାରତ ଆରବ ରାଷ୍ଟ୍ରଗୁଡ଼ିକ ସହ ସୁସମ୍ପର୍କ ବଜାୟ ରଖିବା ଜରୁରୀ, ଯାହା ସେ ପୂର୍ବରୁ କରିଆସୁଛି।
ଚୀନ ପାକିସ୍ତାନର ବନ୍ଧୁ ଓ ବଡ଼ ସହାୟକ, ଏହା କାହାକୁ ଅଜଣା ନାହିଁ। ସେପଟେ ସବୁବେଳେ ଭାରତ ସହିତ ସୁସମ୍ପର୍କ ରକ୍ଷାର ବାହାନା କରିଆସୁଛି। ପହଲଗାଓଁ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ପାକିସ୍ତାନକୁ ଭାରତ-ବିରୋଧୀ ଶକ୍ତିଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚୀନକୁ କହିବା ପାଇଁ ଚାପ ପ୍ରୟୋଗ କରାଯାଉ। ଏଥିରୁ ଚୀନର ପ୍ରକୃତ ଆଭିମୁଖ୍ୟ କ’ଣ, ତାହା ମଧ୍ୟ ଜଣାପଡ଼ିଯିବ। ଯଦି ନ କରେ, ତେବେ ଆତଙ୍କବାଦ ସମର୍ଥକ ପାକିସ୍ତାନକୁ ଚୀନ କେବେ ତ୍ୟାଗ କରିବ ନାହିଁ ବୋଲି ସ୍ପଷ୍ଟ ହୋଇଯିବ। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଚୀନର ଆର୍ଥିକ ସହାୟତାରେ ପରିପୁଷ୍ଟ ହେଉଥିବାରୁ ହିଁ ପାକିସ୍ତାନ ଭାରତ ବିରୋଧୀ ପଦକ୍ଷେପ ଗ୍ରହଣ କରିବାରୁ ନିବୃତ୍ତ ହେଉ ନାହିଁ, ଯାହା ଚୀନକୁ ମଧ୍ୟ ସୁହାଉଛି।
ଭଲ କଥା ଯେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ପାକିସ୍ତାନର ସମର୍ଥକ ନୁହନ୍ତି। ଗତଥର ସେ ରାଷ୍ଟ୍ରପତି ଥିବା ସମୟରେ ପାକିସ୍ତାନକୁ ଆର୍ଥିକ ହେର୍ଫେର୍ ଓ ଆତଙ୍କବାଦୀ ଅର୍ଥଯୋଗାଣ ପାଇଁ ଏଫ୍ଏଟିଏଫ୍ର ‘ଗ୍ରେ ଲିଷ୍ଟ୍’ରେ ରଖାଯାଇଥିଲା, ଯାହାକୁ ୨୦୨୨ରେ ହଟାଇ ଦିଆଯାଇଥିଲା। ପହଲଗାଓଁ ଘଟଣା ପରେ ଭାରତ ଓ ଆମେରିକା ମିଳିତ ଭାବେ ଆତଙ୍କବାଦ ସହ ଲଢ଼ିବା ପାଇଁ କାର୍ୟ୍ୟ କରିବା ଉଚିତ। ପାକିସ୍ତାନକୁ ପୁଣିଥରେ ‘ଏଫ୍ଏଟିଏଫ୍’ ତାଲିକାରେ ରଖାଯିବା ଦରକାର।
ଏସବୁ ସତ୍ତ୍ବେ ଭାରତ ପାଇଁ ନିଜ ସୁରକ୍ଷା ବ୍ୟବସ୍ଥା ନେଇ ଆତ୍ମସମୀକ୍ଷାର ବେଳ ଉପସ୍ଥିତ। ଖବର ଅନୁସାରେ, ଗତ ମାର୍ଚ୍ଚ ମାସରୁ ଗୁଇନ୍ଦା ରିପୋର୍ଟରେ ପହଲଗାଓଁରେ ଆତଙ୍କବାଦୀଙ୍କ ସକ୍ରିୟତାର ସୂଚନା ରହିଥିଲା। ପରିତାପର ବିଷୟ ଯେ କାଶ୍ମୀରର ଆତ୍ମା କୁହାଯାଉଥିବା ବୈସରନ ଉପତ୍ୟକାରେ ପର୍ୟ୍ୟଟକଙ୍କ ଭିଡ଼ ସବୁବେଳେ ଜମୁଥିବା ସତ୍ତ୍ବେ ସେଠାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇ ନଥିଲା। କ୍ରମଶଃ ଶାନ୍ତି ଫେରିଆସୁଥିବା କାଶ୍ମୀର ଉପତ୍ୟକା ଏବେ ଭୟ ଓ ଆତଙ୍କର ସ୍ଥଳ ପାଲଟିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କେବଳ ପର୍ୟ୍ୟଟକ ନୁହନ୍ତି, ସେଠାକାର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ବିଶ୍ବାସବୋଧ ଫେରାଇ ଆଣିବା ପାଇଁ ସରକାର ଅବିଳମ୍ବେ ପଦକ୍ଷେପ ନେବା ଜରୁରୀ।



